CulturalFeaturedLatestNews

ଲିଙ୍ଗରାଜ ମନ୍ଦିର ବିଭ୍ରାଟ: ରାଜ୍ୟ ସରକାରକୁ ଘେରିଲେ ବିରୋଧି

ଭୁବନେଶ୍ବର (ସଂକେତ ଟିଭି): ଭୁବନେଶ୍ବର ଲିଙ୍ଗରାଜ ମନ୍ଦିରରେ ମହାଦୀପ ଉଠିବା ସମୟରେ ଏକ ବଡ଼ ଅଘଟଣ ଘଟିଥିଲା । ମହାଦୀପ ଧରି ଜଣେ ସେବାୟତ ମନ୍ଦିର ଉପରକୁ ଚଢୁଥିବା ସମୟରେ ହଠାତ୍ ଖସି ପଡ଼ିଥିଲେ । ଯାହାକୁ ନେଇ ବର୍ତ୍ତମାନ ରାଜନୀତି ଜୋର ଧରିଛି । ବିରୋଧି ଦଳ ଏଥିପାଇଁ ରାଜ୍ୟ ସରକାରକୁ ଦାୟୀ କରିଛନ୍ତି । ବିଜେପି ସରକାର ଆସିବା ଠାରୁ ଅଘଟଣ ଘଟୁଥିବା ବିଜେଡ଼ି ଅଭିଯୋଗ କରିଛି । ସଠିକ ଢଙ୍ଗରେ ସମୀକ୍ଷା ହେଉନଥିବାରୁ ଏଭଳି ଅଘଟଣ ଘଟିବା କଂଗ୍ରେସ ଅଭିଯୋଗ କରିଛି । ଠାକୁରଙ୍କ ଘଟଣାରେ କାଦୁଅ ଫିଙ୍ଗା ରାଜନୀତି ନହେବା ଉଚିତ ବୋଲି ଶାସକ ଦଳ ବିଜେପି କହିଛି ।

ବିଜେଡି ତରଫରୁ ଜାରି କରା ଯାଇଥିବା ଏକ ପ୍ରେସ୍‌ ବିବୃତିରେ ଦଳର ମୁଖପାତ୍ର ତଥା ମିଡ଼ିଆ ସଂଯୋଜକ ଡ଼ ଲେନିନ ମହାନ୍ତି କହିଛନ୍ତି, ଲିଙ୍ଗରାଜ ମନ୍ଦିରରେ ମହାଶିବରାତ୍ରି ପାଳନ ବେଳେ ଘଟିଥିବା ଅଘଟଣ ଏକ ବଡ଼ ଧରଣର ପରିଚାଳନାଗତ ବିଭ୍ରାଟ। ଗତ ରଥଯାତ୍ରା ସମୟରେ,ପହଣ୍ଡି ସମୟରେ ବଡ଼ ଠାକୁର ଖସି ପଡ଼ିଥିଲେ, ଯାହା ବିଶ୍ୱର ଜଗନ୍ନାଥ ପ୍ରେମୀ ମାନଙ୍କ ମନରେ ଗଭୀର ଆଘାତ ଦେଇଥିଲା। ଏହି ଘଟଣାରେ ରାଜ୍ୟ ସରକାର ତଦନ୍ତ କରିବେ ବୋଲି କହିଥିଲେ, କିନ୍ତୁ ସେ ତଦନ୍ତର ରିପୋର୍ଟ ଆଜି ପର୍ଯ୍ୟନ୍ତ ଆସିଲା ନାହିଁ।

