ସୁନୀତା ୱିଲିୟମଙ୍କ ପ୍ରତ୍ୟାବର୍ତ୍ତନ ପାଇଁ ମହାକାଶକୁ ଗଲା କ୍ରୁ-10 ମିଶନ
ନୂଆଦିଲ୍ଲୀ (ସଂକେତ ଟିଭି): ଭାରତୀୟ ବଂଶୋଦ୍ଭବ ଆମେରିକୀୟ ମହାକାଶଚାରୀ ସୁନିତା ୱିଲିୟମ୍ସ ଏବଂ ତାଙ୍କ ସହଯାତ୍ରୀ ବୁଚ୍ ୱିଲମୋରଙ୍କ ପୃଥିବୀକୁ ସୁରକ୍ଷିତ ପ୍ରତ୍ୟାବର୍ତ୍ତନ ପାଇଁ କାଉଣ୍ଟଡାଉନ୍ ଆରମ୍ଭ ହୋଇସାରିଛି। ନାସା ଏବଂ ସ୍ପେସଏକ୍ସର ସଂଯୁକ୍ତ ପ୍ରୟାସରେ କ୍ରୁ-୧୦ ମିଶନ ଆରମ୍ଭ ହୋଇଛି, ଯାହା ଅନ୍ତର୍ଜାତୀୟ ମହାକାଶ ଷ୍ଟେସନ (ISS)ରେ ଥିବା ସୁନିତା ଏବଂ ବୁଚ୍ଙ୍କୁ ପୃଥିବୀକୁ ଫେରାଇ ଆଣିବ। ଶୁକ୍ରବାର ସକାଳ ୭:୦୩ ରେ (ଭାରତୀୟ ସମୟ ଅନୁସାରେ ଶନିବାର ଭୋର ୪:୩୩), ସ୍ପେସଏକ୍ସର ଫାଲକନ୍ ୯ ରକେଟ୍ ଡ୍ରାଗନ୍ ମହାକାଶଯାନକୁ ନେଇ ଉଡ଼ାଣ ଭରିଛି।
ଏହି ମିଶନ ଅନ୍ତର୍ଗତ, ଚାରି ଜଣ ନୂତନ ମହାକାଶଚାରୀ ISS କୁ ପଠାଯାଇଛନ୍ତି, ଯେଉଁମାନେ ସେଠାରେ ଥିବା କ୍ରୁ-୯ ର ସଦସ୍ୟମାନଙ୍କୁ ସହାୟତା କରିବେ। ଏହି ମିଶନ ପୂର୍ବରୁ ଗୁରୁବାର ଦିନ ଅନ୍ତର୍ଜାତୀୟ ମହାକାଶ କେନ୍ଦ୍ର (ISS)ରୁ ସୁନିତା ୱିଲିୟମ୍ସଙ୍କ ପ୍ରତ୍ୟାବର୍ତ୍ତନକୁ ସ୍ଥଗିତ ରଖାଯାଇଥିଲା। ନାସାର କେନେଡି ସ୍ପେସ୍ ସେଣ୍ଟରରୁ ଉତ୍କ୍ଷେପଣ ହେବାର ପ୍ରାୟ ଗୋଟିଏ ଘଣ୍ଟା ପୂର୍ବରୁ କ୍ରୁ-୧୦ ମିଶନକୁ ପୁଣି ଥରେ ସ୍ଥଗିତ ରଖାଯାଇଥିଲା। ସ୍ପେସଏକ୍ସର ଫାଲକନ୍ ୯ ରକେଟ୍ରେ ଗ୍ରାଉଣ୍ଡ ସପୋର୍ଟ କ୍ଲାମ୍ପ ଆର୍ମ ସହିତ ହାଇଡ୍ରୋଲିକ୍ ସିଷ୍ଟମ୍ ସମସ୍ୟା ଯୋଗୁଁ ଉତକ୍ଷେପଣ ବାତିଲ ହୋଇଥିଲା।
ଗତ ବର୍ଷ ୫ ଜୁନ୍ ୨୦୨୪ରେ, ସୁନିତା ୱିଲିୟମ୍ସ ଏବଂ ବୁଚ୍ ୱିଲମୋର ବୋଇଂ ଷ୍ଟାରଲାଇନର୍ ମାଧ୍ୟମରେ ISS ରେ ପହଞ୍ଚିଥିଲେ। ଏହା ନାସା ଏବଂ ବୋଇଂର ଏକ ମିଳିତ କ୍ରୁ ଉଡ଼ାଣ ପରୀକ୍ଷଣ ମିଶନ ଥିଲା, ଯେଉଁଥିରେ ସେମାନଙ୍କୁ ଗୋଟିଏ ସପ୍ତାହ ମଧ୍ୟରେ ଫେରିବାର ଥିଲା। କିନ୍ତୁ ଯାନ୍ତ୍ରିକ ତ୍ରୁଟି ଯୋଗୁଁ ତାଙ୍କର ମହାକାଶରେ ରହିବା ଅନିର୍ଦ୍ଦିଷ୍ଟ ହୋଇଗଲା। ଏହି ସମୟ ମଧ୍ୟରେ, ସେମାନଙ୍କୁ ଅନେକ ଚ୍ୟାଲେଞ୍ଜର ସମ୍ମୁଖୀନ ହେବାକୁ ପଡିଥିଲା, କିନ୍ତୁ ଏବେ SpaceXର Crew-10 ମିଶନର ସଫଳ ଉତ୍କ୍ଷେପଣ ସେମାନଙ୍କ ସୁରକ୍ଷିତ ପ୍ରତ୍ୟାବର୍ତ୍ତନର ଆଶା ସୃଷ୍ଟି କରିଛି।
ସ୍ପେସଏକ୍ସ ଏବଂ ନାସା ପକ୍ଷରୁ X ସାଇଟ୍ରେ ଏକାଧିକ ପୋଷ୍ଟ କରି ଏ ସମ୍ପର୍କରେ ସୂଚନା ଦିଆଯାଇଛି। କ୍ରୁ-୧୦ ମିଶନ ପୂର୍ବରୁ ମାର୍ଚ୍ଚ ୧୨ରେ ଲଞ୍ଚ ହେବାର ଥିଲା, ମାତ୍ର ପାଗ ଅନୁକୂଳ ନଥିବା ଏବଂ ନାସାର କେନେଡି ସ୍ପେସ୍ ସେଣ୍ଟରରେ ଲଞ୍ଚ କମ୍ପ୍ଲେକ୍ସ 39Aରେ ଫାଲକନ୍ ୯ ରକେଟ୍ ପାଇଁ ଗ୍ରାଉଣ୍ଡ ସପୋର୍ଟ କ୍ଲମ୍ପ ବାହୁ ସହିତ ଏକ ହାଇଡ୍ରୋଲିକ୍ ସିଷ୍ଟମ ସମସ୍ୟା ଯୋଗୁଁ ଏହି ଲଞ୍ଚକୁ ବାତିଲ କରାଯାଇଥିଲା। ଏବେ ପାଗ ଅନୁକୂଳ ହେବା ପରେ ଏହାକୁ ଲଞ୍ଚ କରାଯାଇଛି।