EducationFeaturedLatestNews

ଉଚ୍ଚସ୍ତରୀୟ କମିଟି ସାମ୍ନାରେ ହାଜର ହେଲେ ଅଚ୍ୟୁତ ସାମନ୍ତ

ଭୁବନେଶ୍ବର(ସଂକେତ ଟିଭି): କିଟ୍‌ ବିଶ୍ବବିଦ୍ୟାଳୟରେ ନେପାଳୀ ଛାତ୍ରୀ ପ୍ରକୃତି ଲାମ୍‌ସାଙ୍କ ମୃତ୍ୟୁ ଘଟଣାରେ ଆଜି କିଟ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ ରାଜ୍ୟ ସରକାରଙ୍କ ତିନି ଜଣିଆ ଉଚ୍ଚସ୍ତରୀୟ କମିଟି ସାମ୍ନାରେ ହାଜର ହୋଇଛନ୍ତି । ଗୃହ ବିଭାଗ ଏସିଏସ୍ ସତ୍ୟବ୍ରତ ସାହୁ, ଉଚ୍ଚଶିକ୍ଷା ସଚିବ ଅରବିନ୍ଦ ଅଗ୍ରୱାଲ ଏବଂ ମହିଳା ଓ ଶିଶୁ ବିକାଶ ସଚିବ ଶୋଭା ଶର୍ମାଙ୍କ ଆଗରେ ଅଚ୍ୟୁତ ବସି ଗୋଟି ଗୋଟି କରି ସବୁ ପ୍ରଶ୍ନର ଉତ୍ତର ରଖିଛନ୍ତି ।

ଶୁକ୍ରବାର ଅପରାହ୍ନ ୩ଟାରେ ଶୁଣାଣି ଆରମ୍ଭ କରିଥିଲେ ଉଚ୍ଚସ୍ତରୀୟ କମିଟି । ରାଜ୍ୟ ଅତିଥି ଭବନରେ ଆରମ୍ଭ ହୋଇଥିବା ଏହି ଶୁଣାଣିରେ ପ୍ରଥମେ ହାଜର ହୋଇଥିଲେ କିଟ୍‌ର ନିଲମ୍ବିତ ଦୁଇ ଅଧିକାରୀ ଜୟନ୍ତୀ ନାଥ ଓ ମଞ୍ଜୁସା ପାଣ୍ଡେ । ଜୟନ୍ତୀ ଓ ମଞ୍ଜୁସା ହେଉଛନ୍ତି ସେଇ ଦୁଇ ମହିଳା ଯେଉଁମାନେ ଛାତ୍ରୀ ଆତ୍ମହତ୍ୟା ଘଟଣା ପରେ ପରେ ଉତ୍ତ୍ୟକ୍ତ ଛାତ୍ରଛାତ୍ରୀଙ୍କୁ ଗାଳିଗୁଲଜ କରିଥିଲେ । ଯାହାର ଭିଡିଓ ଭାଇରାଲ ହେବା ପରେ ଅନ୍ୟ ଛାତ୍ରଛାତ୍ରୀ ଆହୁରି ତାତିଥିଲେ ଆଉ କିଟ୍ କ୍ୟାମ୍ପସରେ କରିଥିଲେ ଭଙ୍ଗାରୁଜା । ଜୟନ୍ତୀ ଓ ମଞ୍ଜୁସାଙ୍କ ପରେ କିଟ୍ କୁଳପତି ଶରଣଜିତ୍ ସିଂ ଏଂ କୁଳସଚିବ ଜ୍ଞାନରଂଜନ ମହାନ୍ତି କମିଟି ପାଖରେ ହାଜର ହୋଇଥିଲେ । ଜଣ ଜଣ କରି ସମସ୍ତଙ୍କ ବୟାନ ରେକର୍ଡ କରାଯାଇଥିଲା । ନିଲମ୍ବିତ ଲେଜିଡ ହଷ୍ଟେଲ ଇନଚାର୍ଜ ଜୟନ୍ତୀ ନାଥ କହିଛନ୍ତି, ଯାହା ସତ, ତାହା ଖୁବ ଶୀଘ୍ର ସାମ୍ନାକୁ ଆସିବ । ହଷ୍ଟେଲରେ ପିଲାମାନଙ୍କୁ ଅଭିଭାବକଙ୍କ ଭଳି ଆକଟ କରିଥାଉ, ତାକୁ ଗଣମାଧ୍ୟମରେ ଭିନ୍ନ ଢଂଗରେ ପରିପ୍ରକାଶ କରାଯାଇଛି ।

ସୂଚନା ଅନୁସାରେ, କିଟ୍ କାଣ୍ଡରେ ଯାହାଙ୍କ ବିରୋଧରେ କାର୍ଯ୍ଯାନୁଷ୍ଠାନ ଗ୍ରହଣ କରାଯାଇଛି, ସେମାନଙ୍କୁ ପଚରାଉଚରା ପାଇଁ ଉଚ୍ଚସ୍ତରୀୟ କମିଟି ନୋଟିସ ପଠାଇଛି । କିଟରେ ନେପାଳୀ ଛାତ୍ରୀଙ୍କ ଆତ୍ମହତ୍ୟା ବିବାଦ ତେଜିବା ପରେ ସରକାର ଉଚ୍ଚସ୍ତରୀୟ ଫ୍ୟାକ୍ଟ ଫାଇଣ୍ଡିଂ କମିଟି ଗଠନ କରିଥିଲେ ରାଜ୍ୟ ସରକାର । ଏବେ ସେହି ଉଚ୍ଚସ୍ତରୀୟ କମିଟି କିଟ କାଣ୍ଡର ଖୋଳତାଡ ଆରମ୍ଭ କରିଛି । ଏହି କମିଟି ଅଚ୍ୟୁତଙ୍କ ସମେତ ୮ ଜଣଙ୍କୁ ମାରାଥନ ଜେରା କରିଛନ୍ତି ।