EducationFeaturedLatest

ଦଶମ ଶ୍ରେଣୀ ଛାତ୍ରୀ ଜନ୍ମ କଲେ ଶିଶୁ କନ୍ୟା

ଯାଜପୁର (ସଂକେତ ଟିଭି): ମା ହୋଇଛନ୍ତି ଜଣେ ଦଶମ ଶ୍ରେଣୀ ଛାତ୍ରୀ । ନାବାଳିକା ଜଣକ ଡାକ୍ତରଖାନାରେ ଶିଶୁ କନ୍ୟାକୁ ଜନ୍ମ ଦେଇଛନ୍ତି । ଯାଜପୁର ଜିଲ୍ଲା ବରୀ ଅଞ୍ଚଳରୁ ଏପରି ଅଭାବନୀୟ ଘଟଣା ସାମ୍ନାକୁ ଆସିଛି । ମାଲକାନଗିରିର ଦଶମ ଶ୍ରେଣୀ ଛାତ୍ରୀ ପୁତ୍ର ସନ୍ତାନ ଜନ୍ମ ଦେଇଥିବା ଥିବା ବେଳେ ଯାଜପୁରର ନାବାଳିକା ଶିଶୁକନ୍ୟାର ମା ହେବା ଘଟଣା ଏବେ ଚର୍ଚ୍ଚାର ପରିସରକୁ ଆସିଛି।

ସୂଚନା ଅନୁସାରେ ଆଜି ମାଟ୍ରିକ ପରୀକ୍ଷାରେ ଗଣିତ ପରୀକ୍ଷା ଥିଲା। ଆଉ ଛାତ୍ରୀ ଜଣଙ୍କ ପୂର୍ବରୁ ଦୁଇଟି ବିଷୟ ପରୀକ୍ଷା ଦେଇ ସାରିଥିବା ବେଳେ ଆଜି ଗଣିତ ପରୀକ୍ଷା ଦେଇଥାନ୍ତେ। ହେଲେ ଗତକାଲି ହଠାତ୍ ତାଙ୍କର ସ୍ଵାସ୍ଥ୍ୟାବସ୍ଥା ବିଗିଡ଼ିଯାଇଥିଲା। ଏହାପରେ ତାଙ୍କୁ ଯାଜପୁର ବରୀ ରାମଚନ୍ଦ୍ରପୁର ସ୍ଵାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ସେଠାରେ ସେ ଏକ ଶିଶୁକନ୍ୟାକୁ ଜନ୍ମ ଦେଇଥିଲେ। ଏହାପରେ ତାଙ୍କ ସ୍ଵାସ୍ଥ୍ୟାବସ୍ଥା ଗୁରୁତର ହେବାରୁ ତାଙ୍କୁ ଯାଜପୁର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ଖବର ପାଇ ଡାକ୍ତରଖାନାରେ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି। ଛାତ୍ରୀ ଜଣଙ୍କ ରାମପୁର ପଞ୍ଚାୟତ ସ୍କୁଲରେ ପାଠ ପଢୁଥିବା ଜଣାପଡିଛି।

ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ନିରଞ୍ଜନ କର କହିଛନ୍ତି ଯେ, ‘ଏନେଇ ବରୀ ଥାନାରେ ଏତଲା ଦିଆଯାଇଛି । ଏ ସମ୍ପର୍କରେ ପରିବାର ଲୋକେ ମୁହଁ ଖୋଲି ନାହାନ୍ତି । ନାବାଳିକା ହଷ୍ଟେଲରେ ରହୁନଥିଲେ । ଘରେ ରହୁଥିଲେ । ଶିଶୁ ସୁରକ୍ଷା ଅଧିକାରୀ ପକ୍ଷରୁ ଥାନାରେ ଏତଲା ଦିଆଯାଇଛି । ଏହି ଘଟଣା ସମ୍ପର୍କରେ ଆମେ ଜିଲ୍ଲାପାଳଙ୍କ ଦୃଷ୍ଟି ଆକର୍ଷଣ କରିଛୁ । ଆମ ଏକ ଟିମ ଘଟଣାର ଅନୁସନ୍ଧାନ କରିବାକୁ ପଠାଯାଇଛି ।’

ଯାଜପୁର ଘଟଣା ପୂର୍ବରୁ ଗତ ଦୁଇ ଦିନ ତଳେ ମାଲକାନଗିରି ଜିଲ୍ଲାର ଚିତ୍ରକୋଣ୍ଡା ଅନୁସୂଚିତ ଜାତି ଜନଜାତି ଆବାସିକ ବିଦ୍ୟାଳୟ ହଷ୍ଟେଲରେ ଜଣେ ଦଶମ ଶ୍ରେଣୀ ଛାତ୍ରୀ ଛୁଆ ଜନ୍ମ ଦେଇଥିଲେ। ଛାତ୍ରୀଜଣଙ୍କ ଫେବୃଆରୀ ୨୫ ସକାଳେ ମାଟ୍ରିକ୍‌ ପରୀକ୍ଷା ଦେବାକୁ ନିର୍ଦ୍ଧାରିତ କେନ୍ଦ୍ରକୁ ଯାଇଥିଲେ। ପରୀକ୍ଷା ଦେଇସାରିବା ପରେ ସହପାଠୀଙ୍କ ସହ ସେ ସ୍କୁଲ ହଷ୍ଟେଲକୁ ଫେରି ଆସିଥିଲେ। ତେବେ ସନ୍ଧ୍ୟା ସମୟରେ ସଂପୃକ୍ତ ଛାତ୍ରୀଙ୍କ ବାପାଙ୍କୁ ହଷ୍ଟେଲ୍‌ କର୍ତ୍ତୃପକ୍ଷ ଫୋନ୍‌ କରି ଡକାଇଥିଲେ। ଛାତ୍ରୀଙ୍କ ବାପା-ମା’ ସେଠାରେ ପହଞ୍ଚିବା ପରେ ତାଙ୍କ ଝିଅ ଏକ ଶିଶୁକୁ ଜନ୍ମ ଦେଇଥିବା ଦେଖିବାକୁ ପାଇଥିଲେ।