ପୂର୍ବାଞ୍ଚଳ ପୁଲିସ ରେଞ୍ଜର କଡ଼ା କାର୍ଯ୍ୟାନୁଷ୍ଠାନ: ଲଘୁ ଖଣିଜ ଲୁଟ ଅଭିଯୋଗରେ ୭୩ ଗିରଫ
ବାଲେଶ୍ବର(ସଂକେତ ଟିଭି): ପୂର୍ବାଞ୍ଚଳ ପୁଲିସ ରେଞ୍ଜ କାର୍ଯ୍ୟାଳୟରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଡିଆଇଜି ଡ. ସତ୍ୟଜିତ ନାଏକ ଲଘୁ ଖଣିଜ ପଦାର୍ଥ ଲୁଟ, ମହିଳା ଓ ଶିଶୁ ନିର୍ଯାତନା ଏବଂ ଅନ୍ୟାନ୍ୟ ଅପରାଧ ଘଟଣା ପ୍ରତିରୋଧରେ ପୁଲିସର କାର୍ଯ୍ୟାନୁଷ୍ଠାନ ଉପରେ ଗୁରୁତ୍ୱପୂର୍ଣ୍ଣ ସୂଚନା ଦେଇଛନ୍ତି ।
ଡ. ନାଏକ କହିଛନ୍ତି ଯେ, ରାଜ୍ୟ ପୁଲିସ ମହାନିର୍ଦ୍ଦେଶକଙ୍କ ନିର୍ଦ୍ଦେଶ ଅନୁସାରେ ଲଘୁ ଖଣିଜ ପଦାର୍ଥ ଲୁଟ ବିରୋଧରେ ରାଜ୍ୟବ୍ୟାପୀ ଅଭିଯାନ ଜାରି ରହିଛି । ପୂର୍ବାଞ୍ଚଳ ପୁଲିସ ରେଞ୍ଜ ଅଧୀନରେ ଥିବା ବାଲେଶ୍ୱର, ମୟୂରଭଞ୍ଜ ଓ ଭଦ୍ରକ ଜିଲ୍ଲାରେ ଏହି ଅଭିଯାନ ବେଶ ସକ୍ରିୟ ଭାବରେ ଚାଲିଛି । ଗତ ୭ ମାର୍ଚ୍ଚରୁ ୧୦ ମାର୍ଚ୍ଚ ମଧ୍ୟରେ ଏହି ତିନି ଜିଲ୍ଲାରେ ମୋଟ ୬୨ଟି ମାମଲା ପଞ୍ଜିକୃତ ହୋଇଛି, ୭୩ ଜଣ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି ଏବଂ ୧୧୭ଟି ଗାଡ଼ି ଜବତ କରାଯାଇଛି ।
ପରିବେଶ ଓ ପ୍ରାକୃତିକ ସମ୍ପଦକୁ ସୁରକ୍ଷା ଦେବା ପାଇଁ ଲଘୁ ଖଣିଜ ପଦାର୍ଥ ଲୁଟ ବିରୋଧରେ ପୁଲିସର ଏହି କାର୍ଯ୍ୟାନୁଷ୍ଠାନ ଆଗାମୀ ଦିନଗୁଡ଼ିକରେ ମଧ୍ୟ ଜାରି ରହିବ ବୋଲି ଡ. ନାଏକ ଜଣାଇଛନ୍ତି ।
ମହିଳା ଓ ଶିଶୁ ସୁରକ୍ଷା
ମହିଳା ଓ ଶିଶୁ ସୁରକ୍ଷା କ୍ଷେତ୍ରରେ ମଧ୍ୟ ପୁଲିସ ସଚେତନ ଅଛି । ବାଲେଶ୍ୱର ଜିଲ୍ଲାର ରେମୁଣା ଓ ସିଂଲା ଥାନା ଅଧୀନରେ ଘଟିଥିବା ଦୁଇଟି ନାବାଳିକା ଦୁଷ୍କର୍ମ ମାମଲାରେ ପୁଲିସ ତ୍ୱରିତ ତଦନ୍ତ କରି ଦୋଷୀଙ୍କୁ ଗିରଫ କରିଛି । ମାନ୍ୟବର କୋର୍ଟଙ୍କ ନିର୍ଦ୍ଦେଶ ଅନୁସାରେ ପୀଡ଼ିତାଙ୍କୁ କ୍ଷତିପୂରଣ ମଧ୍ୟ ପ୍ରଦାନ କରାଯାଇଛି ।
ଡକାୟତି ମାମଲାରେ ଗିରଫ
ବାଲେଶ୍ୱର ଟାଉନ ଥାନା ଅଞ୍ଚଳରେ ଏକ ଡକାୟତି ଉଦ୍ୟମ ମାମଲାରେ ସାମିଲ ଥିବା ୬ ଜଣ ଅଭିଯୁକ୍ତଙ୍କୁ ପୁଲିସ ଗିରଫ କରିଛି । ଖୁବ୍ କମ ସମୟ ମଧ୍ୟରେ ବିଏନଏସ ଧାରାରେ ଦଣ୍ଡ ପ୍ରଦାନ କରାଯାଇଥିବା ଡ. ନାଏକ ଜଣାଇଛନ୍ତି ।