FeaturedLatestNews

ବିଶିଷ୍ଟ କବି ପଦ୍ମଭୂଷଣ ରମାକାନ୍ତ ରଥଙ୍କ ପରଲୋକ

ଭୁବନେଶ୍ୱର (ସଂକେତ ଟିଭି): ପରଲୋକରେ ବିଶିଷ୍ଟ କବି ପଦ୍ମଭୂଷଣ ରମାକାନ୍ତ ରଥ । ୯୧ ବର୍ଷ ବୟସରେ କବି ରମାକାନ୍ତ ରଥ ଶେଷ ନିଃଶ୍ଵାସ ତ୍ୟାଗ କରିଛନ୍ତି। ଭୁବନେଶ୍ୱରର ଖାରବେଳନଗର ସ୍ଥିତ ନିଜ ବାସଭବନରେ ତାଙ୍କର ଦେହାନ୍ତ ହୋଇଛି। ସେ ଆଧୁନିକ ଓଡ଼ିଆ କାବ୍ୟର ଜଣେ ପ୍ରମୁଖ ସ୍ରଷ୍ଟା ଥିଲେ। ‘ଶ୍ରୀରାଧା’ କବିତା ପୁସ୍ତକ ପାଇଁ ସେ ବିଶେଷ ଭାବରେ ପରିଚିତ ଥିଲେ। ତାଙ୍କର ‘ସପ୍ତମ ଋତୁ’ କବିତା ସଂକଳନ ପାଇଁ କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ମିଳିଥିଲା। ଏହାଛଡ଼ା, ‘ସଚିତ୍ର ଅନ୍ଧାର’ ପାଇଁ ଶାରଳା ପୁରସ୍କାରରେ ସମ୍ମାନିତ ହୋଇଥିଲେ।

କବି ରମାକାନ୍ତ ରଥ ୧୯୩୪ ମସିହା ଡିସେମ୍ବର ୧୩ ତାରିଖରେ କଟକରେ ଜନ୍ମଗ୍ରହଣ କରିଥିଲେ। ସେ ଓଡ଼ିଆ ସାହିତ୍ୟର ଜଣେ ଆଧୁନିକ କବି ଭାବରେ ପରିଚିତ ଥିଲେ। ଇଂରାଜୀରେ ରେଭେନ୍ସା କଲେଜରୁ ଏମ.ଏ. କରିବା ପରେ ୧୯୫୭ ମସିହାରେ ଭାରତୀୟ ପ୍ରଶାସନିକ ସେବା (IAS) ଯୋଗଦେଇଥିଲେ। ୧୯୯୨ ମସିହାରେ ଅବସର ଗ୍ରହଣ କରିବା ପୂର୍ବରୁ ସେ ଓଡ଼ିଶାର ମୁଖ୍ୟ ଶାସନ ସଚିବ ଭାବରେ କାର୍ଯ୍ୟ କରିଥିଲେ। ଏହି ସମୟରେ ତାଙ୍କର କେତେକ ପ୍ରସିଦ୍ଧ କବିତା ସଂକଳନ ଯେପରିକି ‘ସନ୍ଦିଗ୍ଧ ମୃଗୟା’, ‘ସପ୍ତମ ଋତୁ’, ‘ସଚିତ୍ର ଅନ୍ଧାର’, ‘ଶ୍ରୀରାଧା’ ଏବଂ ‘ଶ୍ରେଷ୍ଠ କବିତା’ ପ୍ରକାଶ ପାଇଥିଲା।

କେନ୍ଦ୍ର ସାହିତ୍ୟ ଏକାଡେମୀ ୧୯୭୮ ମସିହାରେ ତାଙ୍କ କବିତା ସଂକଳନ ‘ସପ୍ତମ ଋତୁ’ ପାଇଁ ତାଙ୍କୁ ପୁରସ୍କୃତ କରିଥିଲା। ୧୯୮୪ ମସିହାରେ ‘ସଚିତ୍ର ଅନ୍ଧାର’ ପାଇଁ ଶାରଳା ପୁରସ୍କାର ମିଳିଥିଲା। ୧୯୯୨ ମସିହାରେ ‘ଶ୍ରୀରାଧା’ ପାଇଁ ସେ ସରସ୍ୱତୀ ସମ୍ମାନରେ ସମ୍ମାନିତ ହୋଇଥିଲେ। ୨୦୦୬ ମସିହାରେ ତାଙ୍କୁ ପଦ୍ମଶ୍ରୀ ଉପାଧି ପ୍ରଦାନ କରାଯାଇଥିଲା। ୨୦୧୮ ମସିହାରେ ତାଙ୍କୁ ଅତିବଡ଼ି ଜଗନ୍ନାଥ ଦାସ ସମ୍ମାନରେ ସମ୍ମାନିତ କରାଯାଇଥିଲା। ତାଙ୍କର ଅବଦାନ ଓଡ଼ିଆ ସାହିତ୍ୟ ଜଗତରେ ସର୍ବଦା ସ୍ମରଣୀୟ ହୋଇରହିବ।

