ରୋହିତ ଶର୍ମାଙ୍କ ଉପରେ ବିବାଦୀୟ ମନ୍ତବ୍ୟ: ଦଳ ନିର୍ଦେଶରେ ପୋଷ୍ଟ ହଟାଇଲେ କଂଗ୍ରେସ ମୁଖପାତ୍ର
ନୂଆଦିଲ୍ଲୀ(ସଂକେତ ଟିଭି): ଭାରତୀୟ ଦଳ ଅଧିନାୟକ ରୋହିତ ଶର୍ମାଙ୍କ ଫିଟ୍ନେସକୁ ନେଇ ବିବାଦୀୟ ବୟାନ ଦେଇ କଂଗ୍ରେସ ମୁଖପାତ୍ର ଶମା ମହମ୍ମଦ ହରଡଘଣାରେ ପଡିଛନ୍ତି । କଂଗ୍ରେସ ପାର୍ଟି ପକ୍ଷରୁ ତାଙ୍କୁ ସୋସିଆଲ୍ ମିଡିଆ ପ୍ଲାଟଫର୍ମରୁ ବିବାଦୀୟ ମନ୍ତବ୍ୟକୁ ହଟାଇବାକୁ ନିର୍ଦ୍ଦେଶ ଦିଆଯାଇଛି ଏବଂ ଭବିଷ୍ୟତରେ ଆଗକୁ ଏଭଳି ବିବାଦୀୟ ବୟାନ ଠାରୁ ଦୂରେଇ ରହିବାକୁ ପରାମର୍ଶ ଦିଆଯାଇଛି ।
କଂଗ୍ରେସ ମୁଖପାତ୍ର ଶମା ମହମ୍ମଦ ଏକ୍ସରେ ଲେଖିଥିଲେ, ରୋହିତ ଶର୍ମା ଅତ୍ୟଧିକ ମୋଟା ଓ ପ୍ରଭାବିଶୂନ୍ୟ ଅଧିନାୟକ । ରୋହିତ ଶର୍ମା ଖେଳାଳି ଭାବେ ବହୁତ ମୋଟା । ସେ ଓଜନ କମାଇବାର ଆବଶ୍ୟକତା ରହିଛି । ଏହି ବୟାନ ପରେ କଂଗ୍ରେସକୁ ଘେରିଥିଲା ଭାରତୀୟ ଜନତା ପାର୍ଟି । ବିଜେପି ମହିଳା ନେତ୍ରୀ ରାଧିକା ଖେଡ଼ା ଏକ୍ସରେ ଲେଖିଛନ୍ତି ଯେ, କଂଗ୍ରେସ ମୁଖପାତ୍ରଙ୍କ ଦ୍ୱାରା ରୋହିତ ଶର୍ମାଙ୍କ ବଡି ସେମିଂ କହିବା ଦୁଃସାହସ । କଂଗ୍ରେସ ପାର୍ଟି ଦଶନ୍ଧି ଧରି ଖେଳାଳିମାନଙ୍କୁ ଏପରି ଅପମାନିତ କରିଆସୁଛି ।
କଂଗ୍ରେସ ମୁଖପାତ୍ର ପଓ୍ବନ ଖେଡା କହିଛନ୍ତି, ଭାରତୀୟ କ୍ରିକେଟ ଟିମ୍ର ଜଣେ ବରିଷ୍ଠ ଖେଳାଳିଙ୍କୁ ନେଇ ପାର୍ଟିର ରାଷ୍ଟ୍ରୀୟ ମୁଖପାତ୍ର ଡ. ଶମା ମହମ୍ମଦ ଯେଉଁ ବୟାନ ଦେଇଛନ୍ତି, ତାହା ତାଙ୍କର ବ୍ୟକ୍ତିଗତ ମନ୍ତବ୍ୟ । ଏଥିରେ କଂଗ୍ରେସ ପାର୍ଟିର ଲେଣଦେଣ ନାହିଁ । ପାର୍ଟି ପକ୍ଷରୁ ତାଙ୍କୁ ସୋସିଆଲ୍ ମିଡିଆ ପ୍ଲାଟଫର୍ମରୁ ବିବାଦୀୟ ମନ୍ତବ୍ୟକୁ ହଟାଇବାକୁ ନିର୍ଦ୍ଦେଶ ଦିଆଯାଇଛି ଏବଂ ଭବିଷ୍ୟତରେ ଆଗକୁ ଏଭଳି ବିବାଦୀୟ ବୟାନ ଠାରୁ ଦୂରେଇ ରହିବାକୁ ପରମର୍ଶ ଦିଆଯାଇଛି ।
ଏହାଛଡ଼ା ମୁଖପାତ୍ର ପଓ୍ବନ ଖେଡା କହିଛନ୍ତି, କଂଗ୍ରେସ ପାର୍ଟି ଭାରତୀୟ କ୍ରୀଡ଼ା ଓ କ୍ରୀଡ଼ାବିତଙ୍କୁ ସମ୍ମାନ ଦେଇଆସୁଛି, ଆଗକୁ ମଧ୍ୟ ଦେବ । ପାର୍ଟି କ୍ରୀଡ଼ାବିତଙ୍କୁ ନେଇ କୌଣସି ପ୍ରକାର ବୟାନବାଜିକୁ ସମର୍ଥନ କରିବ ନାହିଁ । ଏହି ପୂରା ମାମଲାରେ
କଂଗ୍ରେସ ରାଷ୍ଟ୍ରୀୟ ମୁଖପାତ୍ର ଶମା ମହମ୍ମଦ ସ୍ପଷ୍ଟୀକରଣ ଦେଇ କହିଛନ୍ତି, ଟିମ୍ ଇଣ୍ଡିଆର ଖେଳାଳିଙ୍କ ଫିଟନେସକୁ ନେଇ ଏହା ଏକ ଜେନେରିକ୍ ଟ୍ବିଟ୍ ଥିଲା । ଏହା ବଡି ସେମିଂ ନୁହେଁ । ମନ୍ତବ୍ୟର ଯଥାର୍ଥ ମଧ୍ୟ ବୁଝାଇଛନ୍ତି ଶମା ମହମ୍ମଦ । ସେ କହିଛନ୍ତି, ଖେଳାଳିମାନେ ଫିଟ୍ ରହିବା ଜରୁରୀ । ମୋତେ ଲାଗୁଛି ରୋହିତ ଶର୍ମାଙ୍କ ଓଜନ ଅଧିକ ରହିଛି । ମାତ୍ର ବିନା କାରଣରେ ଏହାକୁ ରାଜନୀତିକରଣ କରାଯାଉଛି । ଯଦି ଅନ୍ୟ ଟିମର ଅଧିନାୟକଙ୍କ ସହିତ ରୋହିତ ଶର୍ମାଙ୍କୁ ତୁଳନା କରାଯିବ, ତାହାଲେ ଏହାହିଁ କୁହାଯିବ । ମୋ ନିକଟରେ ବାକ୍ ସ୍ବାଧୀନତା ଅଧିକାର ରହିଛି ବୋଲି ଶମା ମହମ୍ମଦ କହିଛନ୍ତି ।