FeaturedHealthLatestNews

ବାରିପଦା ମୁଖ୍ୟ ଚିକିତ୍ସାଳୟରେ ପିଲା ଚୋରି ଅଭିଯୋଗ: ଜଣେ ମହିଳା ଅଟକ

ବାରିପଦା (ସଂକେତ ଟିଭି): ବାରିପଦା ମୁଖ୍ୟ ଚିକିତ୍ସାଳୟରେ ପିଲା ଚୋରି ଅଭିଯୋଗ ହୋଇଛି । ଏହି ଘଟଣାରେ ଜଣେ ମହିଳାଙ୍କୁ ବାରିପଦା ଟାଉନ ଥାନା ପୁଲିସ ଅଟକ କରିଛି । ଅଭିଯୁକ୍ତା ମହିଳା ରାସଗୋବିନ୍ଦପୁର ଥାନା ଅନ୍ତର୍ଗତ ତୁଟାପଡା ଗ୍ରାମର ସନ୍ଧ୍ୟାରାଣୀ ମହାନ୍ତ ବୋଲି ଚିହ୍ନାଯାଇଛି ।

ଘଟଣାର ବିବରଣୀ ଅନୁସାରେ, ବାରିପଦା ଓ୍ବାର୍ଡ ନମ୍ବର-୨୦ରେ ଶୁନଗଡିଆ ଅଞ୍ଚଳର ସେଖ କମରୁଦ୍ଦିନଙ୍କ ସ୍ତ୍ରୀ ତୃତୀୟ ସନ୍ତାନ ପ୍ରସବ ପାଇଁ ଚିକିତ୍ସାଳୟରେ ଭର୍ତ୍ତି ହୋଇଥିଲେ । ସେହି ସମୟରେ ସେଖ କମରୁଦ୍ଦିନ ମଧ୍ୟ ଡାକ୍ତରଖାନାରେ ଥିଲେ । ଶନିବାର ରାତି ୧୧ଟା ସମୟରେ ପରିସ୍ରା ଲାଗିବାରୁ ସେ ବାହାରକୁ ଯାଇଥିଲେ । ଫେରିବା ପରେ ସେ ତାଙ୍କ ଦୁଇଟି ଶିଶୁଙ୍କୁ ବେଡ୍ ପାଖରେ ପାଇନଥିଲେ ।

ଏହି ଘଟଣା ପରେ ସେଖ କମରୁଦ୍ଦିନ ତୁରନ୍ତ ସମ୍ପର୍କୀୟଙ୍କୁ ଖବର ଦେଇଥିଲେ । ସମସ୍ତେ ମିଶି ଖୋଜାଖୋଜି କରିବା ପରେ ଡାକ୍ତରଖାନାର ୪ମ ମହଲାରେ ଜଣେ ଅପରିଚିତ ମହିଳା ପିଲାଙ୍କୁ ଧରି ନେଉଥିବା ଦେଖାଯାଇଥିଲା । ସେଠାରୁ ପିଲାଙ୍କୁ ଉଦ୍ଧାର କରାଯାଇଥିଲା ଏବଂ ମହିଳାଙ୍କୁ ଡାକ୍ତରଖାନା ଫାଣ୍ଡିରେ ଜିମା ଦିଆଯାଇଥିଲା ।

ବାରିପଦା ଟାଉନ ଥାନା ପୁଲିସ ଅଭିଯୁକ୍ତା ସନ୍ଧ୍ୟାରାଣୀ ମହାନ୍ତଙ୍କୁ ଅଟକ କରି ଅଧିକ ତଦନ୍ତ ଜାରି ରଖିଛି । ମହିଳାଙ୍କ ବିରୋଧରେ ଆସିଥିବା ଅଭିଯୋଗ ସତ୍ୟ ନା ମିଥ୍ୟା, ତାହା ଜାଣିବା ପାଇଁ ପୁଲିସ ଯାଞ୍ଚ ଚଳାଇଛି । ବର୍ତ୍ତମାନ ଯାଏଁ ଏହି ଘଟଣା ସମ୍ପର୍କରେ ପୁଲିସ ପକ୍ଷରୁ କୌଣସି ବିସ୍ତୃତ ସୂଚନା ମିଳିନାହିଁ ।

ଏହି ଘଟଣା ପରେ ଚିକିତ୍ସାଳୟ ପରିସରରେ ସୁରକ୍ଷା ବ୍ୟବସ୍ଥା ଜାରି କରାଯାଇଛି ଏବଂ ଅଧିକ ନିରୀକ୍ଷଣ ପାଇଁ ପୁଲିସ ଚୋକି ବସାଯାଇଛି । ସ୍ଥାନୀୟ ଲୋକଙ୍କ ମଧ୍ୟରେ ଏହି ଘଟଣା ନେଇ ଚର୍ଚ୍ଚା ଚାଲିଛି ଏବଂ ସୁରକ୍ଷା ବ୍ୟବସ୍ଥା ଜାରି କରାଯିବା ପାଇଁ ଲୋକେ ଦାବି କରୁଛନ୍ତି ।