ସ୍ବର୍ଗତ ରମାକାନ୍ତ ରଥଙ୍କୁ ଗଭୀର ଶ୍ରଦ୍ଧାଞ୍ଜଳି ଅର୍ପଣ କରି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି ଯେ, ପଦ୍ମଭୂଷଣ ପୁରସ୍କାରପ୍ରାପ୍ତ ପୂର୍ବତନ ପ୍ରଶାସନିକ ଅଧିକାରୀ ଏବଂ ସାହିତ୍ୟିକ ରମାକାନ୍ତ ରଥଙ୍କ ଦେହାନ୍ତ ବିଷୟରେ ଜାଣି ସେ ଦୁଃଖିତ। ଭାରତୀୟ ପ୍ରଶାସନିକ ସେବା ଏବଂ ସାହିତ୍ୟ ଜଗତରେ ନିଜର ଅବଦାନ ପାଇଁ ସେ ସର୍ବଦା ସ୍ମରଣୀୟ ହୋଇ ରହିବେ। ତାଙ୍କର ଶେଷକୃତ୍ୟ ରାଷ୍ଟ୍ରୀୟ ମର୍ଯ୍ୟାଦାର ସହିତ ସମ୍ପନ୍ନ ହେବ। ସ୍ବର୍ଗତ ରଥଙ୍କ ଅମର ଆତ୍ମାର ସଦଗତି ନିମନ୍ତେ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ନିକଟରେ ପ୍ରାର୍ଥନା କରିବା ସହିତ ଶୋକସନ୍ତପ୍ତ ପରିବାରବର୍ଗ ପ୍ରତି ସେ ସମବେଦନା ଜଣାଇଛନ୍ତି।

ସେହିଭଳି ବିଜେଡି ନେତା ନବୀନ ପଟ୍ଟନାୟକ କହିଛନ୍ତି ଯେ, ପଦ୍ମଭୂଷଣ ସ୍ଵର୍ଗତ ରଥ ଭାରତୀୟ ସାହିତ୍ୟ ଜଗତର ଜଣେ ସଫଳ ସ୍ରଷ୍ଟା ଥିଲେ। ତାଙ୍କର ସୃଷ୍ଟି ସମ୍ଭାର ତାଙ୍କ ପାଇଁ ଅନେକ ଯଶ ଓ ସମ୍ମାନ ଆଣିଦେଇଥିଲା। ଆଧୁନିକ ଓଡ଼ିଆ କାବ୍ୟ ସାହିତ୍ୟ ପାଇଁ ସେ ସବୁବେଳେ ପ୍ରେରଣାର ଉତ୍ସ ହୋଇ ରହିବେ ବୋଲି ଶ୍ରୀ ପଟ୍ଟନାୟକ ତାଙ୍କ ଶୋକବାର୍ତ୍ତାରେ କହିଛନ୍ତି। ଜଣେ ବିଜ୍ଞ ଏବଂ ଦକ୍ଷ ପ୍ରଶାସକ ଭାବରେ ମଧ୍ୟ ସ୍ବର୍ଗତ ରଥଙ୍କର ବିଶେଷ ସୁନାମ ରହିଥିଲା। ତାଙ୍କର ବିୟୋଗ ସାହିତ୍ୟ ଜଗତରେ ଏକ ବିରାଟ ଶୂନ୍ୟସ୍ଥାନ ସୃଷ୍ଟି କରିଛି ବୋଲି ଶ୍ରୀ ପଟ୍ଟନାୟକ କହିଛନ୍ତି। ସ୍ବର୍ଗତ ରଥଙ୍କ ଅମର ଆତ୍ମାର ସଦଗତି କାମନା କରିବା ସହିତ ଶୋକସନ୍ତପ୍ତ ପରିବାର ବର୍ଗଙ୍କ ପ୍ରତି ସେ ଗଭୀର ସମବେଦନା ଜଣାଇଛନ୍ତି।