ଶାନ୍ତିକାନନରେ ପ୍ରେମ ଫଗୁଣ: ସଙ୍ଗୀତ, କବିତା ଓ ଚିତ୍ରରେ ପ୍ରେମମୟ ହେଲା ପରିବେଶ
ବାଲେଶ୍ବର(ସଂକେତ ଟିଭି): ଋତୁରାଜ ବସନ୍ତର ଆଗମନ ଉପଲକ୍ଷେ କବିତା, ସଙ୍ଗୀତ ଓ ଚିତ୍ରକଳାର ଏକ ଅପୂର୍ବ ଆୟୋଜନ ‘ପ୍ରେମ ଓ ଫଗୁଣ’ କାର୍ଯ୍ୟକ୍ରମ ରବିବାର ସଂଧ୍ୟାରେ ବାଲେଶ୍ୱରର ଶାନ୍ତିକାନନ ପରିସରରେ ଅନୁଷ୍ଠିତ ହୋଇଯାଇଛି । କାର୍ଯ୍ଯକ୍ରମର ଏହି ୧୬ତମ ସଂସ୍କରଣରେ ସାହିତ୍ୟ, ସଙ୍ଗୀତ ଓ କଳାକାରମାନଙ୍କ ମିଳନ ଘଟିଥିଲା ।
କାର୍ଯ୍ୟକ୍ରମର ଉଦଘାଟନୀ ଅବସରରେ ଆଇଟିଆରର ସହ-ନିର୍ଦ୍ଦେଶକ ନୀଳାଦ୍ରି ରାୟ, ବସ୍ତା ବିଧାୟିକା ସୁବାସିନୀ ଜେନା, ପୌରପାଳ ସବିତା ସାହୁ, ଅତିରିକ୍ତ ଜିଲ୍ଲାପାଳ ସୁଧାକର ନାୟକ, ଫକୀରମୋହନ ସାହିତ୍ୟ ପରିଷଦ ସଭାପତି ଡ. ସୁବାସ ଚନ୍ଦ୍ର ପାତ୍ର, ଫକୀରମୋହନ ବିଶ୍ବବିଦ୍ୟାଳୟ ଆଇନ ବିଭାଗ ମୁଖ୍ୟ ଡ. ବିନୟ ଦାସ, ଯୁବ ଉଦ୍ୟୋଗୀ ସମିର ଜଟାନିଆ, ବରିଷ୍ଠ ଆଇନଜୀବୀ ବେଣୁଧର ରାଉଳ ପ୍ରମୁଖ ଯୋଗଦେଇ କାର୍ଯ୍ୟକ୍ରମକୁ ଉଦଘାଟନ କରିଥିଲେ ।
କବି ବ୍ରହ୍ମନାଥ ରଥ କାର୍ଯ୍ୟକ୍ରମର ପ୍ରାକ୍ କଥା ରଖିଥିଲେ, ଯେଉଁଥିରେ ସେ ବସନ୍ତ ଋତୁର ମହତ୍ତ୍ୱ ଏବଂ ପ୍ରେମର ସାର୍ବଜନୀନତା ଉପରେ ଆଲୋକପାତ କରିଥିଲେ । ରଘୁନାଥ ଲେଙ୍କା ଅତିଥିମାନଙ୍କୁ ପରିଚୟ କରାଇଥିଲେ । ଚିତ୍ରଶିଳ୍ପୀ କେଶୁ ଦାସ ପ୍ରେମକୁ କିଭଳି ଚିତ୍ରରେ ପ୍ରସ୍ଫୁଟିତ କରାଯାଇପାରେ ତାହା ଉପରେ ତାଙ୍କର ବକ୍ତବ୍ୟ ରହିଥିଲା । ସାହିତ୍ୟିକ ପୀତାମ୍ବର ଦାସ ପ୍ରେମର ସଂଜ୍ଞା ଏବଂ ଏହାର ବ୍ୟାପକତା ଉପରେ ଆଲୋକପାତ କରିଥିଲେ ।
କବିତା ପାଠ ଉତ୍ସବରେ ଦୀପକ ବୋଷ, ସୌରିକ୍ଷୀ ସାହୁ, ମନସ୍ଵିନୀ ଦେବୀ, ଦୀପ୍ତି ଦାସ, ବିମଳ ଜେନା, ଶିରୀଶ ଚନ୍ଦ୍ର ଜେନା, ପଦ୍ମଲୋଚନ ପ୍ରଧାନ, ଆଲୋକ ବାରିକଙ୍କ ସମେତ ସହରର ବହୁ କବି ଓ କବୟିତ୍ରୀ ସ୍ଵରଚିତ କବିତା ପାଠ କରିଥିଲେ । ସେହିଭଳି ସଙ୍ଗୀତ କାର୍ଯ୍ୟକ୍ରମରେ କାହ୍ନୁ ଲେଙ୍କା, ସୁଜିତ ଭୋଇ, ବହ୍ନିମାନ ରଥ, ଡା. ଅମିତାଭ ଗିରି, ଡା. ମଧୁମାଳା ଗିରି, ଅମୃତାଂଶୁ ପଟ୍ଟନାୟକ, ଶ୍ରୀମତୀ ରାୟ ଉର୍ବସୀ ଦାସ, ଦେବାଶିଷ ଚାଟାର୍ଜୀ, ଦିବ୍ୟଶୀ, ଲକ୍ଷ୍ମୀ, ଲିପସା, ଶୁଭାଙ୍ଗୀ ପ୍ରମୁଖ ଗୀତ ଗାଇଥିଲେ ।
ଚିତ୍ରଶିଳ୍ପୀ କେଶୁ ଦାସଙ୍କ ତତ୍ତ୍ଵାବଧାନରେ ଶିଳ୍ପୀ ବ୍ରଜ ଷଡ଼ଙ୍ଗୀ ଓ ପୁପୁନ ପ୍ରଧାନ ସୁନ୍ଦର ରୋମାଣ୍ଟିକ୍ ଚିତ୍ର ଅଙ୍କନ କରିଥିଲେ । କାର୍ଯ୍ୟକ୍ରମ ପରିଚାଳନାରେ ବ୍ୟୋମନାଥ ରଥ, ବିଶ୍ଵଜିତ୍ ମହାପାତ୍ରଙ୍କ ସମେତ ଉତ୍ସବ କମିଟିର ବହୁ ସଦସ୍ୟ ସହଯୋଗ କରିଥିଲେ ।
ଏହି କାର୍ଯ୍ୟକ୍ରମ ପ୍ରେମ, ସଙ୍ଗୀତ ଓ କଳାର ମିଳନମେଳା ଭାବେ ସମାଦୃତ ହୋଇଛି ଏବଂ ଶାନ୍ତିକାନନ ପରିସରକୁ ଏକ ପ୍ରେମମୟ ପରିବେଶରେ ପରିଣତ କରିଛି । ଡା. କୁମାର ଗୋପାଲ ଓ ସୁଶ୍ରୀ ବେହେରା କାର୍ଯ୍ୟକ୍ରମର ସଂଯୋଜନା କରିଥିଲେ । ଶେଷରେ ସଭ୍ୟ ରାଜେଶ ଗିରି ସମସ୍ତଙ୍କୁ ଧନ୍ୟବାଦ ଜଣାଇଥିଲେ ।