FeaturedGeneralLatest

ପୁଲୱାମା ଆକ୍ରମଣ ଷ୍ଟାଇଲ୍ ରେ ପାକିସ୍ଥାନ ସେନାକୁ ଆକ୍ରମଣ, ୯୦ ମୃତ

ଇସଲାମାବାଦ (ସଂକେତ ଟିଭି): ପୁଲୱାମା ଆକ୍ରମଣ ଷ୍ଟାଇଲ୍ ରେ ପାକିସ୍ଥାନ ସେନାକୁ ବାଲୁଚ ଲିବରେସନ୍ ଆର୍ମି (BLA) ଟାର୍ଗେଟ କରିଛି । ଏହି ଆକ୍ରମଣରେ ପ୍ରାୟ ୯୦ ଜଣ ସେନା କର୍ମଚାରୀଙ୍କ ମୃତ୍ୟୁ ହୋଇଥିବା ବିଏଲଏ ଦାବି କରିଛି । ବେଲୁଚିସ୍ତାନର ନୋଶକି ଅଞ୍ଚଳରେ ବାଲୁଚ ଆତଙ୍କବାଦୀମାନେ ପାକିସ୍ତାନ ସେନାକୁ ଲକ୍ଷ୍ୟ କରି ୭ଟି ବସ ଏବଂ ସୁରକ୍ଷା ବାହିନୀର ୨ଟି କାର ଉପରେ ଆକ୍ରମଣ କରିଥିଲେ। ପାକିସ୍ତାନୀ ଅଧିକାରୀଙ୍କ ଅନୁଯାୟୀ, ଏହି ଆକ୍ରମଣରେ ୫ ଜଣ ସେନା କର୍ମଚାରୀଙ୍କ ମୃତ୍ୟୁ ହୋଇଛି ଏବଂ ୧୩ ଜଣ ଆହତ ହୋଇଛନ୍ତି। ସେପଟେ ବାଲୁଚ ଲିବରେସନ୍ ଆର୍ମି (BLA) ଦାବି କରିଛି ଯେ ଏହି ଆକ୍ରମଣରେ ପ୍ରାୟ ୯୦ ଜଣ ସେନା କର୍ମଚାରୀଙ୍କ ମୃତ୍ୟୁ ହୋଇଛି।

ଜଣେ ଅଧିକାରୀ କହିଛନ୍ତି ଯେ, ଗୋଟିଏ ବସକୁ ଆଇଇଡି (ଇମ୍ପ୍ରୋଭାଇଜଡ୍ ଏକ୍ସପ୍ଲୋସିଭ୍ ଡିଭାଇସ୍) ଦ୍ୱାରା ଲକ୍ଷ୍ୟ କରାଯାଇଥିଲା, ଏବଂ ସମ୍ଭବତଃ ଏହା ଏକ ଆତ୍ମଘାତୀ ଆକ୍ରମଣ ଥିଲା। ଅନ୍ୟ ଏକ ବସକୁ କ୍ୱେଟାରୁ ତାଫତାନ ଯାଉଥିବା ସମୟରେ ଏକ ରକେଟ ଚାଳିତ ଗ୍ରେନେଡ୍ ଦ୍ୱାରା ଲକ୍ଷ୍ୟ କରାଯାଇଥିଲା। ଆକ୍ରମଣରେ ଆହତମାନଙ୍କୁ ଚିକିତ୍ସା ପାଇଁ ନୋଶକି ଏବଂ ଏଫ୍.ସି. କ୍ୟାମ୍ପକୁ ନିଆଯାଇଛି। ନୋଶକିର ଏସ୍.ଏଚ୍.ଓ. ସୁମନାଲି କହିଛନ୍ତି ଯେ ଅନେକ ଆହତଙ୍କ ଅବସ୍ଥା ଗୁରୁତର ଥିବାରୁ ମୃତ୍ୟୁ ଏବଂ ଆହତଙ୍କ ସଂଖ୍ୟା ବୃଦ୍ଧି ପାଇପାରେ।

ଆକ୍ରମଣ ପରେ, ବାଲୁଚ ଲିବରେସନ୍ ଆର୍ମି (BLA) ଏକ ବିବୃତ୍ତି ଜାରି କରି କହିଛି ଯେ କିଛି ଘଣ୍ଟା ପୂର୍ବେ ନୋଶକିର RCD ହାଇୱେର ରାଖସାନ ମିଲ ନିକଟରେ ଏକ VBIED (ଭେହିକଲ୍ ବର୍ଣ୍ଣ୍ ଇମ୍ପ୍ରୋଭାଇଜଡ୍ ଏକ୍ସପ୍ଲୋସିଭ୍ ଡିଭାଇସ୍) ଆତ୍ମଘାତୀ ଆକ୍ରମଣରେ ବାଲୁଚ ଲିବରେସନ୍ ଆର୍ମିର ଏକ ଆତ୍ମଘାତୀ ୟୁନିଟ୍ ମାଜିଦ ବ୍ରିଗେଡ୍ ପାକିସ୍ତାନୀ ସେନାର ଏକ କାଫିଲାକୁ ଲକ୍ଷ୍ୟ କରିଥିଲା। ସେଥିରେ ୮ଟି ବସ ଥିଲା, ଯାହାର ଗୋଟିଏ ବିସ୍ଫୋରଣରେ ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଥିଲା।

ଆକ୍ରମଣର ଅଳ୍ପ ସମୟ ପରେ, BLAର ଫତେହ ସ୍କ୍ବାର୍ଡ୍ ଅନ୍ୟ ଏକ ବସକୁ ସମ୍ପୂର୍ଣ୍ଣ ଭାବରେ ଘେରିଯାଇଥିଲେ। ସେଥିରେ ଥିବା ସମସ୍ତ ସେନା କର୍ମଚାରୀଙ୍କୁ ଯୋଜନାବଦ୍ଧ ଭାବରେ ହତ୍ୟା କରିଥିଲେ। ଫଳରେ ଶତ୍ରୁପକ୍ଷର ମୋଟ ମୃତ୍ୟୁ ସଂଖ୍ୟା ୯୦ରେ ପହଞ୍ଚିଥିବା BLA କହିଛି।