ବ୍ୟାଙ୍କରେ ପଶି ବନ୍ଧୁକ ମୁନରେ ୨୨ ଲକ୍ଷରୁ ଉର୍ଦ୍ଧ୍ବ ଟଙ୍କା ଲୁଟ୍
ବାରିପଦା (ସଂକେତ ଟିଭି): ମୟୁରଭଞ୍ଜ ବହଳଦା ଏସବିଆଇ ବ୍ୟାଙ୍କ ଶାଖାରୁ ସ୍ପଷ୍ଟ ଦିବାଲୋକରେ ଗୁରୁବାର ଦୁର୍ବୃତ୍ତ ବନ୍ଧୁକ ମୁନରେ ଟଙ୍କା ଲୁଟି ଫେରାର ହୋଇଯାଇଛନ୍ତି। ଲୁଟେରାମାନେ ବ୍ୟାଙ୍କରୁ ପ୍ରାୟ ୨୨ ଲକ୍ଷରୁ ଉର୍ଦ୍ଧ୍ବ ଟଙ୍କା ଲୁଟ କରି ନେଇଥିବା ନେଇ ଚର୍ଚ୍ଚା ହେଉଛି।
ସୂଚନା ଅନୁସାରେ, ଗୁରୁବାର ଦିନ ସ୍ଥାନୀୟ ବହଳଦା ଷ୍ଟେଟ ବ୍ୟାଙ୍କ ଖୋଲିବା ମାତ୍ରେ ପାଞ୍ଚଜଣ ଦୁର୍ବୃତ୍ତ ବ୍ୟାଙ୍କ ଭିତରକୁ ପଶି ବନ୍ଧୁକ ଓ ଛୁରୀ ଭଳି ମାରଣାସ୍ତ୍ର ଦେଖାଇ ଲକ୍ଷାଧିକ ଟଙ୍କା ଲୁଟ କରି ନେଇଛନ୍ତି। ସମସ୍ତ ପାଞ୍ଚ ଜଣ ମୁଣ୍ଡରେ ହେଲମେଟ୍ ଲଗାଇଥିବା ପ୍ରାରମ୍ଭିକ ସୂଚନା ମିଳିଛି। ଲୁଟ୍ ସମୟରେ ବ୍ୟାଙ୍କର କର୍ମଚାରୀମାନଙ୍କ ସହ ୧୮ ଜଣ ଗ୍ରାହକ ବ୍ୟାଙ୍କ ଭିତରେ ଥିଲେ। ଦୁର୍ବୃତ୍ତମାନେ ସମସ୍ତଙ୍କର ମୋବାଇଲ ଫୋନ ଛଡ଼ାଇ ନେଇ ଗୋଟାଏ ସ୍ଥାନରେ ରଖିଦେଇଥିଲେ। ବ୍ୟାଙ୍କ ମ୍ୟାନେଜର ବୈଦ୍ୟନାଥ ହେମ୍ବ୍ରମ (୪୬) ଏବଂ ବ୍ୟାଙ୍କ କର୍ମଚାରୀ ସନ୍ତୋଷ ମହାନ୍ତ(୩୮)ଙ୍କୁ ବନ୍ଧୁକର ପଛ ପଟରୁ ମୁଣ୍ତରେ ଆଘାତ କରିବା ଫଳରେ ଦୁଇଜଣ ଆହତ ହୋଇଛନ୍ତି। ମ୍ୟାନେଜରଙ୍କୁ ବନ୍ଧୁକରେ ମୁଣ୍ଡରେ ଜୋରରେ ଆଘାତ କରିବା ସହ ତୀକ୍ଷ୍ଣ ଛୁରୀରେ ଜୀବନରୁ ମାରିଦେବାକୁ ମଧ୍ୟ ଉଦ୍ୟମ କରିଥିଲେ। ସେମାନଙ୍କର ବହଳଦା ଡାକ୍ତରଖାନାରେ ପ୍ରାଥମିକ ଚିକିତ୍ସା କରାଯାଇଛି। ଦୁର୍ବୃତ୍ତମାନେ ସମସ୍ତଙ୍କୁ ରୁମରେ ଭର୍ତ୍ତି କରିବା ପରେ ବ୍ୟାଙ୍କର ସମସ୍ତ ଟଙ୍କା ନେଇ ଯିବା ସହ ଦୁର୍ବୃତ୍ତମାନେ ନିଜେ ଏକ ତାଲା ବ୍ୟାଙ୍କର ମୁଖ୍ୟ ଦ୍ୱାରରେ ଚାବି ମାରି ଘଟଣାସ୍ଥଳରୁ ଫେରାର ମାରିଥିଲେ।
ଖବର ପାଇ ଘଟଣାସ୍ଥଳରେ ପୋଲିସ ପହଞ୍ଚି ଦୁର୍ବୃତ୍ତମାନେ ପକାଇଥିବା ତାଲା ଭାଙ୍ଗି ସମସ୍ତ ଗ୍ରାହକ ଏବଂ ବ୍ୟାଙ୍କ କର୍ମଚାରୀମାନଙ୍କୁ ଉଦ୍ଧାର କରିଥିଲେ। ଲୁଟ୍ ପରେ ଲୁଟେରାମାନେ ପଡୋଶୀ ଝାଡଖଣ୍ଡ ରାଜ୍ୟ ଆଡେ ଫେରାର ହୋଇଯାଇଥିବା ପୋଲିସ ସନ୍ଦେହ କରୁଛି।