ନିଯୁକ୍ତି ଅନିୟମିତତା ଅଭିଯୋଗ ପରେ ଭୁବନେଶ୍ବର ଏମ୍ସରେ ସିବିଆଇ ରେଡ୍
ଭୁବନେଶ୍ବର(ସଂକେତ ଟିଭି): ଭୁବନେଶ୍ବର ଏମ୍ସରେ ବିଭିନ୍ନ ପଦପଦବୀ ନିଯୁକ୍ତିରେ ବଡ଼ ଧରଣର ଘୋଟାଲା ନେଇ ଆଜି ସିବିଆଇ ରେଡ୍ ହୋଇଛି । ଭୁବନେଶ୍ବର ସିବିଆଇ ଟିମ୍ ପକ୍ଷରୁ ୯ ଜଣିଆ ଟିମ୍ ରେଡ୍ରେ ସାମିଲ ହୋଇଛନ୍ତି।
ସିବିଆଇ ପକ୍ଷରୁ ଏମସ୍ରେ ଚଢାଉ କରାଯାଇ ମୋଟ ୨୭ ଲୋକଙ୍କୁ ପଚରାଉଚରା କରାଯାଇଥିବା ଜଣାପଡିଛି। ମାଳମାଳ ପିଟିସନ ପଡିବା ପରେ ଆଜି ଚଢ଼ାଉକୁ ବ୍ୟାପକ କରାଯାଇଛି। ଗାଜିଆବାଦ ଓ ଗୋରଖପୁରର ଜାଲ ଡକ୍ୟୁମେଣ୍ଟ ଜରିଆରେ ଭୁବନେଶ୍ୱରର ୫ ଜଣ ଠିକା କର୍ମଚାରୀଙ୍କୁ ସ୍ଥାୟୀ ନିଯୁକ୍ତି ମିଳିଥିବା ଅଭିଯୋଗ ହୋଇଛି । ସର୍ବ ଭାରତୀୟ ସ୍ତରରେ ଏମ୍ସରେ ନିଯୁକ୍ତି ପାଇଁ ପରୀକ୍ଷା କରାଯାଉଥିବା ବେଳେ ଭୁବନେଶ୍ୱର ଏମ୍ସ ନିଜସ୍ୱ ପରୀକ୍ଷା କରି ନିଯୁକ୍ତି ଦେଇଥିବା ଅଭିଯୋଗ ଆସିଛି। ଯାହାକି ଏମ୍ସ ନିଯୁକ୍ତି ପ୍ରକ୍ରିୟାର ନିୟମର ସମ୍ପୂର୍ଣ୍ଣ ଉଲ୍ଲଙ୍ଘନ ହୋଇଛି।
ସିବିଆଇ ସୂତ୍ରରୁ ମିଳିଥିବା ସୂଚନା ମୁତାବକ, ୨୦୨୩ ଜୁଲାଇ ୧ ତାରିଖରେ ସାନିଟାରୀ ଇନ୍ସପେକ୍ଟର ରେକର୍ଡ ଆସିଷ୍ଟାଣ୍ଟ ପାଇଁ ସାରା ଦେଶରେ ୭ ଶହ ପୋଷ୍ଟ ବାହାରିଥିଲା । ଓଡ଼ିଶାର କିଛି ପିଲା ସେଥିପାଇଁ ଆବେଦନ କରିଥିଲେ । ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଥିବା କିଛି ପିଲାଙ୍କ ବଦଳରେ ପୂର୍ବରୁ ଠିକା ନିଯୁକ୍ତି ପାଇଥିବା କର୍ମଚାରୀଙ୍କୁ ସ୍ଥାୟୀ ନିଯୁକ୍ତି ମିଳିଛି । ସ୍ମୃତି ସାଗର କର ନାମକ ଜଣେ ବ୍ୟକ୍ତିଙ୍କ ପରିବାରର ୪ ଜଣ ସ୍ଥାୟୀ ନିଯୁକ୍ତି ପାଇବା ନେଇ ପିଟିସନ ପଡିବା ପରେ ଜେରା କରିଛି ସିବିଆଇ ।