ଲିଙ୍ଗରାଜ ମନ୍ଦିରରେ ମହାଶିବରାତ୍ରି ପାଳନ ବେଳେ ଏପରି ଘଟଣା ପୂର୍ବରୁ କେବେ ଘଟିବାର ନଜିର ନାହିଁ। ଦୁଃଖ ଓ ପରିତାପର ବିଷୟ, ସରକାର ଶିବରାତ୍ରି ଦିନ ଦର୍ଶନ ବ୍ୟବସ୍ଥା ମଧ୍ୟ ଶୃଙ୍ଖଳିତ ହୋଇ ପାରି ନଥିବା ଅନେକ ଭକ୍ତ ଅଭିଯୋଗ କରିଛନ୍ତି। ଦର୍ଶନ ପାଇଁ ଧାଡିରେ ସାଧାରଣ ଭକ୍ତମାନେ ଘଣ୍ଟା ଘଣ୍ଟା ଛିଡା ହୋଇ ଦର୍ଶନ ପାଇ ପାରି ନଥିଲା ବେଳେ ନିୟମିତ ଭାବେ ଭିଆଇପି ପାସ ନେଇ ଲୋକମାନେ ପ୍ରବେଶ କରୁଥିଲେ। ଏଥିରୁ ସ୍ପଷ୍ଟ ପ୍ରମାଣିତ ହେଉଛି ଯେ, ଦର୍ଶନ ବ୍ୟବସ୍ଥା ସମ୍ପୂର୍ଣ୍ଣ ବିଫଳ ହୋଇଛି। କେଉଁ ପରିସ୍ଥିତିରେ ଭିଆଇପି ପାସ ବ୍ୟବସ୍ଥା କରାଯାଇଥିଲା ଓ କେତେ ଭିଆଇପି ପାସ୍‌ ରାଜ୍ୟ ସରକାର ଇସ୍ୟୁ କରିଥିଲେ ତାହା ରାଜ୍ୟ ସରକାର ସ୍ପଷ୍ଟ କରନ୍ତୁ ବୋଲି ଡ଼ ମହାନ୍ତି କହିଛନ୍ତି।

କଂଗ୍ରେସ ବିଧାୟିକା ସୋଫିଆ ଫିର୍ଦ୍ଦୋଷ କହିଛନ୍ତି,” ଲଗାତାର ଭାବେ ରାଜ୍ୟରେ ବିଭିନ୍ନ ଅଘଟଣ ଘଟିବାରେ ଲାଗିଛି । ଏଥିପାଇଁ ରାଜ୍ୟ ସରକାର ଦାୟୀ । ଦାୟିତ୍ୱରେ ଥିବା ଅଧିକାରୀ ମଧ୍ୟ ଦାୟୀ । ପ୍ରତ୍ୟେକ ଘଟଣାରେ ମୁଖ୍ୟମନ୍ତ୍ରୀ ଓ ମନ୍ତ୍ରୀ ସମୀକ୍ଷା କରୁଛନ୍ତି । ସମୀକ୍ଷା କରିବା ପରେ ଯଦି ଏଭଳି ଘଟଣା ଘଟୁଛି । ତାହାଲେ ସମୀକ୍ଷାର ମୂଲ୍ୟ ରହୁନାହିଁ । କିମ୍ବା ସେମାନେ ଠିକ ଭାବେ ସମୀକ୍ଷା କରୁନାହାନ୍ତି । ଅଗାମୀ ଦିନରେ ଏଭଳି ଘଟଣା ଯେମିତି ନଘଟେ ସେ ଦିଗରେ ପଦକ୍ଷେପ ନିଆଯିବା ଦରକାର ।”

ବିଧାୟକ ବାବୁ ସିଂ ବିଧାୟକ ଆହୁରି ମଧ୍ୟ କହିଛନ୍ତି, “ଚଳିତ ଥର ବହୁ ଅଧିକ ପରିମାଣର ଶ୍ରଦ୍ଧାଳୁ ଆସିଥିଲେ । ସ୍ୱାଭାବିକ ଠାରୁ ପ୍ରାୟ ଦେଢ଼ ଗୁଣା ଭକ୍ତ ଗତକାଲି ସାମିଲ ହୋଇଥିଲେ । ଦର୍ଶନରେ ସମସ୍ୟା ସୃଷ୍ଟି ହୋଇଥିଲା । ଏଭଳି ନହେଉ ବୋଲି ଆଗାମୀ ଦିନରେ ଚେଷ୍ଟିତ ହେବୁ । ଏ ଘଟଣାରେ କାଦୁଅ ଫିଙ୍ଗା ରାଜନୀତି ନହେବା ଉଚିତ ବୋଲି ସେ କହିଛନ୍ତି ।