+୨ ପରେ ବି.ଏଡ୍ ପାଠ୍ୟକ୍ରମରେ ନାମ ଲେଖାଇ ପାରିବେ ଛାତ୍ରଛାତ୍ରୀ
ଭୁବନେଶ୍ବର(ସଂକେତ ଟିଭି): ଓଡ଼ିଶାର ଛାତ୍ରଛାତ୍ରୀମାନେ ଏଣିକି +୨ ଶିକ୍ଷା ସମାପ୍ତ କରିବା ପରେ ବି.ଏଡ୍ ପାଠ୍ୟକ୍ରମରେ ନାମ ଲେଖାଇ ପାରିବେ। ଏସମ୍ପର୍କରେ ଗୁରୁବାର ଓଡ଼ିଶାର ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ ସୂଚନା ଦେଇଛନ୍ତି।
ଉଚ୍ଚଶିକ୍ଷା ମନ୍ତ୍ରୀ କହିଛନ୍ତି ଯେ ଏହି ନୂତନ ନିୟମ ଛାତ୍ରଛାତ୍ରୀମାନଙ୍କ ପାଇଁ ଶିକ୍ଷକ ତାଲିମ ପ୍ରକ୍ରିୟାକୁ ସହଜ କରିବ। ଏହା ସହିତ ପାଠ୍ୟକ୍ରମର ସମୟକୁ ୫ ବର୍ଷରୁ କମାଇ ୪ ବର୍ଷକୁ ଆଣାଯାଇଛି, ଯାହା ଫଳରେ ଆକାଂକ୍ଷୀ ଶିକ୍ଷକମାନେ ଶୀଘ୍ର ଶିକ୍ଷାଦାନ ବୃତ୍ତିରେ ପ୍ରବେଶ କରିପାରିବେ।
ଏହି ପରିବର୍ତ୍ତନ ପାଇଁ ଓଡ଼ିଶାର ୮ଟି ଶିକ୍ଷକ ତାଲିମ ପ୍ରତିଷ୍ଠାନ ଏବଂ ସେମାନଙ୍କ ନିକଟସ୍ଥ କଲେଜଗୁଡ଼ିକ ମଧ୍ୟରେ ଏକ ଏମଓୟୁ ସ୍ୱାକ୍ଷରିତ ହୋଇଛି। ଏହି ସହଯୋଗ ଅନୁଯାୟୀ, ଛାତ୍ରଛାତ୍ରୀମାନେ +୨ ସମାପ୍ତ କରିବା ପରେ ସିଧାସଳଖ ବି.ଏଡ୍ ପାଠ୍ୟକ୍ରମରେ ନାମ ଲେଖାଇ ପାରିବେ। ଏହା ପୂର୍ବରୁ ସ୍ନାତକ ଡିଗ୍ରୀ ଆବଶ୍ୟକ ଥିଲା, କିନ୍ତୁ ଏବେ ଏହି ନିୟମରେ ପରିବର୍ତ୍ତନ ଆଣାଯାଇଛି।
ଏହି ଶିକ୍ଷାନୁଷ୍ଠାନଗୁଡ଼ିକରେ ଏକ ନୂତନ ୪ ବର୍ଷିଆ ଆଇଟିଇପି (ସମଗ୍ର ଶିକ୍ଷକ ଶିକ୍ଷା କାର୍ଯ୍ୟକ୍ରମ) ପାଠ୍ୟକ୍ରମ ପଢ଼ାଯିବ ବୋଲି ମନ୍ତ୍ରୀ କହିଛନ୍ତି। ଏହି ପରିବର୍ତ୍ତନ ଛାତ୍ରଛାତ୍ରୀଙ୍କ ପାଇଁ ଅଧିକ ସୁବିଧାଜନକ ହେବ ବୋଲି ଆଶା କରାଯାଉଛି।