ପୂର୍ବତନ ମନ୍ତ୍ରୀ ଅନନ୍ତ ଦାସଙ୍କ ପରଲୋକ
ଭୁବନେଶ୍ବର(ସଂକେତ ଟିଭି): ପୂର୍ବତନ ମନ୍ତ୍ରୀ ଏବଂ ଭୋଗରାଇର ପୂର୍ବତନ ବିଧାୟକ ଅନନ୍ତ ଦାସଙ୍କର ରବିବାର ଭୋର ୩ଟା ୩୦ ମିନିଟରେ ପରଲୋକ ଘଟିଛି । ସେ ଭୁବନେଶ୍ୱରର ବାସଭବନରେ ୮୫ ବର୍ଷ ବୟସରେ ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି । ଦୀର୍ଘ ଦିନ ଧରି ବାର୍ଦ୍ଧକ୍ୟ ଜନିତ ରୋଗରେ ପୀଡ଼ିତ ହୋଇ ସେ ଏକ ଘରୋଇ ହସପିଟାଲରେ ଚିକିତ୍ସିତ ହେଉଥିଲେ । ତାଙ୍କ ପୁତ୍ର ବିଶ୍ୱଜିତ୍ ଦାସ ଏହି ଦୁଃଖଦ ଖବର ଗଣମାଧ୍ୟମକୁ ଦେଇଛନ୍ତି । ତାଙ୍କ ବିୟୋଗରେ ରାଜନୈତିକ ମହଲରେ ଶୋକର ଛାୟା ଖେଳିଯାଇଛି ।
ଅନନ୍ତ ଦାସ ଭୋଗରାଇ ନିର୍ବାଚନ ମଣ୍ଡଳୀରୁ ଲଗାତାର ୪ଥର ବିଧାୟକ ଭାବରେ ନିର୍ବାଚିତ ହୋଇଥିଲେ । ସେ ୨୦୦୪ରୁ ୨୦୧୯ ପର୍ଯ୍ୟନ୍ତ ବିଜୁ ଜନତା ଦଳ (ବିଜେଡି)ର ଟିକଟରେ ବିଧାୟକ ଥିଲେ । ନବୀନ ପଟ୍ଟନାୟକଙ୍କ ସରକାର ସମୟରେ ସେ ଉଚ୍ଚ ଶିକ୍ଷା ଏବଂ ଶିଳ୍ପ ମନ୍ତ୍ରୀ ଭାବରେ କାର୍ଯ୍ୟ ତୁଲାଇଥିଲେ । ତାଙ୍କର ପ୍ରଶାସନିକ ଦକ୍ଷତା ଏବଂ ନେତୃତ୍ୱ ପାଇଁ ସେ ସମାଦୃତ ଥିଲେ ।
୧୯୪୦ ମସିହା ଅଗଷ୍ଟ ୨୮ ତାରିଖରେ ଭୋଗରାଇ ବ୍ଲକ ଅନ୍ତର୍ଗତ ବାଲିମ ପଞ୍ଚାୟତର କୁରୁଟିଆ ଗ୍ରାମରେ ଅନନ୍ତ ଦାସଙ୍କର ଜନ୍ମ ହୋଇଥିଲା । ଏମଏ ଏବଂ ଏଲଏଲବି ଶିକ୍ଷା ହାସଲ କରିବା ପରେ ସେ ସରକାରୀ ଚାକିରିରେ ଯୋଗ ଦେଇଥିଲେ । ଚାକିରି ଜୀବନରେ ସେ ଜଣେ ଦକ୍ଷ ପ୍ରଶାସନିକ ଅଧିକାରୀ ଭାବରେ ଖ୍ୟାତି ଅର୍ଜନ କରିଥିଲେ । ସରକାରୀ ଦଳର ମୁଖ୍ୟ ସଚେତକ ଭାବରେ ମଧ୍ୟ ସେ ଦାୟିତ୍ୱ ତୁଲାଇଥିଲେ ।
ଜଣେ ଦକ୍ଷ ସଂଗଠକ ଏବଂ ବାଲେଶ୍ୱର ଜିଲ୍ଲା ବିଜେଡିର ଜଣେ ଟାଣୁଆ ନେତା ଭାବରେ ଅନନ୍ତ ଦାସ ପରିଚିତ ଥିଲେ । ଦଳ ପାଇଁ ସେ ଅନେକ ସମୟରେ ସଂଗଠନ ଦାୟିତ୍ୱ ତୁଲାଇ ସଫଳ ହୋଇଥିଲେ । ବାଲେଶ୍ୱର ଜିଲ୍ଲାରେ ବିଜେଡିକୁ ଶକ୍ତିଶାଳୀ କରିବାରେ ତାଙ୍କର ଗୁରୁତ୍ୱପୂର୍ଣ୍ଣ ଅବଦାନ ରହିଛି । ତାଙ୍କ ବିୟୋଗରେ ରାଜ୍ୟର ରାଜନୈତିକ ଏବଂ ସାମାଜିକ ମହଲରେ ଏକ ଶୂନ୍ୟତା ସୃଷ୍ଟି ହୋଇଛି ।
ତାଙ୍କ ଅବଦାନ ଏବଂ ସେବାକୁ ସ୍ମରଣ କରି ରାଜ୍ୟବାସୀ ତାଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି । ତାଙ୍କ ପରିବାର ପ୍ରତି ସମବେଦନା ଜଣାଇଛନ୍ତି ରାଜ୍ୟର ବିଭିନ୍ନ ରାଜନୈତିକ ଦଳ ଏବଂ ସାମାଜିକ ସଂଗଠନଗୁଡ଼ିକ ।