ଯାହାର ମାସିକ ଆୟ ୧୦ ହଜାର ସେମାନେ ରାସନ୍କାର୍ଡ ଫେରାନ୍ତୁ
ଭୁବନେଶ୍ବର(ସଂକେତ ଟିଭି): ଗ୍ରାମାଞ୍ଚଳରେ ଯେଉଁମାନଙ୍କର ମାସିକ ଆୟ ୧୦ ହଜାର ଟଙ୍କା ସେମାନେ ତୁରନ୍ତ କାର୍ଡ ଫେରାଇ ଦିଅନ୍ତୁ। ସହରାଞ୍ଚଳରେ ଯେଉଁମାନଙ୍କର ମାସକ ୧୫ ହଜାର ଟଙ୍କା ରୋଜଗାର କରୁଛନ୍ତି, ସେମାନେ ମଧ୍ୟ ପାଖରେ ରାସନ୍କାର୍ଡ ରଖନ୍ତୁ ନାହିଁ। ବେଆଇନ୍ ଭାବେ ରାସନ୍କାର୍ଡ ହାତେଇଥିବା ଲୋକଙ୍କ ବିରୋଧରେ ସରକାର କାର୍ଯ୍ୟାନୁଷ୍ଠାନ ନେବେ। ସରକାରୀ କାର୍ଯ୍ୟାନୁଷ୍ଠାନର ଶିକାର ହେବା ପୂର୍ବରୁ ଅଯୋଗ୍ୟ ହିତାଧିକାରୀମାନେ ରାସନ୍କାର୍ଡ ଫେରାଇ ଦିଅନ୍ତୁ। ରାସନ୍କାର୍ଡ ନେଇ ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ଜନସାଧାରଣଙ୍କ ନିକଟରେ ଏହି ଅପିଲ୍ କରିଛନ୍ତି।
ରାଜ୍ୟ ସରକାର ଜାତୀୟ ଖାଦ୍ୟ ସୁରକ୍ଷା ଯୋଜନା ଅଧିନରେ ଯୋଗ୍ୟ ହିତାଧିକାରୀଙ୍କ ଚିହ୍ନଟ ପ୍ରକ୍ରିୟା ଗତବର୍ଷ ଅଗଷ୍ଟ ମାସରୁ ଜାରି ରଖିଛନ୍ତି। ଇ-କେୱାଇସି ମାଧ୍ୟମରେ ଭୂତ ହିତାଧିକାରୀଙ୍କୁ ଚିହ୍ନଟ କରୁଛନ୍ତି। ଏହାରି ମଧ୍ୟରେ ରାଜ୍ୟ ସରକାର ଇ-କେୱାଇସି ପାଇଁ ମାର୍ଚ୍ଚ ୩୧ ତାରିଖକୁ ଅନ୍ତିମ ସମୟ ନିର୍ଦ୍ଧାରଣ କରିଛନ୍ତି।