EntertainmentFeaturedLatestNews

ଅଭିନେତା ଉତ୍ତମ ମହାନ୍ତିଙ୍କ ପରଲୋକ

ଭୁବନେଶ୍ବର(ସଂକେତ ଟିଭି): ଓଡିଆ ଚଳଚିତ୍ର ଜଗତର ଚର୍ଚ୍ଚିତ ଚେହେରା ତଥା ବିଶିଷ୍ଟ ଅଭିନେତା ଉତ୍ତମ ମହାନ୍ତିଙ୍କ ପରଲୋକ ଘଟିଛି । ୬୬ ବର୍ଷ ବୟସରେ ଦିଲ୍ଲୀରେ ଗୁରୁଗ୍ରାମ ମେଦାନ୍ତ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ପରଲୋକ ଘଟିଛି। କିଛି ଦିନ ହେଲା ଲିଭର ସିରୋସିସ ରୋଗରେ ପୀଡିତ ଥିଲେ।

୧୯୭୭ରେ ସାଧୁ ମେହେରଙ୍କ ନିର୍ଦ୍ଦେଶିତ ଅଭିମାନ ଫିଲ୍ମ ଜରିଆରେ ଅଭିନୟ ଯୁଗରେ ପାଦ ଦେଇଥିଲେ। ଏହି ବିଶିଷ୍ଟ ଅଭିନେତା ୧୩୦ରୁ ଅଧିକ ଚଳଚ୍ଚିତ୍ରରେ ଅଭିନୟ କରିଛନ୍ତି। ନିଜର ନିଖୁଣ ଓ କଳାତ୍ମକ ଅଭିନୟ ପାଇଁ ସେ ଓଲିଉଡରେ ନିଜର ସ୍ଵତନ୍ତ୍ର ସ୍ଥାନ ହାସଲ କରିବା ସହ ୧୯୮୦ ଦଶକରେ ସିନେମାରେ ରାଜ କରୁଥିଲେ। ସେ ଓଡ଼ିଆ ଫିଲ୍ମ ଜଗତକୁ ଉଦଣ୍ଡୀ ସୀତା, ଦଣ୍ଡା ବାଳୁଙ୍ଗା, ଜୋରଦାର ମୁଲକ ତାର, ଦେଖ ଖବର ରଖ ନଜର, ଲକ୍ଷ୍ମଣ ରେଖା, ସେଇ ଝିଅଟି, ପରଦେଶୀ ଚଢେଇ ଆଦି ସୁପର ହିଟ୍‌ ଫିଲ୍ମ ଦେଇଛନ୍ତି। ସେ ୩୦ଟି ବଙ୍ଗାଳି ସିନେମା ସହିତ ଗୋଟିଏ ହିନ୍ଦୀ ସିନେମା ‘ନୟା ଜହର’ରେ ହିରୋ ଭୂମିକାରେ ଅଭିନୟ କରିଛନ୍ତି।

ଉତ୍ତମ ମହାନ୍ତି ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର, ଜୟଦେବ ପୁରସ୍କାର ପରି ଅନେକ ପୁରସ୍କାରରେ ସମ୍ମାନିତ ହୋଇଛନ୍ତି। ୧୯୮୨ରୁ ୧୯୮୪ ଯାଏଁ ଲଗାତାର ତିନି ବର୍ଷ ଧରି ରାଜ୍ୟ ସରକାରଙ୍କ ପକ୍ଷରୁ ତାଙ୍କୁ ଶ୍ରେଷ୍ଠ ଅଭିନେତା ପୁରସ୍କାର ମିଳିଥିଲା।