ମାର୍ଚ୍ଚ ୩୧ ପର୍ଯ୍ୟନ୍ତ ଚାଲିବ ଆବାସ ସର୍ଭେ : ପଞ୍ଚାୟତିରାଜ ମନ୍ତ୍ରୀ
ଭୁବନେଶ୍ୱର (ସଂକେତ ଟିଭି): ଆବାସ ସର୍ଭେ ପ୍ରକ୍ରିୟାକୁ ନେଇ ପଞ୍ଚାୟତିରାଜ ମନ୍ତ୍ରୀ ରବି ନାଏକ ଗୁରୁବାର ଏକ ମହତ୍ତ୍ୱପୂର୍ଣ୍ଣ ଘୋଷଣା କରିଛନ୍ତି। ଏହି ସର୍ଭେ ଚାଲିତ ମାସର ୩୧ ମାର୍ଚ୍ଚ ପର୍ଯ୍ୟନ୍ତ ଜାରି ରହିବ। ମନ୍ତ୍ରୀ କହିଛନ୍ତି ଯେ, ଏବେଯାଏଁ ୧୯ ଲକ୍ଷ ପଞ୍ଜୀକରଣ ହୋଇସାରିଛି ଏବଂ ଆହୁରି ୧୭-୧୮ ଦିନ ବାକି ଥିବାରୁ ଅଧିକ ଲୋକ ଏଥିରେ ସାମିଲ ହେବାର ସମ୍ଭାବନା ରହିଛି।
ଏହି ସମ୍ବନ୍ଧରେ ମନ୍ତ୍ରୀ ରବି ନାଏକ କହିଛନ୍ତି, “ଆସନ୍ତା ୩୦ ମାର୍ଚ୍ଚରେ ଅନ୍ତ୍ୟୋଦୟ ଗୃହ ଯୋଜନାର ଶୁଭାରମ୍ଭ ହେବ। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏହି ଯୋଜନାର ଶୁଭାରମ୍ଭ କରିବେ। ଏହି କାର୍ଯ୍ୟକ୍ରମ ପ୍ରଥମେ କଳାହାଣ୍ଡି ଜିଲ୍ଲାରୁ ଆରମ୍ଭ ହେବ। ଏଥିରେ ୫୦,୦୦୦ ଲୋକଙ୍କୁ ସରକାର ଯୋଡ଼ିବେ। ଭିନ୍ନକ୍ଷମ, ବିଧବା, ରୋଗରେ ପୀଡ଼ିତ, ଶହୀଦ ପରିବାର ଏବଂ ପଦ୍ମଶ୍ରୀ ପୁରସ୍କାରପ୍ରାପ୍ତ ବ୍ୟକ୍ତିମାନେ ଏହି ଯୋଜନାରେ ସାମିଲ ହୋଇପାରିବେ।”
ଏହାସହ, ପ୍ରଧାନମନ୍ତ୍ରୀ ଆବାସ ଯୋଜନା ତାଲିକାରୁ ବାଦ୍ ପଡ଼ିଥିବା ଯୋଗ୍ୟ ହିତାଧିକାରୀଙ୍କୁ ଚିହ୍ନଟ କରିବା ପାଇଁ ମୋବାଇଲ୍ ଆପ୍ଲିକେସନ୍ ‘ଆୱାସ୍ ପ୍ଲସ୍’ ମାଧ୍ୟମରେ ସାନି ସର୍ଭେ କରାଯିବ। ପଞ୍ଚାୟତିରାଜ ବିଭାଗ ପକ୍ଷରୁ ସମସ୍ତ ଜିଲ୍ଲାପାଳ ଏବଂ ଜିଲ୍ଲା ପରିଷଦ କାର୍ଯ୍ୟନିବାହୀ ଅଧିକାରୀଙ୍କୁ ଏହି ସମ୍ବନ୍ଧରେ ନିର୍ଦ୍ଦେଶ ଦିଆଯାଇଛି।
ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ ପକ୍ଷରୁ ଜାରି ହୋଇଥିବା ଚିଠିରେ ଦର୍ଶାଯାଇଛି ଯେ, ମାର୍ଚ୍ଚ ୩୧ ପର୍ଯ୍ୟନ୍ତ ସାନି ସର୍ଭେ ଜାରି ରହିବ। ସଂଶୋଧିତ ସର୍ତ୍ତାବଳୀ ଆଧାରରେ କୌଣସି ଯୋଗ୍ୟ ହିତାଧିକାରୀ ବାଦ୍ ନପଡ଼ିବା ନିଶ୍ଚିତ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ରାଜ୍ୟ ସରକାରଙ୍କ ଦ୍ୱାରା ଜାରି ହୋଇଥିବା ଏସଓପିକୁ କଡ଼ାକଡ଼ି ଭାବେ ପାଳନ କରିବାକୁ କୁହାଯାଇଛି।