ଓଏସ୍ଏସ୍ସି ଶାରୀରିକ ପରୀକ୍ଷା ବେଳେ ୨ ମୃତ, ସହାୟତା ରାଶି ଘୋଷଣା କଲେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ବର (ସଂକେତ ଟିଭି): ଓଏସ୍ଏସ୍ସି ପରୀକ୍ଷାର ଫିଜିକାଲ୍ ଟେଷ୍ଟ ଚାଲୁଥିବା ବେଳେ ଚାଲିଗଲା ଦୁଇ ପ୍ରାର୍ଥୀଙ୍କ ଜୀବନ । ରାଜ୍ୟର ବିଭିନ୍ନ ସ୍ଥାନରେ ଫରେଷ୍ଟର, ଫରେଷ୍ଟ ଗାର୍ଡ ଓ ଲାଇଭ୍ ଷ୍ଟକ ଇନ୍ସ୍ପେକ୍ଟର ପଦବୀ ନିଯୁକ୍ତି ପାଇଁ ଶାରିରୀକ ପରୀକ୍ଷା ଚାଲିଥିବା ସମୟରେ କେନ୍ଦୁଝରର ବ୍ୟୋମକେଶ ନାୟକ ଓ ସୁନ୍ଦରଗଡ଼ର ପ୍ରବୀଣ କୁମାର ପଣ୍ଡାଙ୍କ ଦେହାନ୍ତ ହୋଇଛି।
ସୂଚନା ଅନୁସାରେ ରାଉରକେଲାର ବ୍ୟାଚ୍ ନମ୍ବର ଏ ୦୨ ପ୍ରବୀଣ କୁମାର ପଣ୍ଡା। ଫରେଷ୍ଟ ଗାର୍ଡ ଏବଂ ଫରେଷ୍ଟର ପଦବୀ ପାଇଁ ସେ ଆବେଦନ କରିଥିଲେ। ଉକ୍ତ ପୋଷ୍ଟ ପାଇଁ ମଙ୍ଗଳବାର ଦିନ ଚାଲିଥିଲା ଫିଜିକାଲ୍ ଟେଷ୍ଟ । ଭବାନୀପୁରରୁ ବାରଗାଡ ୨୫ କିଲୋମିଟର ଦୌଡ଼ରେ ଭାଗ ନେଇଥିଲେ ପ୍ରବୀଣ । ହେଲେ ସଦର ଥାନା କିରେଇ ନିକଟରେ ହଠାତ୍ ଅଚେତ ହୋଇପଡ଼ିଥିଲେ ପ୍ରବୀଣ। ଏହାପରେ ତାଙ୍କୁ ତୁରନ୍ତ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ହେଲେ ସେଠାରେ ଡାକ୍ତର ପ୍ରବୀଣଙ୍କୁ ମୃତ ଘୋଷଣା କରିଛନ୍ତି। ପୁଅର ମୃତ୍ୟୁ ଖବର ପାଇବା ପରେ ପ୍ରବୀଣଙ୍କ ଘରଲୋକ ଭାଙ୍ଗି ପଡ଼ିଛନ୍ତି।
ସେପଟେ ଶାରୀରିକ ଚାଲିବା ପରୀକ୍ଷା ଚାଲିଥିବା ବେଳେ ପରୀକ୍ଷାର୍ଥୀ କେନ୍ଦୁଝରର ବ୍ୟୋମକେଶ ନାଏକ ଅସୁସ୍ଥ ଅନୁଭବ କରିଥିଲେ । ତାଙ୍କୁ ତୁରନ୍ତ କେନ୍ଦୁଝର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା । ଏଠାରେ ପ୍ରାଥମିକ ଚିକିତ୍ସା ପରେ ବ୍ୟୋମକେଶଙ୍କୁ କଟକ ସ୍ଥାନାନ୍ତର କରାଯାଇଥିଲା । କଟକ ବଡ଼ ଡାକ୍ତରଖାନାରେ ତାଙ୍କର ମୃତ୍ୟୁ ହୋଇଛି ।
ଏହି ଘଟଣାରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଗଭୀର ଦୁଃଖ ପ୍ରକାଶ କରିବା ସହିତ ସେମାନଙ୍କ ପରିବାର ସଦସ୍ୟଙ୍କ ପ୍ରତି ସମବେଦନା ଜଣାଇଛନ୍ତି। ଏହା ସହିତ ମୁଖ୍ୟମନ୍ତ୍ରୀ ଏହି ଦୁଇ ମୃତକଙ୍କ ପରିବାରର ନିକଟତମ ଆତ୍ମୀୟଙ୍କ ପାଇଁ ୪ ଲକ୍ଷ ଟଙ୍କା ଲେଖାଏଁ ଅନୁକମ୍ପାମୂଳକ ସହାୟତା ରାଶି ଘୋଷଣା କରିଛନ୍ତି। ଏହି ସହାୟତା ରାଶି ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍ ପାଣ୍ଠିରୁ ପ୍ରଦାନ କରାଯିବ।