FeaturedLatestNews

ମିଶନ ଶକ୍ତିର ନାଁ ବଦଳି ହୋଇପାରେ ସୁଭଦ୍ରା ଶକ୍ତି

ଭୁବନେଶ୍ବର(ସଂକେତ ଟିଭି): ମିଶନ ଶକ୍ତି’ ବଦଳରେ ହୋଇ ପାରେ ‘ସୁଭଦ୍ରା ଶକ୍ତି’ । ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା ଏକ ସାମ୍ବାଦିକ ସମ୍ମିଳନୀରେ ଏହି ସଙ୍କେତ ଦେଇଛନ୍ତି । ଏହି ସାମ୍ବାଦିକ ସମ୍ମିଳନୀରେ ସେ କହିଛନ୍ତି ଯେ ଭୁବନେଶ୍ବରରେ ପ୍ରଥମ ଥର ପାଇଁ ସୁଭଦ୍ରା ଶକ୍ତି ମେଳା ୨୦୨୫” ଅନୁଷ୍ଠିତ ହେବାକୁ ଯାଉଛି । ଏହା ୨୨ ଫେବୃଆରୀରୁ ମାର୍ଚ୍ଚ ୨ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ।

ଏହି ମେଳାରେ ରାଜ୍ୟର ବିଭିନ୍ନପ୍ରାନ୍ତରୁ ଆସିଥିବା ସ୍ଵୟଂ ସହାୟକ ଗୋଷ୍ଠୀ (ଏସ୍ଏଚ୍) ଏବଂ ଉତ୍ପାଦକ ଗୋଷ୍ଠୀ ଅଂଶଗ୍ରହଣ କରିବା ସହ ପ୍ରାୟ ୩୦୦ ରୁ ଅଧିକ ଷ୍ଟଲ ମାଧ୍ୟମରେ ସ୍ବୟଂ ସହାୟକ ଗୋଷ୍ଠୀ ମାନଙ୍କ ଦ୍ବାରା ପ୍ରସ୍ତୁତ ସାମଗ୍ରୀର ପ୍ରଦର୍ଶନୀ ସହିତ ବିକ୍ରି ହେବ ।

ଏହି ୯ ଦିନିଆ ଭବ୍ୟ ପ୍ରଦର୍ଶନୀରେ ବିଭିନ୍ନ ପ୍ରକାରର ହସ୍ତଶିଳ୍ପ ଏବଂ ଅର୍ଗାନିକ୍ ଉତ୍ପାଦ ପ୍ରଦର୍ଶିତ ହେବ, ଯାହା ଦର୍ଶକମାନଙ୍କୁ ମିଶନ ଶକ୍ତି ମହିଳାମାନଙ୍କର ସୃଜନଶୀଳତା, ଦକ୍ଷତା ଏବଂ ଉଦ୍ୟୋଗିତା ଦେଖିବାର ଏକ ଅନନ୍ୟ ସୁଯୋଗ ପ୍ରଦାନ କରିବ । ହସ୍ତଶିଳ୍ପ, ଟେରାକୋଟା, ବାଉଁଶ ଶିଳ୍ପ, ହସ୍ତତନ୍ତ ଏବଂ ଘରୋଇ ଆବଶ୍ୟକୀୟ ସାମଗ୍ରୀଠାରୁ ଆରମ୍ଭ କରି ସ୍ବାସ୍ଥ୍ୟ ଏବଂ ୱେଲନେସ୍ ଉତ୍ପାଦ, ଜୈବିକ ଖାଦ୍ୟ ସାମଗ୍ରୀ, ମସଲା, ମିଷ୍ଟାନ୍ନ ଏବଂମିଲେଟ୍-ଭିଭିକ ବ୍ୟଞ୍ଜନ ପର୍ଯ୍ୟନ୍ତ, ଉଚ୍ଚ ଗୁଣବତ୍ତା ଏବଂ ଦୀର୍ଘସ୍ଥାୟୀ ଉତ୍ପାଦଗୁଡ଼ିକ ପ୍ରଦର୍ଶିତ ହେବ ବୋଲି ସେ କହିଛନ୍ତି ।

ଓଡ଼ିଶାର ବିଭିନ୍ନ ପ୍ରାନ୍ତରୁ ଆସିଥିବା ଦର୍ଶକମାନେ, ମହିଳା ଉଦ୍ୟୋଗୀମାନଙ୍କଠାରୁ ସିଧାସଳଖ ହାତ ତିଆରି ଉତ୍ପାଦ କ୍ରୟ କରିବାର ସୁଯୋଗ ପାଇବେ, ଯାହା ସେମାନଙ୍କର ଆର୍ଥିକ ସଶକ୍ତିକରଣରେ ମଧ୍ୟ ସହାୟକ ହେବ ବୋଲି ସେ ସୂଚନା ଦେଇଛନ୍ତି।

ଏହି ଅବସରରେ ଉପମୁଖ୍ୟମନ୍ତ୍ରୀ କହିଛନ୍ତି, ” ନିର୍ଦ୍ଦିଷ୍ଟ କିଛି ଲୋକଙ୍କ ହାତରେ ଅନେକଦିନ ଧରି କ୍ଷମତା ରହିଲେ ମହିଳା ଶଶକ୍ତିକରଣରେ ବାଧା ଉପୁଜିଥିଲା, ଏଣୁ ରିଷ୍ଟ୍ରକଚର୍ ଆବଶ୍ୟକତା ରହିଛି। ଏସଏଚଜି ରିଷ୍ଟ୍ରକ୍ଚର୍ ଏକ ପ୍ରକ୍ରିୟା । ପରିବର୍ତ୍ତନ ଗଣତନ୍ତ୍ରର ଆଧାର । ଗଣତନ୍ତ୍ର ପଦ୍ଧତିକୁ ଶକ୍ତିଶାଳୀ କରିବାକୁ ସ୍ଵୟଂ ସହାୟିକା ଗୋଷ୍ଠୀରେ ରିଷ୍ଟକ୍ଚର୍ ର ଆବଶ୍ୟକତା ରହିଛି । ନିର୍ଦ୍ଦିଷ୍ଟ କିଛି ଲୋକଙ୍କ ହାତରେ ଅନେକ ଦିନ ଧରି କ୍ଷମତା ରହିଲେ ମହିଳା ଶସକ୍ତିକରଣ ପାଇଁ ଯେଉଁ ସ୍ବପ୍ନ ଦେଖିଥିଲେ ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳବିହାରୀ ବାଜପେୟୀ ସେଥିରେ ବାଧକ ତିଆରି ହେବ। ତେଣୁ ସମସ୍ତଙ୍କୁ ବାରି ବାରି କରି ଲିଡରସିପ ନେବା, ଅର୍ଥନୈତିକ ସ୍ବାବଲମ୍ବୀ କରିବାର ସୁଯୋଗ ସ୍ବୟଂ ସହାୟକ ଗୋଷ୍ଠୀ ଜରିଆରେ ଦିଆଯିବ। ସେଥି ପାଇଁ ରିଷ୍ଟ୍ରକ୍ଚରିଂ ହେଉଛି ।