ବିଧାନସଭାରେ ଜୟ ନାରାୟଣ ଝଡ଼: ବିଜେଡି-ବିଜେପି ମୁହାଁମୁହିଁ
ଭୁବନେଶ୍ବର(ସଂକେତ ଟିଭି): ବିଧାନସଭାରେ ସମ୍ବଲପୁର ବିଧାୟକ ଜୟ ନାରାୟଣ ମିଶ୍ରଙ୍କ ବିବାଦୀୟ ମନ୍ତବ୍ୟକୁ ନେଇ ବିଜେଡି ଏବଂ ବିଜେପି ମୁହାଁମୁହିଁ ହୋଇଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ସ୍ପଷ୍ଟୀକରଣ ଦାବି କରି ବିଜେଡି ବିଧାୟକମାନେ ଗୃହରେ ହୋ ହଲ୍ଲା କରିଛନ୍ତି । ଏହି ଘଟଣା ପରେ ବିଧାନସଭା କାର୍ଯ୍ୟ ସ୍ଥଗିତ ରହିଛି ।
ଗତ ଶୁକ୍ରବାର ସମ୍ବଲପୁରରେ ଅନୁଷ୍ଠିତ ଏକ ସରକାରୀ କାର୍ଯ୍ୟକ୍ରମରେ ଜୟ ନାରାୟଣ ମିଶ୍ର କହିଥିଲେ ଯେ, “ଓଡ଼ିଶା ସହିତ ମିଶିବା ଏକ ଐତିହାସିକ ଭୁଲ୍ ଥିଲା ।” ଏହା ସହିତ ସେ ରାଜ୍ୟ ସଙ୍ଗୀତ ‘ବନ୍ଦେ ଉତ୍କଳ ଜନନୀ’ ଗାନ ସମୟରେ ଆସନରୁ ଉଠି ନଥିବାରୁ ବିଜେଡି ପକ୍ଷରୁ ତୀବ୍ର ପ୍ରତିକ୍ରିୟା ଦେଖାଦେଇଛି । ବିଜେଡି ବିଧାୟକମାନେ ପ୍ଲାକାର୍ଡ୍ ଧରି ଓଡ଼ିଆ ଅସ୍ମିତା ପ୍ରତି ଅପମାନ ବୋଲି ଦାବି କରିଛନ୍ତି ।
ବିଜେଡି ବରିଷ୍ଠ ବିଧାୟକ ରଣେନ୍ଦ୍ର ପ୍ରତାପ ସ୍ୱାଇଁ କହିଛନ୍ତି, “ଜୟ ନାରାୟଣ ମିଶ୍ର ଜଣେ ବରିଷ୍ଠ ନେତା । ସେ ଏକ ସରକାରୀ କାର୍ଯ୍ୟକ୍ରମରେ ରାଜ୍ୟ ସଙ୍ଗୀତ ପ୍ରତି ଅସମ୍ମାନ ଦେଖାଇଛନ୍ତି, ଯାହା ଗ୍ରହଣୀୟ ନୁହେଁ । ଓଡ଼ିଶା ସହିତ ମିଶିବା ଏକ ଐତିହାସିକ ଭୁଲ୍ ବୋଲି କହିବା ଓଡ଼ିଆ ଅସ୍ମିତାକୁ ଆଘାତ ଦେଇଛି । ମୁଖ୍ୟମନ୍ତ୍ରୀ ଏହାର ସ୍ପଷ୍ଟୀକରଣ ଦେବା ଉଚିତ୍ ।”
ବିଜେଡି ବିଧାୟକ ରୋମାଞ୍ଚ ରଞ୍ଜନ ବିଶ୍ୱାଳ ମଧ୍ୟ କହିଛନ୍ତି, “ଜୟ ନାରାୟଣ ମିଶ୍ର ପଶ୍ଚିମ ଓଡ଼ିଶାର ହାଇକୋର୍ଟ ବେଞ୍ଚ ନେଇ ବାରମ୍ବାର ଗୃହରେ ପ୍ରଶ୍ନ ଉଠାଇଛନ୍ତି, କିନ୍ତୁ ପଶ୍ଚିମ ଓଡ଼ିଶାର ଶିଳ୍ପାଞ୍ଚଳ ପ୍ରତି ସେତେ ଗୁରୁତ୍ୱ ଦେଉନାହାଁନ୍ତି । ସେ ଆଭ୍ୟନ୍ତରୀଣ କନ୍ଦଳ ଘରେ ରହି ସମାଧାନ କରନ୍ତୁ ।”
ବିଜେପି ପକ୍ଷରୁ ବିଧାୟକ ବାବୁ ସିଂ କହିଛନ୍ତି, “ଜୟ ନାରାୟଣ ମିଶ୍ରଙ୍କ ମନ୍ତବ୍ୟ ତାଙ୍କର ବ୍ୟକ୍ତିଗତ ମତ ହୋଇପାରେ । ଏହା ଭାରତୀୟ ଜନତା ପାର୍ଟିର ମତ ନୁହେଁ । ଓଡ଼ିଶାର ସ୍ୱାର୍ଥ ପାଇଁ ଆମେ କୌଣସି ପ୍ରକାରର ସମତା ଦେବୁ ନାହିଁ । ଯଦି କେହି ଓଡ଼ିଶାର ସ୍ୱାର୍ଥ ବିରୁଦ୍ଧରେ କଥା କହନ୍ତି, ତାଙ୍କୁ ନିନ୍ଦା କରାଯିବ । ମୁଖ୍ୟମନ୍ତ୍ରୀ ଏବଂ ରାଜ୍ୟ ସଭାପତି ଏହି ବିଷୟରେ ଆଲୋଚନା କରି ଉଚିତ୍ ପଦକ୍ଷେପ ନେବେ ।”
ଏହି ଘଟଣା ପରେ ବିଧାନସଭାରେ ଅସ୍ଥିରତା ସୃଷ୍ଟି ହୋଇଛି । ବାଚସ୍ପତି ଗୃହକୁ ପ୍ରଥମେ ୧୨.୦୯ ପର୍ଯ୍ୟନ୍ତ ମୁଲତବୀ ଘୋଷଣା କରିଥିଲେ । ବିଜେଡି ବିଧାୟକମାନେ ଗୃହରୁ ବାହାରି ବିଧାନସଭା ପରିସରରେ ମଧୁବାବୁଙ୍କ ପ୍ରତିମୂର୍ତ୍ତି ତଳେ ଧାରଣା ଦେଇଥିଲେ ।