ଛୁଟି ନ ମିଳିବାରୁ ସାଲାଇନ ଲଗାଇ ସ୍କୁଲ ଆସିଲେ ଶିକ୍ଷକ
ବଲାଙ୍ଗିର (ସଂକେତ ଟିଭି): ପ୍ରିନ୍ସିପାଲ ଛୁଟି ନଦେବାରୁ ହାତରେ ସାଲାଇନ ଲଗାଇ ସ୍କୁଲକୁ ଆସିଲେ ଅସୁସ୍ଥ ଶିକ୍ଷକ । ବଲାଙ୍ଗିର ଜିଲ୍ଲା ପାଟଣାଗଡ଼ ବ୍ଲକ ଭଇଁଷା ଆଦର୍ଶ ବିଦ୍ୟାଳୟରେ ଏଭଳି ଘଟଣା ଦେଖିବାକୁ ମିଳିଛି ।
ସ୍କୁଲର ଗଣିତ ଶିକ୍ଷକ ପ୍ରକାଶ ଭୋଇଙ୍କୁ ଜ୍ବର ହୋଇଛି । ଏହାସହ ତାଙ୍କ ଅଜାଙ୍କ ଦେହାନ୍ତ ମଧ୍ୟ ହୋଇଛି । ଏହି କାରଣରୁ ସେ ସ୍କୁଲ ଆସିପାରିବେ ନାହିଁ ବୋଲି ହ୍ଵାଟସ୍ ଅପରେ ପ୍ରିନ୍ସପାଲଙ୍କୁ ଛୁଟି ମାଗିଥିଲେ । ହେଲେ ପ୍ରିନ୍ସପାଲ ବିଜୟଲକ୍ଷ୍ମୀ ପ୍ରଧାନ ଛୁଟି ଦେବାକୁ ମନା କରିବା ସହ ଆସିବାକୁ ପଡ଼ିବ ବୋଲି ତାଗିଦ କରିଥିଲେ । ଫଳରେ ଅନ୍ୟ ଉପାୟ ନପାଇ ପ୍ରକାଶ ଗତକାଲି ବଲାଙ୍ଗୀର ଡିପିସି କାର୍ଯ୍ୟାଳୟକୁ ଆସି କାମ କରିଥିଲେ । ଏପରିକି କାମ ମଝିରେ ତାଙ୍କୁ ହସ୍ପିଟାଲ ମଧ୍ୟ ଯିବାକୁ ପଡ଼ିଥିଲା । ଆଜି ବି ପ୍ରକାଶ ଛୁଟି ମାଗିଥିଲେ । କିନ୍ତୁ ପ୍ରିନ୍ସପାଲ ଛୁଟି ଦେବାକୁ ସଫା ସଫା ମନା କରି ଦେଇଥିଲେ ।
ଫଳରେ ପ୍ରକାଶଙ୍କୁ ବାଧ୍ୟ ବାଧକତାରେ ଆଜି ମଧ୍ୟ ସ୍କୁଲ ଆସିବାକୁ ପଡ଼ିଲା । ହେଲେ, ଦୃର୍ବଳତା ଯୋଗୁଁ ସେ ଠିକରେ ଚାଲି ପାରୁ ନଥିବା ବେଳେ ହାତରେ ସାଲାଇନ ଲାଗିଛି । ସେହି ଅବସ୍ଥାରେ ପ୍ରକାଶ ଡ୍ୟୁଟି କରିବାକୁ ସ୍କୁଲ ଆସିଥିଲେ । ଦୁଇ ଜଣ ବ୍ୟକ୍ତି ଦୁଇ ପଟରୁ ତାଙ୍କୁ ଧରି ସ୍କୁଲ ଆଣୁଥିବା ଦେଖିବାକୁ ମିଳିଥିଲା ।
ପ୍ରିନ୍ସପାଲ ବିଜୟଲକ୍ଷ୍ମୀ ପ୍ରଧାନ ଆକ୍ରୋଶମୂଳକ ଭାବେ ତାଙ୍କୁ ହଇରାଣ କରୁଥିବା ସେ ଅଭିଯୋଗ କରିଛନ୍ତି । ପାଟଣାଗଡ଼ ବ୍ଲକ ଶିକ୍ଷାଅଧିକାରୀ ଶଙ୍କର ପ୍ରସାଦ ମାଝୀ ଘଟଣାର ତଦନ୍ତ କରି ଦୋଷୀ ବିରୋଧରେ ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କହିଛନ୍ତି ।