FeaturedLatestNews

କିଟ୍‌ ବିଶ୍ୱବିଦ୍ୟାଳୟରେ ଛାତ୍ରୀ ମୃତ୍ୟୁ ମାମଲା : ଭାରତକୁ ଧମକ ଦେଲେ ନେପାଳ ସରକାର

ଭୁବନେଶ୍ବର(ସଂକେତ ଟିଭି): କିଟରେ ଛାତ୍ରୀ ମୃତ୍ୟୁକୁ ଗୁରୁତର ସହ ନେଇ ନେପାଳ ସରକାର ଭାରତକୁ ଧମକ୍ ଦେଇଛନ୍ତି। ସେ କହିଛନ୍ତି ଯେ ପଢିବାକୁ ଭାରତ ଆସିବା ଲାଗି ଛାତ୍ରଛାତ୍ରୀଙ୍କୁ ଅନୁମତି ମିଳିବନି। ମୃତ ଛାତ୍ରୀ ପ୍ରକୃତି ଲମସାଲଙ୍କ ମୃତଦେହ ନେଇ ପରିବାର ଲୋକେ ନେପାଳ ଫେରିଥିବା ବେଳେ ଶିକ୍ଷା ମନ୍ତ୍ରଣାଳୟ ପକ୍ଷରୁ ଏହି ଧମକ ଦିଆଯାଇଛି।

ନେପାଳର ଶିକ୍ଷା ମନ୍ତ୍ରଣାଳୟ ଆହୁରି କହିଛି ଯେ, କିଟ୍ ବିଶ୍ବବିଦ୍ୟାଳୟରେ ଯେଭଳି ଘଟଣା ଘଟିଲା ତାହାକୁ ଦୃଷ୍ଟିରେ ରଖି ଓଡ଼ିଶାର କୌଣସି ବିଶ୍ୱବିଦ୍ୟାଳୟ କିମ୍ବା ଶିକ୍ଷାନୁଷ୍ଠାନରେ ପଢ଼ିବାକୁ ଇଚ୍ଛୁକ ଛାତ୍ରଛାତ୍ରୀଙ୍କୁ ନୋ ଅବଜେକ୍ସନ ସାର୍ଟିଫିକେଟ୍ ପ୍ରଦାନ କରାଯିବନି। କିଟ୍ ବିଶ୍ବବିଦ୍ୟାଳୟରେ ଉପୁଜିଥିବା ସମସ୍ୟାର ପ୍ରଭାବଶାଳୀ ସମାଧାନ ପାଇଁ ଉଦ୍ୟମ ଜାରି ରହିଛି। ଛାତ୍ରଛାତ୍ରୀଙ୍କ ସହାୟତା ପାଇଁ ଏକ ଡେସ୍କ ସ୍ଥାପନ କରାଯାଇଛି। KIITରେ ନେପାଳ ଛାତ୍ରଛାତ୍ରୀଙ୍କ ପାଠପଢ଼ା ପୁନଃ ଆରମ୍ଭ କରିବା ଏବଂ ଅନୁକୂଳ ପରିବେଶ ସୁନିଶ୍ଚିତ କରିବା ପାଇଁ ଭାରତ ସରକାରଙ୍କ ସହ ନେପାଳ ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ନିରନ୍ତର ଯୋଗାଯୋଗରେ ରହିଛି ।

ସେପଟେ ମୁଖ୍ୟମନ୍ତ୍ରୀ ମୋହନ ମାଝି କିଟ୍‌ ବିଶ୍ବବିଦ୍ୟାଳୟ ପ୍ରସଙ୍ଗରେ ନେପାଳ କାଉନସିଲରଙ୍କ ସହ କଥା ହୋଇଛନ୍ତି । ନେପାଳି କାଉନସିଲର ସଞ୍ଜୀବ ଦାସ ଶର୍ମା ଏବଂ ନବୀନ ରାଜ ଅଧିକାରୀଙ୍କ ସହ କଥା ହୋଇଛନ୍ତି। ତେବେ ନେପାଳି ଛାତ୍ରୀ ପ୍ରକୃତିକୁ ନ୍ୟାୟ ମିଳିବ ବୋଲି ମୁଖ୍ୟମନ୍ତ୍ରୀ ଆଶ୍ୱାସନା ଦେଇଛନ୍ତି। ଖୁବଶୀଘ୍ର କିଟ୍‌ କ୍ୟାମ୍ପସରେ ଶାନ୍ତି ଫେରିବ ବୋଲି ସେ କହିଛନ୍ତି। କ୍ୟାମ୍ପସକୁ ଫେରିବାକୁ ମୁଖ୍ୟମନ୍ତ୍ରୀ ଛାତ୍ରଛାତ୍ରୀମାନଙ୍କୁ ପରାମର୍ଶ ଦେଇଛନ୍ତି।

ରାଜ୍ୟ ଅତିଥି ଭବନରେ ଅନୁଷ୍ଠିତ ହୋଇଥିବା ଏହି ଆଲୋଚନାରେ ମନ୍ତ୍ରୀ ମୁକେଶ ମହାଲିଙ୍ଗ, ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ, ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା ସାମିଲ ଥିଲେ। ଏହାସହ ନେପାଳର ବୈଦେଶିକ ମନ୍ତ୍ରୀଙ୍କ ସହ ଫୋନ ଯୋଗେ ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ କଥା ହୋଇଛନ୍ତି।