କିଟ୍ ନେପାଳୀ ଛାତ୍ରୀ ମୃତ୍ୟୁ ମାମଲାର ତଦନ୍ତ ଆରମ୍ଭକଲା ଉଚ୍ଚସ୍ତରୀୟ କମିଟି
ଭୁବନେଶ୍ବର(ସଂକେତ ଟିଭି): ନେପାଳୀ ଛାତ୍ରୀ ମୃତ୍ୟୁ ଘଟଣାରେ ରାଜ୍ୟ ସରକାରଙ୍କ ଏକ ଉଚ୍ଚସ୍ତରୀୟ ଟିମ ଘଟଣାସ୍ଥଳରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିଛି । ଗୃହ ବିଭାଗ ସଚିବଙ୍କ ନେତୃତ୍ବରେ ଗଠିତ ଏହି ଟିମ କିଟ୍ ଘରୋଇ ବିଶ୍ବବିଦ୍ୟାଳୟ ପରିସରରେ ସମ୍ପୂର୍ଣ୍ଣ ଘଟଣାର ତଦନ୍ତ କରିଛନ୍ତି । ଏହା ସହିତ କମିଟିର ବରିଷ୍ଠ ପ୍ରଶାସନିକ ଅଧିକାରୀ କିଟ୍ ପରିସରରେ ବୁଲି ଛାତ୍ରଛାତ୍ରୀ ଓ ବିଶ୍ବବିଦ୍ୟାଳୟ କର୍ତ୍ତୃପକ୍ଷଙ୍କ ସହ ଆଲୋଚନା କରିଛନ୍ତି । ଏହି ୩ ଜଣିଆ ଉଚ୍ଚସ୍ତରୀୟ ଫ୍ୟାକ୍ଟ ଫାଇଣ୍ଡିଂ କମିଟିରେ ଗୃହ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ସତ୍ୟବ୍ରତ ସାହୁ, ମହିଳା ଓ ଶିଶୁ ବିକାଶ ବିଭାଗ ପ୍ରମୁଖ ସଚିବ ଶୁଭା ଶର୍ମା, ଉଚ୍ଚ ଶିକ୍ଷା ବିଭାଗ ସଚିବ ଅରବିନ୍ଦ ଅଗ୍ରୱାଲ ସାମିଲ ଥିଲେ ।
ଗୃହ ସଚିବ ସତ୍ୟବ୍ରତ ସାହୁ କହିଛନ୍ତି ଯେ କଲେଜର ବିଭିନ୍ନ ଲୋକ ଓ ପ୍ରଭାବିତ ଛାତ୍ରୀଛାତ୍ରଙ୍କ ସହ ଆଲୋଚନା ହୋଇଛି। ଆମେ କ’ଣ କରିବୁ, ସେଥିପାଇଁ ଘଟଣାସ୍ଥଳ ପରିଦର୍ଶନ କଲୁ। ଏହା ପ୍ରଥମ ପରିଦର୍ଶନ ହୋଇଥିବାବେଳେ ଆଗକୁ ତଦନ୍ତ ଆଗେଇବ। ତଦନ୍ତରୁ ଯେଉଁ ତଥ୍ୟ ସାମ୍ନାକୁ ଆସିବ, ତାକୁ ନେଇ ରାଜ୍ୟ ସରକାରଙ୍କୁ ଏକ ରିପୋର୍ଟ ପ୍ରସ୍ତତ କରି ଦିଆଯିବ ।
ଏହି ଅବସରରେ ଉପସ୍ଥିତ ଥିବା ପୋଲିସ କମିଶନର ସୁରେଶ ଦେବଦତ୍ତ ସିଂ କହିଛନ୍ତି,” ବିଶ୍ବବିଦ୍ୟାଳୟରେ ଆଇନଶୃଙ୍ଖଳା ପରିସ୍ଥିତି କିପରି ରହିଛି, ତାହା ଅନୁଧ୍ୟାନ କରିଥିଲୁ ।ଆସିଥିବା ଉଚ୍ଚସ୍ତରୀୟ କମିଟି ଛାତ୍ରଛାତ୍ରୀଙ୍କ ସହ ଆଲୋଚନା କରିଛନ୍ତି । ବର୍ତ୍ତମାନ ପାଠପଢା ଜାରି ରହିଛି । ବିଭିନ୍ନ ହଷ୍ଟେଲକୁ ଯାଇ ନେପାଳୀ ଛାତ୍ରଛାତ୍ରୀଙ୍କ ସହ ଆଲୋଚନା କରାଯାଇଛି । ଯେଉଁମାନେ ଫେରି ନାହାନ୍ତି ସେମାନଙ୍କୁ ବିଶ୍ବବିଦ୍ୟାଳୟକୁ ଫେରିବା ପାଇଁ ନିବେଦନ କରାଯାଇଛି । ନେପାଳ ଡେଲିଗେଟସ ମଧ୍ୟ ଆସିଛନ୍ତି, ସେମାନଙ୍କ ସହ ମଧ୍ୟ ଆଲୋଚନା କରାଯାଇଛି । ବିଶ୍ବବିଦ୍ୟାଳୟ କର୍ତ୍ତୃପକ୍ଷ ସହ ମଧ୍ୟ ଆଲୋଚନା କରାଯାଇଛି ।”
କିଟ୍ କ୍ୟାମ୍ପସ୍ ଏବେ ପୋଲିସ ଅନୁଧ୍ୟାନରେ ରହିଛି। ଜବତ ମୋବାଇଲ ଓ ଲାପ୍ଟପ୍କୁ ଷ୍ଟେଟ୍ ଫରେନ୍ସିକ ସାଇନ୍ସ ଲାବୋରେଟୋରି (ଏସ୍ଏଫ୍ଏସ୍ଏଲ୍)କୁ ପଠାଯାଇଛି। ସବୁ ଦିଗକୁ ନେଇ ତଦନ୍ତ ହେଉଛି ବୋଲି ସେ କହିଛନ୍ତି।