ବିରୋଧୀଙ୍କ ପ୍ରବଳ ହଟ୍ଟଗୋଳ ଯୋଗୁଁ ଚାଲିପାରିଲା ନାହିଁ ବିଧାନସଭା, ସୋମବାର ଯାଏଁ ମୁଲତବୀ
ଭୁବନେଶ୍ୱର (ସଂକେତ ଟିଭି): ଓଡ଼ିଶା ବିଧାନସଭାର ବଜେଟ ଅଧିବେଶନର ଦ୍ୱିତୀୟ ପର୍ଯ୍ୟାୟ ଗୁରୁବାର ପ୍ରବଳ ହଟ୍ଟଗୋଳ ସହିତ ଆରମ୍ଭ ହୋଇଥିଲା। ବିରୋଧୀ ବିଜେଡି ଏବଂ କଂଗ୍ରେସ ବିଧାୟକମାନେ ପୃଥକ ପୃଥକ ପ୍ରସଙ୍ଗ ଉପରେ ଗୃହ ଭିତରେ ହଟ୍ଟଗୋଳ କରିଥିଲେ। ବିଧାନସଭା ଚାଲିପାରିଲାନି । ଶେଷରେ ବାଚସ୍ପତି ସୋମବାର ଯାଏଁ ଗୃହ ମୁଲତବୀ ରଖିଥିଲେ ।
ପଞ୍ଚାୟତିରାଜ ଦିବସ ପାଳନର ତାରିଖ ମାର୍ଚ୍ଚ ୫ ରୁ ଏପ୍ରିଲ ୨୪ କୁ ଘୁଞ୍ଚାଇବା ପାଇଁ ଓଡ଼ିଶା ସରକାରଙ୍କ ନିଷ୍ପତ୍ତିକୁ ବିଜେଡି ବିଧାୟକମାନେ ବିରୋଧ କରିଥିଲେ ଏବଂ ଏହାକୁ ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକଙ୍କ ପ୍ରତି ଅପମାନ ବୋଲି କହିଥିଲେ। ଅନ୍ୟପକ୍ଷରେ, ରାଜ୍ୟରେ ମହିଳାମାନଙ୍କ ପ୍ରତି ଅତ୍ୟାଚାର ବୃଦ୍ଧି ପାଇଥିବା ଅଭିଯୋଗରେ କଂଗ୍ରେସ ସଦସ୍ୟମାନେ ଚିନ୍ତା ପ୍ରକଟ କରିଥିଲେ।
ଗୃହ ଆରମ୍ଭ ହେବା ମାତ୍ରେ ଉଭୟ ଦଳର ସଦସ୍ୟମାନେ ନିଜ ନିଜ ଆସନରୁ ସ୍ଲୋଗାନ ଦେଇ ପ୍ରଶ୍ନକାଳକୁ ସ୍ଥଗିତ ରଖିଥିଲେ। ସେପଟେ ରାଜ୍ୟରେ ନାରୀ ନିର୍ଯ୍ୟାତନା ଓ ଆଇନଶୃଙ୍ଖଳା ପ୍ରସଙ୍ଗକୁ ପ୍ରମୁଖ ମୁଦ୍ଦା କରିଥିଲା କଂଗ୍ରେସ । ଉଭୟ ଦଳ ପ୍ଲାକାର୍ଡ ଧରି ଗୃହରେ ହୋହଲ୍ଲା କରିବା ସହ ବିଧାନସଭା ବାହାରେ ମଧ୍ୟ ପ୍ରତିବାଦ କରିଥିଲେ । ପୋଡିୟମ ନିକଟରେ ହଟ୍ଟଗୋଳ ସହିତ ନାରାବାଜି କରିଥିଲେ ବିରୋଧୀ।
ହଟ୍ଟଗୋଳ ଆଲୋଚନାକୁ ଆଗକୁ ବଢ଼ାଇବା ଅସମ୍ଭବ ହେବାରୁ ବାଚସ୍ପତି ସୁରମା ପାଢ଼ୀ ଗୃହକୁ ମଧ୍ୟାହ୍ନ ୧୨ଟା ପର୍ଯ୍ୟନ୍ତ ମୁଲତବୀ ରଖିଥିଲେ। ଦ୍ଵିତୀୟ ଥର ଗୃହକାର୍ଯ୍ୟ ଆରମ୍ଭ ବେଳେ ମଧ୍ୟ ପୁଣି ବିରୋଧୀ ହଟ୍ଟଗୋଳ କରିବାରୁ ଅପରାହ୍ନ ୪ଟା ଯାଏଁ ବାଚସ୍ପତି ଗୃହକୁ ମୁଲତବୀ କରିଥିଲେ । ଏହାପରେ ବିଜେଡି ବିଧାୟକମାନେ ବିଜୁ ବାବୁଙ୍କ ପ୍ରତିମୂର୍ତ୍ତି ତଳେ ଧାରଣା ଦେଇଥିବା ବେଳେ କଂଗ୍ରେସ ବିଧାୟକ ଗାନ୍ଧୀ ମୂର୍ତ୍ତି ତଳେ ଧାରଣା ଦେଇଥିଲେ। ହେଲେ ୪ଟା ପରେ ବି, ସେହି ସମାନ ଅବସ୍ଥା ଦେଖିବାକୁ ମିଳିଥିଲା । ଯେଉଁଥିପାଇଁ ଆଜି ଗୃହକାର୍ଯ୍ୟ ଅଚଳ ରହିଥିଲା । ଅପରାହ୍ନ ୪ଟାରେ ଗୃହକାର୍ଯ୍ୟ ଆରମ୍ଭ ହେବା ମାତ୍ରେ ପୁଣି ହଟ୍ଟଗୋଳ ଆରମ୍ଭ ହେବାରୁ ବାଧ୍ୟ ହୋଇ ଗୃହକୁ ବାଚସ୍ପତି ସୋମବାର ଯାଏ ମୁଲତବି ଘୋଷଣା କରିଛନ୍ତି ।