ବିଧାନସଭାରେ ଜୟ-ତାରା ହାତାହାତି: ୭ ଦିନ ପାଇଁ ତାରା ନିଲମ୍ବିତ
ଭୁବନେଶ୍ୱର (ସଂକେତ ଟିଭି): ବିଧାନସଭା ଗୃହରେ ମଙ୍ଗଳବାର ହୋଇଥିବା ହଟ୍ଟଗୋଳ ଓ ହାତାହାତି ଘଟଣାକୁ ନେଇ କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନୀପତିଙ୍କୁ ୭ ଦିନ ପାଇଁ ନିଲମ୍ବନ କରାଯାଇଛି। ଗୃହରେ ନଗର ଉନ୍ନୟନ ବିଭାଗର ପ୍ରଶ୍ନୋତ୍ତର ଚାଲିଥିବା ବେଳେ ବିଜେପି ବିଧାୟକ ଜୟନାରାୟଣ ମିଶ୍ର ଏବଂ କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନୀପତିଙ୍କ ମଧ୍ୟରେ ହାତାହାତି ହୋଇଥିବା ଦେଖାଯାଇଥିଲା। ଏହି ଘଟଣାକୁ ନେଇ ତାରା ବାହିନୀପତିଙ୍କୁ ନିଲମ୍ବନ କରାଯାଇଛି।
ନିଲମ୍ବନ ପରେ ତାରା ବାହିନୀପତି ପ୍ରତିକ୍ରିୟା ଦେଇ କହିଛନ୍ତି, “ବିଧାନସଭା ପରିସରରେ ଥିବା ଗାନ୍ଧି ମୂର୍ତ୍ତି ତଳେ ବସି ରାତି ସାରା ପ୍ରତିବାଦ କରିବି। ବାଚସ୍ପତିଙ୍କୁ ଜଣାଇଥିଲି, କିନ୍ତୁ ସେ ଆମ କଥା ଶୁଣିଲେନି। ଗଣତନ୍ତ୍ରକୁ ହତ୍ୟା କରାଯାଇଛି। ଜୟନାରାୟଣ ମୋ କଲର୍ ଧରିଲେ, ବାବୁ ସିଂ ଧକ୍କା ମାରିଲେ। ଏହା ଲେଖି ଜଣାଇଲି, କିନ୍ତୁ ବାଚସ୍ପତି ଶୁଣିଲେନି। ସରକାରଙ୍କ ବିରୋଧରେ କହୁଥିବାରୁ ସେମାନେ ଡରୁଛନ୍ତି।”
ବିଧାନସଭା ପ୍ରଶ୍ନକାଳ ଆରମ୍ଭରୁ ବିରୋଧୀ କଂଗ୍ରେସ ଓ ବିଜେଡି ବିଧାୟକମାନେ ଗୃହର ମଧ୍ୟଭାଗକୁ ଆସି ହଟ୍ଟଗୋଳ କରିଥିଲେ। ନାରୀ ନିର୍ଯାତନା ପ୍ରସଙ୍ଗକୁ ନେଇ କଂଗ୍ରେସ ବିଧାୟକମାନେ ପ୍ଲା-କାର୍ଡ ଧରି ପ୍ରତିବାଦ କରିଥିଲେ। ତାରା ବାହିନୀପତି ବାଚସ୍ପତିଙ୍କ ପୋଡିୟମ୍ ଉପରକୁ ଚଢିବାକୁ ଉଦ୍ୟମ କରିଥିଲେ। ଏହି ଘଟଣାରେ ତାଙ୍କ ସହ ଅନ୍ୟ ବିଧାୟକମାନେ ମଧ୍ୟ ରିପୋର୍ଟର ଟେବୁଲ ଉପରେ ଛିଡ଼ା ହୋଇ ପ୍ରତିବାଦ କରିଥିଲେ। ତାରା ବାହିନୀପତି ଏବଂ ସାଗର ଦାସ ଚପଲ ପିନ୍ଧି ରିପୋର୍ଟର ଟେବୁଲ ଉପରେ ଚଢିଥିଲେ। ବିରୋଧୀ ସଦସ୍ୟମାନେ ରିପୋର୍ଟିଂ ଟେବୁଲର ହେଡ୍ଫୋନ୍ ଉପାଡିଦେଇଥିଲେ।
ଏହି ହଟ୍ଟଗୋଳ ଯୋଗୁଁ ଗୃହରେ ପ୍ରଶ୍ନୋତ୍ତର ଚାଲିପାରିଲା ନାହିଁ। ବାଚସ୍ପତି ଗୃହକୁ ୧୨ଟା ଯାଏଁ ମୁଲତବୀ ଘୋଷଣା କରିଥିଲେ। ବିରୋଧୀ ଦଳ କଂଗ୍ରେସ ଓ ବିଜେଡିର ହଙ୍ଗାମା ଯୋଗୁଁ ଗୃହରେ କାର୍ଯ୍ୟ ସମ୍ପାଦନ କରିବା କଷ୍ଟକର ହୋଇଥିଲା। ଏହି ଘଟଣା ପରେ କଂଗ୍ରେସ ବିଧାୟକମାନେ ବିଧାନସଭା ପରିସରରେ ଥିବା ଗାନ୍ଧି ମୂର୍ତ୍ତି ତଳେ ବସି ପ୍ରତିବାଦ ଜଣାଇଥିଲେ।
ଏହି ଘଟଣା ପୂର୍ବରୁ ବିଜେପି ବିଧାୟକ ଜୟନାରାୟଣ ମିଶ୍ର ଏକ ବିବାଦୀୟ ମନ୍ତବ୍ୟ ଦେଇଥିଲେ। ସେ କହିଥିଲେ, “ଓଡ଼ିଶାରେ ମିଶିବା ଆମର ଭୁଲ ଥିଲା। ଦେଶରେ କେବଳ ଜାତୀୟ ସଙ୍ଗୀତ ଗାନ କରାଯାଇପାରିବ। ମୁଁ ବୁଝି ପାରୁନି ସବୁ ସରକାରୀ କାର୍ଯ୍ୟକ୍ରମରେ କାହିଁକି ବନ୍ଦେ ଉତ୍କଳ ଜନନୀ ବଜାଯାଉଛି।” ଏହି ମନ୍ତବ୍ୟ ପରେ ଜୟନାରାୟଣ ମିଶ୍ରଙ୍କୁ ଚାରିଆଡୁ ଟ୍ରୋଲ କରାଯାଇଥିଲା। ସେ ଆହୁରି କହିଥିଲେ, “ଉତ୍କଳ, କୋଶଳ ଓ କଳିଙ୍ଗ ମିଶି ଓଡ଼ିଶା ରାଜ୍ୟ ଗଠନ ହୋଇଛି। ମାତ୍ର ସଙ୍ଗୀତରେ କେବଳ ଉତ୍କଳର ଜୟଗାନ କାହିଁକି?”
ଏହି ଘଟଣା ଓ ବିବାଦ ମଧ୍ୟରେ ବିଧାନସଭାର କାର୍ଯ୍ୟକ୍ରମ ବାଧାପ୍ରାପ୍ତ ହୋଇଥିବା ଦେଖାଯାଇଛି। ବିରୋଧୀ ଦଳଗୁଡିକ ସରକାରଙ୍କ ନୀତିକୁ ନେଇ ପ୍ରତିବାଦ ଜଣାଇବା ସହ ବିଧାନସଭାରେ ଅସ୍ଥିରତା ସୃଷ୍ଟି କରିଛନ୍ତି।