FeaturedGeneralLatestPolitics

ଉପରାଷ୍ଟ୍ରପତି ଜଗଦ୍ଦୀପ ଧନଖଡ଼ ହସ୍ପିଟାଲରେ ଭର୍ତ୍ତି

ନୂଆଦିଲ୍ଲୀ (ସଂକେତ ଟିଭି): ଉପରାଷ୍ଟ୍ରପତି ଜଗଦ୍ଦୀପ ଧନଖଡ଼ ଛାତିରେ ଯନ୍ତ୍ରଣା ଅନୁଭବ କରିବାରୁ ଗତକାଲି ରାତିରେ ଦିଲ୍ଲୀର ଏମ୍ସ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି । ବର୍ତ୍ତମାନ ତାଙ୍କ ଅବସ୍ଥା ସ୍ଥିର ରହିଛି ଏବଂ ଡାକ୍ତରୀ ଦଳ ତାଙ୍କ ଉପରେ ନିରନ୍ତର ନଜର ରଖିଛନ୍ତି । ହସ୍ପିଟାଲ ସୂତ୍ର ଅନୁଯାୟୀ, ତାଙ୍କୁ ହୃଦରୋଗ ବିଭାଗର ମୁଖ୍ୟ ଡାକ୍ତର ରାଜୀବ ନାରଙ୍ଗଙ୍କ ତତ୍ତ୍ୱାବଧାନରେ କ୍ରିଟିକାଲ୍ କେୟାର ୟୁନିଟ୍ (CCU)ରେ ରଖାଯାଇଛି । ରାତି 2ଟାରେ ତାଙ୍କୁ ଏମ୍ସ ହସ୍ପିଟାଲକୁ ଅଣାଯାଇଥିଲା ଏବଂ ତାଙ୍କର ହୃଦୟ ସମ୍ବନ୍ଧୀୟ ସମସ୍ତ ପରୀକ୍ଷା କରାଯାଉଛି ।

୭୩ ବର୍ଷୀୟ ଜଗଦ୍ଦୀପ ଧନଖଡ଼ ଭାରତର ୧୪ତମ ଉପରାଷ୍ଟ୍ରପତି ଭାବରେ କାର୍ଯ୍ୟ କରୁଛନ୍ତି । ସେ ୨୦୨୨ ଅଗଷ୍ଟରେ ଉପରାଷ୍ଟ୍ରପତି ଭାବରେ ଶପଥ ଗ୍ରହଣ କରିଥିଲେ । ଏହା ପୂର୍ବରୁ ସେ ୨୦୧୯ରୁ ୨୦୨୨ ପର୍ଯ୍ୟନ୍ତ ପଶ୍ଚିମବଙ୍ଗର ରାଜ୍ୟପାଳ ଭାବରେ ଦାୟିତ୍ୱ ତୁଲାଇଥିଲେ । ୨୦୧୯ ଜୁଲାଇରେ ତାଙ୍କୁ ପଶ୍ଚିମବଙ୍ଗର ରାଜ୍ୟପାଳ ଭାବରେ ନିଯୁକ୍ତି ଦିଆଯାଇଥିଲା । ରାଜ୍ୟପାଳ ହେବା ପୂର୍ବରୁ ସେ ଭାରତୀୟ ଜନତା ପାର୍ଟିର ସଦସ୍ୟ ଥିଲେ ଏବଂ ଜନତା ଦଳରୁ ନିଜ ରାଜନୈତିକ ଜୀବନ ଆରମ୍ଭ କରିଥିଲେ ।

୧୯୮୯-୯୧ରେ ଜନତା ଦଳରୁ ୯ମ ଲୋକସଭାକୁ ସାଂସଦ ଭାବେ ନିର୍ବାଚିତ ହୋଇ ପ୍ରଥମ ଥର ସଂସଦରେ ପହଞ୍ଚିଥିଲେ । ଝୁନଝୁନୁ ଲୋକସଭା କ୍ଷେତ୍ରରୁ ସେ ସାଂସଦ ଭାବେ ନିର୍ବାଚିତ ହୋଇଥିଲେ । ତତ୍କାଳୀନ ପ୍ରଧାନମନ୍ତ୍ରୀ ଚନ୍ଦ୍ରଶେଖରଙ୍କ କ୍ୟାବିନେଟରେ ସେ ସଂସଦୀୟ ବ୍ୟାପାର ରାଷ୍ଟ୍ରମନ୍ତ୍ରୀ ଭାବେ ଦାୟିତ୍ୱ ସମ୍ଭାଳିଥିଲେ । ୧୯୯୩-୯୮ରେ ରାଜସ୍ଥାନ ୧୦ମ ବିଧାନସଭାକୁ କିଷନଗଡ଼ ବିଧାନସଭା ମଣ୍ଡଳୀରୁ ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ ।

ଜଣେ ରାଜନେତା ବ୍ୟତୀତ ଧନଖଡ଼ ଜଣେ ଆଇନଜୀବୀ ଭାବେ ମଧ୍ୟ ଖ୍ୟାତି ଅର୍ଜନ କରିଛନ୍ତି । ସେ ରାଜସ୍ଥାନ ହାଇକୋର୍ଟ ବାର ଆସୋସିଏସନର ସଭାପତି ଭାବେ ମଧ୍ୟ କାର୍ଯ୍ୟ କରିଛନ୍ତି ।