ନୀଳରକ୍ତ କଙ୍କଡ଼ା ସୁରକ୍ଷା ପାଇଁ ନଦୀ ମୁହାଣ ସଫେଇ ଅଭିଯାନ
ବାଲେଶ୍ୱର (ସଂକେତ ଟିଭି) : ଜନ ସଚେତନତା ଅଭାବରୁ ବିଶ୍ୱର ବିରଳ ଓ ବିସ୍ମୟକର ନୀଳରକ୍ତ କଙ୍କଡ଼ା ଶହ ଶହ ସଂଖ୍ୟାରେ ମରୁଛନ୍ତି । ଏଥିପାଇଁ ପ୍ରଶାସନ କିମ୍ବା ରାଜନେତାଙ୍କ ତରଫରୁ କୌଣସି ପଦକ୍ଷେପ ନିଆ ଯାଉନାହିଁ। ମତ୍ସ୍ୟଜୀବୀମାନେ ଅବାଧରେ ସମୁଦ୍ର ଭିତରେ କିମ୍ବା ନଦୀ ମୁହାଣମାନଙ୍କରେ ପରିତ୍ୟକ୍ତ ଛିଣ୍ଡା ଜାଲ ପକାଇ ଦେବାରୁ କୂଳକୁ ଅଣ୍ଡା ଦେବାକୁ ଆସୁଥିବା ନୀଳରକ୍ତ କଙ୍କଡ଼ା ଛନ୍ଦି ହୋଇ ମରି ଯାଉଛନ୍ତି। ମୁହାଣ ମୁହଁରେ କୁଢ଼ କୁଢ଼ ହୋଇ ମରି ପଡ଼ିଥିବାର ଦେଖିବାକୁ ମିଳୁଛି।
ଆଜି ଗୁରୁ ଜୁଆରକୁ ଲକ୍ଷ୍ୟ କରି ବାଲେଶ୍ୱରର ନୀଳରକ୍ତ କଙ୍କଡ଼ା ଓ ସାମୁଦ୍ରିକ ଜୈବ ସୁରକ୍ଷା ମଞ୍ଚ, ଆସୋସିଏସନ୍ ଫର ବାଇଓ ଡାଇଭରସିଟି କଞ୍ଜର୍ଭେସନ (ଏବିସି), ଆରଣ୍ୟକ, ମୁନ୍ କମ୍ୟୁନିକେସନ୍ ସହ କିଛି ଗ୍ରାମବାସୀଙ୍କ ସହଯୋଗରେ ରେମୁଣା ବ୍ଲକର ଗୁଡ଼ୁପାହି ପଞ୍ଚାୟତର ମହିଶାଳୀ ନଦୀ ମୁହାଣରେ ବାଲିରେ ପୋତି ରହିଥିବା ପରିତ୍ୟକ୍ତ ଓ ଛିଣ୍ଡା ଜାଲକୁ କୋଦାଳରେ ଖୋଲି ବାହାର କରିଥିଲେ। ଭାସୁଥିବା ଛିଣ୍ଡା ଜାଲକୁ ସଂଗ୍ରହ କରି ଉଚ୍ଚ ଆଢ଼ିରେ ଠୁଳ କରି ରଖିଥିଲେ। ସ୍ଥାନୀୟ ଦୋକାନୀ ଓ ଗ୍ରାମବାସୀମାନଙ୍କୁ ନୀଳରକ୍ତ କଙ୍କଡ଼ାର ଉପକାରିତା ଓ ସୁରକ୍ଷା ବିଷୟରେ ସଚେତନ କରାଇ ଥିଲେ।
ଏଥିରେ ମୁନ୍ କମ୍ୟୁନିକେସନ୍ର ଅବନୀ କୁମାର ଜେନା, ନୀଳରକ୍ତ କଙ୍କଡ଼ା ସୁରକ୍ଷା ମଞ୍ଚର ସଭାପତି ଶିଳ୍ପୀ କେଶୁଦାସ, ଆସୋସିଏସନ୍ ଫର ବାଇଓ ଡାଇଭରସିଟି କଞ୍ଜର୍ଭେସନ୍ର ସଭାପତି ଡଃ ଗୋବିନ୍ଦ ଚନ୍ଦ୍ର ବିଶ୍ୱାଳ, ଫକୀରମୋହନ ବିଶ୍ୱବିଦ୍ୟାଳୟର ନୀଳରକ୍ତ କଙ୍କଡ଼ା ଗବେଷିକା ଉପାସନା ପଟ୍ଟନାୟକ, ପ୍ରୋଜେକ୍ଟ ଫେଲୋ ଶୁଭମ୍ କାନୁନଗୋ, ଆରଣ୍ୟକର ସୁଧାକର ସେଠୀ, ସ୍ଥାନୀୟ ମୁନ୍ କମ୍ୟୁନିକେସନ୍ ସଭ୍ୟ ଜଳଧର ବେହେରା, ଲକ୍ଷ୍ମୀଧର ଜେନା, କରୁଣା କର ଜେନା, ମାଗୁଣି ଚରଣ ଦାସ ତଥା ଗୁଡ଼ୁପାହି ମତ୍ସ୍ୟଜୀବୀ କମ୍ୟୁନିଟିର ବସନ୍ତ ବର୍ମନ, ଯୁଧିଷ୍ଠିର ମଣ୍ଡଳ, ମକରା ସୋରେନ, ହାରୁ ମାଈତି, ଅର୍ଜୁନ ରାଉଳ ପ୍ରମୁଖ ଯୋଗ ଦେଇଥିଲେ।
ଗଣନା ଅନୁଯାୟୀ ୯ଟି ଛିଣ୍ଡା ଜାଲ ଗଦାରୁ ପୁରୁଷ କଙ୍କଡ଼ା ଖୋଳ ୧୦୫ ଓ ସ୍ତ୍ରୀ କଙ୍କଡ଼ା ଖୋଳ ୯୦ ଟି ମିଳିଥିଲା। ଶିଳ୍ପୀ କେଶୁଦାସ ଅଭିଯୋଗ କରନ୍ତି ଯେ ନୀଳରକ୍ତ କଙ୍କଡ଼ା ସୁରକ୍ଷା ପାଇଁ ପ୍ରଶାସନ ତରଫରୁ କୌଣସି ପଦକ୍ଷେପ ଗ୍ରହଣ କରାଯାଉନାହିଁ। ଆମେ ଅନେକ ଥର ପ୍ରଶାସନ ଓ ରାଜନେତାଙ୍କୁ ଆବେଦନ କଲେ ମଧ୍ୟ ସମସ୍ତେ କୁମ୍ଭକର୍ଣ୍ଣ ସାଜି ବସିଛନ୍ତି। ସମସ୍ତେ ଆନ୍ତରିକ ସହଯୋଗ ନ କଲେ ଆମ ନଦୀ ମୁହାଣରୁ ବିରଳ ନୀଳରକ୍ତ କଙ୍କଡ଼ା ବିଲୁପ୍ତ ହୋଇଯିବ।