ବିବାହ ପାଇଁ ରାଜି ନ ହେବାରୁ ପ୍ରେମିକାର ଗଳାକାଟି ହତ୍ୟା କଲା ପ୍ରେମିକ
ବାଲେଶ୍ବର (ସଂକେତ ଟିଭି): ବିବାହ ପାଇଁ ରାଜି ନ ହେବାରୁ ଯୁବତୀଙ୍କ ଗଳାକାଟି ହତ୍ୟା କଲା ପ୍ରେମିକ । ବାଲେଶ୍ବର ଜିଲ୍ଲା ସୋର ବ୍ଲକ ଲିଙ୍ଗପଡା ଗ୍ରାମରୁ ଏଭଳି ଘଟଣା ସାମନାକୁ ଆସିଛି ।
ସୂଚନା ଅନୁସାରେ, ସୋର ଲିଙ୍ଗାପଡା ଗ୍ରାମର ମନୋରଞ୍ଜନ ରଣାଙ୍କ ଝିଅ ଜ୍ୟୋର୍ତିମୟୀ ରଣାଙ୍କର ବାସୁଦେବପୁର ବ୍ଲକ ଭୈରବପୁର ଗ୍ରାମର ବିଶ୍ୱନାଥ ପୁହାଣ ନାମକ ଯୁବକଙ୍କ ସହିତ ସୋର ୟୁଏନ କଲେଜରେ ପଢିବା ସମୟରେ ପ୍ରେମ ସମ୍ପର୍କ ଗଢି ଉଠିଥିଲା । ପରେ ଉଭୟେ ବେଙ୍ଗାଲୁର ଯାଇ ସେଠାରେ ଭିନ୍ନ ଭିନ୍ନ କମ୍ପାନୀରେ କାର୍ଯ୍ଯ କରୁଥିଲେ । ପରେ ଉଭୟଙ୍କ ମଧ୍ୟରେ ମନାନ୍ତର ହେବାରୁ ଜ୍ୟୋର୍ତିମୟୀ ଲିଙ୍ଗପଡା ସ୍ଥିତ ନିଜ ଘରକୁ ଚାଲି ଆସିଥିଲେ। ଜ୍ୟୋର୍ତିମୟୀଙ୍କ ଅନିଚ୍ଛା ସତ୍ୱେ ବିବାହ ପାଇଁ ଅଡିବସିଥିବା ପ୍ରେମିକ ବିଶ୍ୱନାଥ ପୂର୍ବରୁ ଜ୍ୟୋର୍ତିମୟୀଙ୍କ ବାପାଙ୍କୁ ହତ୍ୟା ଧମକ ଦେବା ସହିତ ଜ୍ୟୋର୍ତିମୟୀଙ୍କ ଉପରେ ଏସିଡ ପକାଇବାକୁ ଧମକ ଦେଇଥିଲା। ଯାହାକୁ ନେଇ କିଛିଦିନ ତଳେ ଥାନାରେ ଲିଖିତ ଅଭିଯୋଗ କରିଥିଲେ ଜ୍ୟୋର୍ତିମୟୀଙ୍କ ପରିବାର। ଏଥିରେ ଉତକ୍ଷୀପ୍ତ ହୋଇ ସୋମବାର ଘରେ କେହି ନ ଥିବା ବେଳେ ପ୍ରେମିକ ବିଶ୍ୱନାଥ ଜ୍ୟୋର୍ତିମୟୀଙ୍କ ଗଳାକାଟି ହତ୍ୟା କରିଥିବା ଅଭିଯୋଗ କରିଛନ୍ତି ପରିବାର ଲୋକେ। ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି ।