କେନ୍ଦୁଝରରେ ମେଗା ଷ୍ଟିଲ ପ୍ଲାଣ୍ଟ ପ୍ରତିଷ୍ଠା ନେଇ ଖୁବ ଶୀଘ୍ର ଆରମ୍ଭ ହେବ ପ୍ରକ୍ରିୟା
ଭୁବନେଶ୍ବର(ସଂକେତ ଟିଭି): କେନ୍ଦୁଝରରେ ମେଗା ଷ୍ଟିଲ ପ୍ଲାଣ୍ଟ ନେଇ ଖୁଵ ଶୀଘ୍ର ପ୍ରକ୍ରିୟା ଆରମ୍ଭ ହେବ। ପ୍ରାୟ ୩୦ ହଜାରରୁ ୪୦ ହଜାର କୋଟି ଟଙ୍କା ବ୍ୟୟରେ ଏହି ପ୍ଲାଣ୍ଟ ନିର୍ମାଣ ହେବ । ଉତ୍କର୍ଷ ଓଡ଼ିଶା କାର୍ଯ୍ୟକ୍ରମ ସମୟରେ ଏନେଇ ଜେଏସ୍ଡବ୍ଲ୍ୟୁ ଓ ପୋସ୍କୋ କମ୍ପାନୀ ସହ ସରକାର ଏମ୍ଓୟୁ କରିଥିଲେ । ଶିଳ୍ପ ମନ୍ତ୍ରୀ ସମ୍ପଦ ସ୍ୱାଇଁ ଏଭଳି ସୂଚନା ଦେଇଛନ୍ତି।
ଗତକାଲି ମୁଖ୍ଯମନ୍ତ୍ରୀ ମୋହନ ଚରଣ ମାଝୀ ଚମ୍ପୁଆ ଚନ୍ଦ୍ରଶେଖର କଲେଜ ବାର୍ଷିକ ଉତ୍ସବରେ ଯୋଗଦେଇ କହିଥିଲେ ଯେ, ”ପାଟଣାରେ ଷ୍ଟିଲ ପ୍ଲାଣ୍ଟ ହେବ । ଏଥିପାଇଁ ଜମି ପ୍ରକ୍ରିୟାକରଣ ଆରମ୍ଭ ହୋଇଛି । ଜେଏସ୍ଡବ୍ଲ୍ୟୁ ଓ ପୋସ୍କୋର ମିଳିତ ଉଦ୍ୟମରେ ପ୍ଲାଣ୍ଟ ପ୍ରତିଷ୍ଠା ହେବ । ବାଦାମ ପାହାଡରୁ କେନ୍ଦୁଝରକୁ ରେଳ ଲିଙ୍କ ଆସୁଛି । ପାଟଣା ଅଞ୍ଚଳରେ ଜଳ ଓ ରାସ୍ତାର ସୁବିଧା ଅଛି । ସରକାରୀ ଜମି ଅଧିକ ରହିଛି, କିଛି ଅଧିଗ୍ରହଣ କରାଯିବ । ଆରଆର ପିଲିସି ଅନୁୟାୟୀ, ସମସ୍ତଙ୍କୁ ଆର୍ଥିକ ପ୍ରୋତ୍ସାହନ ସହ ସାହାଯ୍ୟ କରାଯିବ । କାରଖାନାରେ ଲୋକଙ୍କ ସମ୍ପୃକ୍ତି ରହିବ । ଲୋକଙ୍କ ମନରେ ଯେଉଁ ଖରାପ ଚିନ୍ତାଧାରା ରହିଛି ତାହ ଭଲରେ ପରିଣତ ହେବ । କେନ୍ଦୁଝର ଜିଲ୍ଲାରେ ମେଗା ଷ୍ଟିଲ ପ୍ଲାଣ୍ଟ ନିଶ୍ଚିନ୍ତ ହେବ । ଆଉ ଗୋଟିଏ ମେଗା ଷ୍ଟିଲ ପ୍ଲାଣ୍ଟ ହେବା ଯୋଜନା ଚାଲିଛି । ସେହି ସମୟ ଆସିଲେ ତା ବିଷୟରେ ମଧ୍ୟ କହିବି । ‘