FeaturedLatestNews

ବିକ୍ଷୋଭ ପ୍ରଦର୍ଶନ ପରେ ହଟିଲା ବିଧାନସଭାରେ ସାମ୍ବାଦିକଙ୍କୁ ମୋବାଇଲ୍ କଟକଣା

ଭୁବନେଶ୍ବର(ସଂକେତ ଟିଭି): ଗତକାଲି ବିଧାନସଭାରେ ବିଧାୟକମାନଙ୍କ ମଧ୍ୟରେ ଠେଲାପେଲା ହେବା ପରେ ବାଚସ୍ପତିଙ୍କ ନିର୍ଦ୍ଦେଶରେ ସାମ୍ବାଦିକମାନଙ୍କୁ ପ୍ରେସ ଗ୍ୟାଲେରୀରେ ମୋବାଇଲ୍ ଫୋନ୍ ବ୍ୟବହାର କରିବାକୁ ମନା କରାଯାଇଥିଲା। ଏହାକୁ ନେଇ ସାମ୍ବାଦିକ ସଂଘ ବିରୋଧ କରି ଆଜି ବିଧାନସଭା ପ୍ରଶ୍ନକାଳ ବୟକଟ୍ କରିଛନ୍ତି ଏବଂ ଗାନ୍ଧୀ ମୂର୍ତ୍ତି ତଳେ ବିରୋଧ ପ୍ରଦର୍ଶନ କରିଥିଲେ। ବିରୋଧୀ ଦଳ ବିଜେଡି ଏବଂ କଂଗ୍ରେସ ସାମ୍ବାଦିକଙ୍କ ସପକ୍ଷରେ ବାହାରି ଏହି ନିଷ୍ପତ୍ତିକୁ ଗଣତନ୍ତ୍ର ବିରୋଧୀ ବୋଲି କହିଥିଲେ।

ବିଜେଡି ବିଧାୟକ ଅରୁଣ ସାହୁ କହିଛନ୍ତି ଯେ ସାମ୍ବାଦିକମାନେ ପ୍ରଶ୍ନକାଳ ବର୍ଜନ କରିବା ଉଚିତ୍ ନୁହେଁ, କାରଣ ସେମାନଙ୍କର ବିଧାନସଭାର କାର୍ଯ୍ୟକ୍ରମ ଜାଣିବାର ଅଧିକାର ଅଛି। ସେ କହିଛନ୍ତି ଯେ ଲୋକସଭା ଏବଂ ରାଜ୍ୟସଭାର ସିଧା ପ୍ରସାରଣ ହେଉଥିବା ବେଳେ ବିଧାନସଭାରେ ମୋବାଇଲ୍ ମନା କରିବା ଏକଛତ୍ରବାଦୀ ଆଚରଣ। ଏହାଦ୍ୱାରା ଲୋକେ ସନ୍ଦେହ କରିବେ ଯେ ବିଧାନସଭାରେ ଭୁଲ ନିଷ୍ପତ୍ତି ଚାଲିଛି।

ଅନ୍ୟ ପକ୍ଷରେ, କଂଗ୍ରେସ ବିଧାୟକ ତାରା ବାହିନୀପତି କହିଛନ୍ତି ଯେ ସାମ୍ବାଦିକମାନେ ଗଣତନ୍ତ୍ରର ଚତୁର୍ଥ ସ୍ତମ୍ଭ। ସେମାନଙ୍କ କଣ୍ଠରୋଧ କରିବା ଗଣତନ୍ତ୍ରକୁ ହତ୍ୟା କରିବା ସହ ସମାନ। ସେ କହିଛନ୍ତି ଯେ ବିଜେପି ସାମ୍ବାଦିକମାନଙ୍କୁ ସତ୍ୟ ଘଟଣା ଲୋକଲୋଚନକୁ ଆଣିବାକୁ ଦେଉନାହିଁ, ଯାହା ଗଣତନ୍ତ୍ର ବିରୋଧୀ। କଂଗ୍ରେସ ସାମ୍ବାଦିକଙ୍କ ସହ ଅଛି ଏବଂ ଗଣତନ୍ତ୍ରକୁ ସମର୍ଥନ କରୁଛି।

ପରେ, କ୍ରୀଡ଼ା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ ଏବଂ ବାଚସ୍ପତି ସୁରମା ପାଢ଼ୀଙ୍କ ସହ ଆଲୋଚନା ପରେ ସାମ୍ବାଦିକଙ୍କୁ ପ୍ରେସ ଗ୍ୟାଲେରୀରେ ମୋବାଇଲ୍ ଫୋନ୍ ବ୍ୟବହାର କରିବାକୁ ଅନୁମତି ଦିଆଯାଇଛି, କିନ୍ତୁ ଫଟୋ ଏବଂ ଭିଡିଓ ରେକର୍ଡିଂ କରିବାକୁ ମନା କରାଯାଇଛି। ଏହି ନିଷ୍ପତ୍ତି ପରେ ସାମ୍ବାଦିକମାନେ ଧାରଣା ପ୍ରତ୍ୟାହାର କରିଛନ୍ତି।