ମାର୍ଚ୍ଚ ୩୧ ତାରିଖ ପରେ ଚାଷୀଙ୍କଠାରୁ ଆଉ ଧାନ ନେବେନି ସରକାର
ଭୁବନେଶ୍ବର(ସଂକେତ ଟିଭି): ମାର୍ଚ୍ଚ ୩୧ ତାରିଖ ପରେ ସରକାର ଆଉ ଚାଷୀଙ୍କଠାରୁ ଧାନ ନେବେନାହିଁ । ଖାଦ୍ୟ ଓ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ମଣ୍ଡିରେ ଧାନକିଣା ପ୍ରସଙ୍ଗରେ ଏହି କଥା କହିଛନ୍ତି ।
ସେ କହିଛନ୍ତି, ସରକାର ଧାନକିଣା ପାଇଁ ମାର୍ଚ୍ଚ ୩୧ ଯାଏ ଡେଡ୍ଲାଇନ୍ ଧାର୍ଯ୍ୟ କରିଛନ୍ତି । ମାର୍ଚ୍ଚ ୩୧ ପରେ ମଣ୍ଡିରୁ ଆଉ ଧାନ କିଣା ହେବ ନାହିଁ। ବର୍ତ୍ତମାନ ସୁଦ୍ଧା ୬୫ ଲକ୍ଷ ମେଟ୍ରିକ୍ ଟନ୍ ଧାନ ସଂଗ୍ରହ କରାଯାଇସାରିଛି। ଟାର୍ଗେଟର ୯୦% ଧାନ ସଂଗ୍ରହ ହୋଇସାରିଲାଣି।
ପୂର୍ବରୁ ଚଳିତ ଖରିଫ ଋତୁ ପାଇଁ ଧାନ ସଂଗ୍ରହ ଲକ୍ଷ୍ୟକୁ ୬୫ ଲକ୍ଷ ମେଟ୍ରିକ୍ ଟନ୍ ରୁ ୭୭ ଲକ୍ଷ ମେଟ୍ରିକ୍ ଟନ୍ କୁ ବୃଦ୍ଧି କରିଥିଲେ ରାଜ୍ୟ ସରକାର। ଚଳିତ ବର୍ଷ, କ୍ରୟ ସମୟରେ ଚାଷୀଙ୍କ ସ୍ୱାର୍ଥକୁ ସର୍ବାଧିକ ଗୁରୁତ୍ୱ ଦିଆଯାଇ ମଣ୍ଡିଗୁଡ଼ିକରେ ଆବଶ୍ୟକୀୟ ବ୍ୟବସ୍ଥା କରାଯାଇଛି। ଚାଷୀଙ୍କ ସ୍ୱାର୍ଥକୁ ଦୃଷ୍ଟିରେ ରଖି, ମଣ୍ଡିଗୁଡ଼ିକରେ ସିସିଟିଭି ବ୍ୟବସ୍ଥା ସହିତ ୩୮୮୩ ଜଣ ନୋଡାଲ୍ ଅଧିକାରୀଙ୍କୁ ନିୟୋଜିତ କରାଯାଇଛି। ଏହା ସହିତ, ବାହାର ଧାନ ଯାନଗୁଡ଼ିକ ଉପରେ କଡ଼ା ନଜର ରଖିବା ପାଇଁ ୨୧୭ଟି ଏନଫୋର୍ସମେଣ୍ଟ ସ୍କ୍ବାଡ୍ ଗଠନ କରାଯାଇଛି।