ରାଜ୍ୟରେ ମହିଳା ନିର୍ଯାତନାକୁ ବିରୋଧ କରି କଂଗ୍ରେସର ବିକ୍ଷୋଭ
ଭୁବନେଶ୍ବର (ସଂକେତ ଟିଭି): ରାଜ୍ୟରେ ମହିଳା ନିର୍ଯାତନା ବୃଦ୍ଧି ପାଇଥିବାରୁ ଏହାକୁ ବିରୋଧ କରି କଂଗ୍ରେସ ଭୁବନେଶ୍ବରରେ ବିକ୍ଷୋଭ ପ୍ରଦର୍ଶନ ସହ ମୁଖ୍ୟମନ୍ତ୍ରୀଙ୍କ ବାସଭବନ ଘେରାଉ କରିବାକୁ ଉଦ୍ୟମ କରିଛି। ମୁଖ୍ୟମନ୍ତ୍ରୀଙ୍କ ବାସଭବନ ଘେରାଉ ପାଇଁ ଯିବାବେଳେ କଂଗ୍ରେସ କର୍ମୀଙ୍କ ସହିତ ପୋଲିସର ଧସ୍ତାଧସ୍ତି ହୋଇଛି।
ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି (ପିସିସି)ର ସଭାପତି ଭକ୍ତ ଚରଣ ଦାସଙ୍କ ନେତୃତ୍ବରେ ଅନୁଷ୍ଠିତ ଏହି ପ୍ରତିବାଦରେ ପୂର୍ବତନ ଜଟଣୀ ବିଧାୟକ ସୁରେଶ ଚନ୍ଦ୍ର ରାଉତରାୟ, ଛାତ୍ର, ଯୁବ ଓ ମହିଳା କଂଗ୍ରେସ କର୍ମୀ ସାମିଲ ଥିଲେ।
ପିସିସି ସଭାପତି ଶ୍ରୀ ଦାସ କହିଛନ୍ତି, ବିଜେପି ସରକାର ଆସିବା ଦିନଠୁ ରାଜ୍ୟରେ ଏଯାଏଁ ୧୬୦୦ ମହିଳାଙ୍କ ଉପରେ ଅତ୍ୟାଚାର ହୋଇ ସାରିଲାଣି । ଓଡ଼ିଶାର ବିଭିନ୍ନ ବିଦ୍ୟାଳୟରେ ଛାତ୍ରୀମାନେ ଅସୁରକ୍ଷିତ ଅଛନ୍ତି। ଅଭିଭାବକମାନେ ଚିନ୍ତିତ ଅଛନ୍ତି। ସରକାର ଓ ପ୍ରଶାସନ ନୀରବ ରହିଛି। କିଟ୍ରେ ନେପାଳର ଇଂଜିନିୟରିଂ ଛାତ୍ରୀ ମୃତ୍ୟୁ, ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ଓ ଯାଜପୁର ଜିଲ୍ଲା ବରୀରେ ଦଶମ ଶ୍ରେଣୀ ଛାତ୍ରୀ ମା ହେବା ଘଟଣାରେ ରାଜ୍ୟ ସରକାରଙ୍କୁ ଘେରିଛନ୍ତି କଂଗ୍ରେସର ନେତା ଓ କର୍ମୀ।