FeaturedLatestNews

ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ାଙ୍କ ଦିନିକିଆ ବାଲେଶ୍ୱର ଜିଲ୍ଲା ଗସ୍ତ

ବାଲେଶ୍ବର(ସଂକେତ ଟିଭି): ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଆଜି ଦିନିକିଆ ବାଲେଶ୍ୱର ଜିଲ୍ଲା ଗସ୍ତରେ ଆସି ମହିଳା ଓ ଶିଶୁ ବିକାଶ, ମିଶନ ଶକ୍ତି ଏବଂ ପର୍ଯ୍ୟଟନ ବିଭାଗ ଅଧିନସ୍ଥ ଜିଲ୍ଲାରେ କାର୍ଯ୍ୟକାରୀ ହେଉଥିବା ବିଭିନ୍ନ ପ୍ରକଳ୍ପର ସମୀକ୍ଷା କରିଛନ୍ତି ।

ଏହି ଅବସରରେ ବାଲେଶ୍ବରର ଏକ ଘରୋଇ ପାର୍କଠାରେ ଅନୁଷ୍ଠିତ ସମୀକ୍ଷା ବୈଠକରେ ମହିଳା ଓ ଶିଶୁ ବିକାଶ ବିଭାଗ ଅଧିନସ୍ଥ ସୁଭଦ୍ରା ଯୋଜନା, ମମତା ମିଶନ, ପୋଷଣ, ଅଙ୍ଗନବାଡି ଆଦି ବିଷୟର କାର୍ଯ୍ୟକାରିତା ଉପରେ ପ୍ରାରମ୍ଭରେ ଆଲୋଚନା କରାଯାଇଥିଲା । ସେହିଭଳି ମିଶନ ଶକ୍ତି ଅଧିନସ୍ଥ ଓଡିଶା ଜୀବିକା ମିଶନ, ଲକ୍ଷପତି ଦିଦି, ମିଶନ ଶକ୍ତି ରିଟେଲ ମାର୍ଟ, ବ୍ଲକଓ୍ବାରୀ ମିଶନ ଶକ୍ତି ଭବନ ଭଳି ବିଭିନ୍ନ ଦିଗଗୁଡିକ ଉପରେ ମଧ୍ୟ ଆଲୋଚନା ହୋଇଥିଲା । ପରିଶେଷରେ ପର୍ଯ୍ୟଟନ ବିଭାଗ ଅଧୀନରେ ଥିବା ଜିଲ୍ଲାର ବିଭିନ୍ନ ପର୍ଯ୍ୟଟନ ସ୍ଥଳୀର ସୁନ୍ଦରିକରଣ ଓ ବିକାଶ ପ୍ରକ୍ରିୟାକୁ ତ୍ୱରାନ୍ୱିତ କରିବା ପାଇଁ ରାଜ୍ୟ ସରକାର ଓ ଜିଲ୍ଲା ପ୍ରଶାସନ ପକ୍ଷରୁ ସମସ୍ତ ପଦକ୍ଷେପ ଉପରେ ବିସ୍ତୃତ ଆଲୋଚନା ହୋଇଥିଲା । ବୈଠକ ପରେ ମାନ୍ୟବର ଉପ ମୁଖ୍ୟମନ୍ତ୍ରୀ ଶ୍ରୀମତୀ ପରିଡା ଜାରି ରହିଥିବା ପ୍ରକଳ୍ପଗୁଡ଼ିକର ତ୍ୱରାନ୍ୱିତ ସମାପ୍ତି ପାଇଁ ଉପସ୍ଥିତ ଅଧିକାରୀଙ୍କୁ ପରାମର୍ଶ ଦେଇଥିଲେ ।

ଉକ୍ତ ବୈଠକରେ ବାଲେଶ୍ବର ସାଂସଦ ପ୍ରତାପ ଷଡ଼ଙ୍ଗୀ, ଶାସକ ଦଳର ଉପମୁଖ୍ୟ ସଚେତକ ତଥା ରେମୁଣା ବିଧାୟକ ଗୋବିନ୍ଦ ଚନ୍ଦ୍ର ଦାସ, ବିଧାୟକ ସିମୁଳିଆ ପଦ୍ମଲୋଚନ ପଣ୍ଡା, ବିଧାୟକ ସଦର ମାନସ ଦତ୍ତ ଓ ବିଧାୟକ ନୀଳଗିରି ସନ୍ତୋଷ ଖଟୁଆଙ୍କ ସମେତ ଆରକ୍ଷୀ ଅଧିକ୍ଷକ ରାଜ ପ୍ରସାଦ, ଅତିରିକ୍ତ ଜିଲ୍ଲାପାଳ ସୁଧାକର ନାୟକ, ମୁଖ୍ୟ ଉନ୍ନୟନ ଅଧିକାରୀ ତଥା କାର୍ଯ୍ୟନିର୍ବାହୀ ଅଧିକାରୀ, ଜ଼ିଲ୍ଲା ପରିଷଦ ବିଶ୍ୱରଞ୍ଜନ ନାୟକ ମଞ୍ଚାସୀନ ଥିବା ବେଳେ ବରିଷ୍ଠ ବିଭାଗୀୟ ଅଧିକାରୀମାନେ ବୈଠକରେ ଉପସ୍ଥିତ ଥିଲେ ।