ପୁରୀରେ ହୋଲି ଖେଳିଲେ ହେମା ମାଳିନୀ
ପୁରୀ (ସଂକେତ ଟିଭି): ବଲିଉଡ ଅଭିନେତ୍ରୀ ଏବଂ ବିଜେପି ସାଂସଦ ହେମା ମାଳିନୀ ପୁରୀରେ ହୋଲି ଉତ୍ସବ ପାଳନ କରିଛନ୍ତି। ସେ ପୁରୀ ସାଂସଦ ସମ୍ବିତ ପାତ୍ରଙ୍କ ଘରେ ଆୟୋଜିତ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଯୋଗ ଦେଇ ମହାସମାରୋହରେ ହୋଲି ଖେଳିଛନ୍ତି। ଏହି ଅବସରରେ ବିଜେପି କର୍ମକର୍ତ୍ତାମାନେ ମଧ୍ୟ ଉପସ୍ଥିତ ଥିଲେ। ହେମା ମାଳିନୀ ପ୍ରଥମେ ଶ୍ରୀଜଗନ୍ନାଥ ମନ୍ଦିରକୁ ଯାଇ ମହାପ୍ରଭୁଙ୍କୁ ଦର୍ଶନ କରିଥିଲେ। ପୁରୀ ସାଂସଦ ସମ୍ବିତ ପାତ୍ର ଏବଂ ସେବାୟତମାନେ ତାଙ୍କୁ ସିଂହଦ୍ୱାର ନିକଟରେ ସ୍ୱାଗତ କରି ମନ୍ଦିର ଭିତରକୁ ପାଛୋଟି ନେଇଥିଲେ। ମହାପ୍ରଭୁଙ୍କ ଦର୍ଶନ ପରେ ସେ ମନ୍ଦିର ବେଢ଼ା ପରିକ୍ରମା କରିବା ସହ ବିଭିନ୍ନ ପାର୍ଶ୍ୱ ଦେବଦେବୀଙ୍କୁ ଦର୍ଶନ କରିଥିଲେ। ହୋଲି ଅବସରରେ ହେମା ମାଳିନୀ ମନ୍ଦିରକୁ ଆସିଥିବାରୁ ତାଙ୍କୁ ଦେଖିବା ପାଇଁ ଭିଡ଼ ଲାଗିଥିଲା।
ଏହି କାର୍ଯ୍ୟକ୍ରମରେ ହେମା ମାଳିନୀ ଫୁଲ ବାଲି, ଫଗୁଆ ନୃତ୍ୟ ଏବଂ ନାଗା ମେଢ଼ ପ୍ରଦର୍ଶନରେ ଅଂଶଗ୍ରହଣ କରିଥିଲେ। ସେ କହିଛନ୍ତି, “ପୁରୀରେ ହୋଲି ଉତ୍ସବ ପାଳନ କରି ମୁଁ ନିଜକୁ ଧନ୍ୟ ମନେ କରୁଛି। ମୁଁ ମଥୁରାରୁ ଆସିଛି। ଗତକାଲି ଆମେ ମଥୁରାରେ ହୋଲି ପାଳନ କରିଥିଲୁ। ଚଳିତ ବର୍ଷ ଜଗନ୍ନାଥ ଧାମରେ ହୋଲି ପାଳନ ପାଇଁ ସୁଯୋଗ ମିଳିବା ବେଶ ସୌଭାଗ୍ୟର ବିଷୟ। ମୁଁ ଓଡ଼ିଶା ସରକାର, ଜନସାଧାରଣ ଏବଂ ସମ୍ବିତ ପାତ୍ରଙ୍କୁ ଏଠାରେ କରାଯାଇଥିବା ବ୍ୟବସ୍ଥା ପାଇଁ ଧନ୍ୟବାଦ ଜଣାଉଛି।”
ତାଙ୍କ ଓଡ଼ିଶା ଗସ୍ତର ଅଂଶ ସ୍ୱରୂପ, ହେମା ମାଳିନୀ ମାର୍ଚ୍ଚ ୧୪ ତାରିଖରେ ଭୁବନେଶ୍ୱରରେ ପ୍ରସିଦ୍ଧ ବଂଶୀବାଦକ ପଣ୍ଡିତ ହରିପ୍ରସାଦ ଚୌରାସିଆଙ୍କ ଦ୍ୱାରା ଆୟୋଜିତ ବୃନ୍ଦାବନ ମହୋତ୍ସବରେ ନୃତ୍ୟ ପରିବେଷଣ କରିଥିଲେ। ହେମା ମାଳିନୀଙ୍କୁ ସମ୍ବିତ ପାତ୍ର ପ୍ରଭୁ ଶ୍ରୀଜଗନ୍ନାଥଙ୍କ ଏକ ରୂପା ତାରକସୀ କଳାକୃତି ପ୍ରଦାନ କରିଥିଲେ।