ରାଜ୍ୟ ସରକାରଙ୍କ ବିଜୁ ଜୟନ୍ତୀକୁ ଆସିଲେନି ନବୀନ
ଭୁବନେଶ୍ବର(ସଂକେତ ଟିଭି): ରାଜ୍ୟ ସରକାରଙ୍କ ପକ୍ଷରୁ କରାଯାଉଥିବା ପ୍ରବାଦପୁରୁଷ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକଙ୍କ ଜୟନ୍ତୀରେ ଯୋଗ ଦେଲେ ନାହିଁ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ । ଏହି ଅବସରରେ ଗତକାଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ପଟ୍ଟନାୟକ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କୁ ନିମନ୍ତ୍ରଣ କରିଥିଲେ। ଜୟଦେବ ଭବନଠାରେ ଆଜି ଏନେଇ ଏକ ରାଜ୍ୟସ୍ତରୀୟ ସଭାର ଆୟୋଜନ କରାଯାଇଥିଲା। ନବୀନ ମୋହନଙ୍କ ନିମନ୍ତ୍ରଣ ରକ୍ଷା କରିବେ ନା ପ୍ରତ୍ୟାଖ୍ୟାନ କରିବେ ତାହା ଉପରେ ସମସ୍ତଙ୍କ ନଜର ଥିଲା। ହେଲେ ନବୀନ ଯୋଗଦେଇନଥିଲେ । ତାଙ୍କ ସ୍ଥାନରେ ବିଜେଡି ନେତା ପ୍ରଫୁଲ୍ଲ ଘଡ଼େଇ ଯୋଗ ଦେଇଥିଲେ। ତେବେ ନବୀନ ବସିବା ପାଇଁ ରଖାଯାଇଥିବା ଚୌକିକୁ କାଢ଼ି ନିଆଯାଇଛି।
ସେପଟେ ବିଜେଡିର ରାଜ୍ୟ କାର୍ଯ୍ୟାଳୟ ଶଙ୍ଖ ଭବନରେ ଆଜି ବିଜୁ ବାବୁଙ୍କ ଜୟନ୍ତୀ ପାଳନ ହୋଇଛି । ବିଜୁ ଜନତା ଦଳ ସଭାପତି ତଥା ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ କାର୍ଯ୍ୟକ୍ରମରେ ସାମିଲ ହୋଇ ଅଭିଭାଷଣ ରଖିଛନ୍ତି । ସେ କହିଥିଲେ ଯେ ବିଜେପି ଓଡିଶାରେ କ୍ଷମତାକୁ ଆସିବା ପରେ ବିଜୁ କ୍ରୀଡା ପୁରସ୍କାର ନାଁ ପରିବର୍ତ୍ତନ କରିବାକୁ ଚେଷ୍ଟା କଲେ । ଏହା ଦୁର୍ଭାଗ୍ୟଜନକ କଥା । ଜନସାଧାରଣ ବିରୋଧ କରିବାରୁ ଏହି ନିଷ୍ପତ୍ତିରୁ ସରକାର ଓହରିଲେ । ରାଜ୍ୟର ବିଭିନ୍ନ ସ୍ଥାନରେ ବିଜୁ ପଟ୍ଟନାୟକଙ୍କ ପ୍ରତିମୂର୍ତ୍ତି ଭଙ୍ଗା ଯାଉଛି । କିନ୍ତୁ ସରକାର ଚୁପ । ଦୁର୍ବୁତ୍ତଙ୍କ ବିରୋଧରେ ସରକାର କୌଣସି ପଦକ୍ଷେପ ବର୍ତ୍ତମାନ ପର୍ଯ୍ୟନ୍ତ ନେଉନାହାନ୍ତି । 1993 ମସିହାରୁ ମାର୍ଚ୍ଚ 5ରେ ରାଜ୍ୟରେ ପଞ୍ଚାୟତିରାଜ ଦିବସ ପାଳନ ହୋଇଆସୁଛି । ଏବେ ଏହାକୁ ପରିବର୍ତ୍ତନ ପାଇଁ ନିଷ୍ପତ୍ତି ନେଇଛନ୍ତି । 30 ବର୍ଷ ପରମ୍ପରା ଭାଙ୍ଗି ବିଜେପି ସରକାର କଣ କରିବାକୁ ଯାଉଛନ୍ତି ? ନାଁ ପରିବର୍ତ୍ତନ, ତାରିଖ ପରିବର୍ତ୍ତନ, ପୁରସ୍କାର ବନ୍ଦ ସହ ପ୍ରତିମୂର୍ତ୍ତି ଭାଙ୍ଗି ପାରିବେ ସରକାର । କିନ୍ତୁ ଓଡିଶାର ଲୋକଙ୍କ ହୃଦୟରେ ବିଜୁ ବାବୁଙ୍କ ପ୍ରତୀ ଥିବା ଭଲ ପାଇବା ଦୁରେଇ ପାରିବେ ନାହିଁ । ବିଜୁ ବାବୁ ଲୋକଙ୍କ ହୃଦୟରେ ଅଛନ୍ତି । ତାକୁ କେମିତି ସରକାର ପରିବର୍ତ୍ତନ କରିବେ ? ଏ ଭଳି ଘଟଣା ଦ୍ୱାରା ବିଜୁ ବାବୁଙ୍କ ପ୍ରତୀ ଲୋକଙ୍କ ଭଲ ପାଇବ ଆହୁରି ବଢ଼େଇବ ।”