ପଞ୍ଚାୟତିରାଜ ଦିବସ ତାରିଖ ପରିବର୍ତ୍ତନ କରିବାକୁ ନେଇ ବିଜେଡି ବିଜେପି ମୁହାଁମୁହିଁ
ଭୁବନେଶ୍ବର (ସଂକେତ ଟିଭି): ମାର୍ଚ୍ଚ ୫କୁ ପଞ୍ଚାୟତିରାଜ ଦିବସ ଭାବେ ପାଳନ ନକରିବା ନେଇ ରାଜ୍ୟ ସରକାର ବିଜ୍ଞପ୍ତି ପ୍ରକାଶ କରିବା ପରେ ରାଜ୍ୟରେ ରାଜନୀତି ସରଗରମ ହୋଇଛି । ବିଜେଡି ଏଥି ପାଇଁ ବିଜେପିକୁ ସିଧାସଳଖ ଟାର୍ଗେଟ କରିଛି ।
ବିଜେଡି ନେତା ରାଜା ସ୍ୱାଇଁ କହିଛନ୍ତି ଯେ ହୀନମନ୍ୟତାର ପରିଚୟ ଦେଇଛି ବିଜେପି ସରକାର । କାରଣ ସେମାନଙ୍କ ସ୍ୱାଧୀନତା ସଂଗ୍ରାମୀ ନେତା କେହି ନାହାନ୍ତି । ସରକାର ଏବେ ପରିଚୟ ସଂକଟରେ ଅଛନ୍ତି । ଅସନ୍ତୋଷ ବଢୁଛି ଲୋକଙ୍କ ଭିତରେ । ବିଜୁ ପଟ୍ଟନାୟକଙ୍କ ଅନ୍ୟ ନାଁ ଓଡ଼ିଆ ଅସ୍ମିତା ।
ଚଳିତ ବର୍ଷ ୨୦୨୫ ମସିହାରେ କେଉଁ ଦିନ ଗୁଡିକ ପବ୍ଲିକ ହଲିଡେ ତାହାର ନୋଟିଫିକେସନ ଏହି ସରକାର ବର୍ଷ ଆରମ୍ଭରୁ ଜାରି କରିଛନ୍ତି । ଏହି ପବ୍ଲିକ ନୋଟିଫିକେସନ ଇସ୍ୟୁ ହେବା ପୂର୍ବରୁ ରାଜ୍ୟ ସରକାର ସ୍ଥିର ଚିତ୍ତରେ ବିଚାର କରି କେଉଁ ଦିନ ଗୁଡିକ ପବ୍ଲିକ ହଲିଡେ ଗୁଡିକ ତାହା ନିର୍ଦ୍ଧାରଣ କରିଥିଲେ, ତନ୍ମଧରେ ମାର୍ଚ୍ଚ ୫ ତାରିଖକୁ ପଞ୍ଚାୟତ ରାଜ ଦିବସ ଭାବେ ଛୁଟିଦିନ ଭାବେ ନିର୍ଦ୍ଧାରଣ କରିଥିଲେ ।
କିନ୍ତୁ ହଠାତ କ’ଣ ହେଲା ଯେ, ଠିକ ୨ ଦିନ ପୂର୍ବରୁ ଅର୍ଥାତ ମାର୍ଚ୍ଚ ୩ ତାରିଖ ଦିନ ଅପ୍ରତ୍ୟାଶିତ ଭାବେ ମାର୍ଚ୍ଚ ୫ ତାରିଖକୁ ଛୁଟିଦିନ କ୍ୟାନସେଲ୍ କରି ଏହାକୁ ପଞ୍ଚାୟତ ରାଜ ଦିବସ ଭାବେ ପାଳନ ନ କରିବାକୁ ନିଷ୍ପଭି ନେଲେ ।
ବିଜେଡି ନେତ୍ରୀ ପ୍ରମିଳା ମଲ୍ଲିକ ମଧ୍ଯ ବିଜେପି ଉପରେ ବର୍ଷିଛନ୍ତି । ସେ କହିଛନ୍ତି, ବିଜୁବାବୁଙ୍କ ନାଁକୁ ନେଇ ବିଜେପି ଡରୁଛି । ଯେଉଁଥିପାଇଁ ବିଜୁବାବୁଙ୍କ ଅସ୍ତିତ୍ୱକୁ ଲୁଚାଇବାକୁ ବିଜେପି ଏପରି ହୀନ ଚକ୍ରାନ୍ତ କରିଛି ।
ସେପଟେ ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ କହିଛନ୍ତି, ବିଜୁ ବାବୁ ଓଡ଼ିଶାର ବରପୁତ୍ର ଥିଲେ। ଏଥିରେ କାହାର ସନ୍ଦେହ ନାହିଁ । ପକ୍ଷ ପ୍ରତିପକ୍ଷ କିଛି ନାହିଁ। ବିଜୁ ବାବୁ ବିଜେଡିର ସମ୍ପତ୍ତି ନ ଥିଲେ, ସେ ଥିଲେ ଜାତୀୟ ସମ୍ପତ୍ତି । ଓଡ଼ିଶା ପାଇଁ ଗୌରବ ଆଣିଥିଲେ । ତାଙ୍କ ପ୍ରତି ଅସମ୍ମାନର ପ୍ରଶ୍ନ ନାହିଁ । ଜାତୀୟ ପଞ୍ଚାୟତିରାଜ ଦିବସ ଏପ୍ରିଲ ୨୪ରେ ପାଳନ ହେଉଥିବା ବେଳେ ବିଜେଡି କିମ୍ବା ଜନତା ଦଳ ଏପ୍ରିଲ ୨୪ ରେ ପଞ୍ଚାୟତିରାଜ ଦିବସ ପାଳନ କରିନି ସ୍ବାଧୀନତା ଦିବସ ଓ ଗଣତନ୍ତ୍ର ଦିବସ ଅଲଗା ଦିନରେ ପାଳନ ହେବ କି ବୋଲି ସେ ଓଲଟି ପ୍ରଶ୍ନ କରିଛନ୍ତି ।