CulturalFeaturedLatestNews

ପୋଲିସ ଅଧିକାରୀଙ୍କ ସହ ହୋଲି ଉତ୍ସବ ପାଳନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର (ସଂକେତ ଟିଭି): ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ରାଜଧାନୀ ଭୁବନେଶ୍ୱରରେ ବରିଷ୍ଠ ପୋଲିସ ଅଧିକାରୀଙ୍କ ସହ ହୋଲି ଉତ୍ସବ ପାଳନ କରିଛନ୍ତି। ଏହି ଅବସରରେ ପୋଲିସ ଡିଜି ୱାଇବି ଖୁରାନିଆ, ପୁଲିସ କମିସନର ସୁରେଶ ଦେବ ଦତ୍ତ ସିଂହ ଏବଂ ଅନ୍ୟାନ୍ୟ ବରିଷ୍ଠ ପୋଲିସ ଅଧିକାରୀମାନେ ଉପସ୍ଥିତ ଥିଲେ। ମୁଖ୍ୟମନ୍ତ୍ରୀ ମାଝୀ ପୋଲିସ ଅଧିକାରୀଙ୍କ ସହ ରଙ୍ଗ ଖେଳି ଏବଂ ମିଠା ଖୁଆଇ ହୋଲି ଉତ୍ସବରେ ଶାମିଲ ହୋଇଥିଲେ।

ଏହା ପୂର୍ବରୁ, ମୁଖ୍ୟମନ୍ତ୍ରୀ ବିଜେପି କାର୍ଯ୍ୟାଳୟରେ ଆୟୋଜିତ ବନ୍ଧୁ ମିଳନ କାର୍ଯ୍ୟକ୍ରମରେ ଯୋଗ ଦେଇ ହୋଲି ଖେଳିଥିଲେ। ଏହି କାର୍ଯ୍ୟକ୍ରମରେ ମନ୍ତ୍ରୀ, ବିଧାୟକ, ସାଂସଦ, କର୍ମକର୍ତ୍ତା ଏବଂ ଗଣମାଧ୍ୟମ ଜଗତର ସାମ୍ବାଦିକମାନେ ଉପସ୍ଥିତ ଥିଲେ। ମୁଖ୍ୟମନ୍ତ୍ରୀ ସମସ୍ତ ରାଜ୍ୟବାସୀଙ୍କୁ ହୋଲି ପର୍ବର ଶୁଭେଚ୍ଛା ଜଣାଇ ଏହି ଖୁସିର ପର୍ବକୁ ଭାଇଚାରା ଏବଂ ସଦ୍ଭାବନାର ସହିତ ପାଳନ କରିବାକୁ ଆହ୍ୱାନ ଦେଇଥିଲେ।

ସୋସିଆଲ ମିଡିଆରେ ମୁଖ୍ୟମନ୍ତ୍ରୀ ଲେଖିଛନ୍ତି, “ହୋଲି ହେଉଛି ଭାତୃତ୍ୱ ଓ ସଦ୍ଭାବନାର ପର୍ବ। ଏହି ରଙ୍ଗର ପର୍ବ ସମସ୍ତଙ୍କ ଜୀବନରେ ସୁଖ, ଶାନ୍ତି ଓ ଆନନ୍ଦ ଆଣିଦେଉ। ରାଧାଗୋବିନ୍ଦଙ୍କ ନିକଟରେ ସମସ୍ତଙ୍କ ମଙ୍ଗଳ କାମନା କରୁଛି।”

ଏହି ଉତ୍ସବରେ ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ମଧ୍ୟ ଯୋଗ ଦେଇ ସମସ୍ତଙ୍କୁ ହୋଲିର ଶୁଭେଚ୍ଛା ଜଣାଇଥିଲେ ଏବଂ ସୁସ୍ତ ଜୀବନ କାମନା କରିଥିଲେ। ଏହି ଉତ୍ସବ ମାଧ୍ୟମରେ ରାଜ୍ୟରେ ଭାଇଚାରା ଏବଂ ସାମାଜିକ ସଦ୍ଭାବନା ଦୃଢ଼ ହେଉଥିବାର ପ୍ରତିଫଳନ ଘଟିଛି।