BusinessFeaturedLatestNews

ବ୍ୟାଙ୍କ କର୍ମଚାରୀଙ୍କ ଧର୍ମଘଟ: ଲଗାତାର ୪ ଦିନ ବ୍ୟାଙ୍କିଙ୍ଗ ସେବା ବନ୍ଦ

ଭୁବନେଶ୍ୱର (ସଂକେତ ଟିଭି): ଇଣ୍ଡିଆନ୍ ବ୍ୟାଙ୍କସ୍ ଆସୋସିଏସନ୍ (ଆଇବିଏ) ସହିତ ଆଲୋଚନା ବିଫଳ ହେବା ପରେ ୟୁନାଇଟେଡ୍ ଫୋରମ୍ ଅଫ୍ ବ୍ୟାଙ୍କ ୟୁନିଅନ୍ (ୟୁଏଫବିୟୁ) ମାର୍ଚ୍ଚ ୨୪ ଏବଂ ୨୫ ତାରିଖରେ ଦେଶବ୍ୟାପୀ ଧର୍ମଘଟ ଡାକରା ଦେଇଛି। ୟୁଏଫବିୟୁର ପ୍ରମୁଖ ଦାବିଗୁଡ଼ିକ ମଧ୍ୟରେ ସମସ୍ତ କ୍ୟାଡରରେ ପର୍ଯ୍ୟାପ୍ତ ନିଯୁକ୍ତି, ଅସ୍ଥାୟୀ କର୍ମଚାରୀଙ୍କ ନିଯୁକ୍ତିକୁ ନିୟମିତ କରିବା, ପାଞ୍ଚ ଦିନିଆ କାର୍ଯ୍ୟସପ୍ତାହ ଆଦି ରହିଛି।

ଦେଶର ୯ଟି ବ୍ୟାଙ୍କ ସଂଘ ଏହି ଧର୍ମଘଟରେ ସାମିଲ ହେବାକୁ ନିଷ୍ପତ୍ତି ନେଇଛନ୍ତି। ପର୍ଯ୍ୟାପ୍ତ ନିଯୁକ୍ତି ଓ ଅସ୍ଥାୟୀ କର୍ମଚାରୀଙ୍କୁ ନିୟମିତ କରିବା, ୫ ଦିନିଆ କାର୍ଯ୍ୟ ସପ୍ତାହ, ପିଏଲଆଇ ନେଇ ଡିଏଫଏସଙ୍କ ନିର୍ଦ୍ଦେଶାବଳୀ ପ୍ରତ୍ୟାହାର, ବ୍ୟାଙ୍କ କର୍ମଚାରୀଙ୍କ ସୁରକ୍ଷା, ରାଷ୍ଟ୍ରାୟତ ବ୍ୟାଙ୍କରେ ନିର୍ଦ୍ଦେଶକ ପଦବୀ ପୂରଣ, ଗ୍ରାଚୁଇଟି ଆଇନରେ ସଂଶୋଧନ, ଆଇଡିବିଆଇ ବ୍ୟାଙ୍କରେ ସର୍ବନିମ୍ନ ୫୧% ଅଂଶଧନ ରଖିବା ଭଳି ୯ଟି ଦାବୀ ନେଇ ବ୍ୟାଙ୍କ କର୍ମଚାରୀ ଓ ଅଧିକାରୀ ଆନ୍ଦୋଳନକୁ ଓହ୍ଲାଇବେ।

ରାଜ୍ୟର ୬ ହଜାର ସରକାରୀ ବ୍ୟାଙ୍କ ଶାଖାର ୩୭ ହଜାରରୁ ଅଧିକ କର୍ମଚାରୀ ଏହି ଧର୍ମଘଟରେ ସାମିଲ ହେବେ ବୋଲି ୟୁଏଫବିୟୁ ଓଡ଼ିଶା ଶାଖା ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି। ଧର୍ମଘଟ ପୂର୍ବରୁ ମାର୍ଚ୍ଚ ୨୨ ଓ ୨୩ ତାରିଖ ସାପ୍ତାହିକ ଛୁଟି ଥିବାରୁ ଲଗାତାର ୪ ଦିନ ବ୍ୟାଙ୍କିଙ୍ଗ ସେବା ବନ୍ଦ ରହିବ ବୋଲି ୟୁଏଫବିୟୁ ଓଡ଼ିଶା ଶାଖାର ଆବାହକ ଅରୁଣ କୁମାର ବିଷୋୟୀ ସୂଚନା ପ୍ରଦାନ କରିଛନ୍ତି।

ମାର୍ଚ୍ଚ ୨୪ ଓ ୨୫ ତାରିଖରେ ଧର୍ମଘଟ ରହିଥିବା ବେଳେ ମାର୍ଚ୍ଚ ୨୨ ଓ ୨୩ ତାରିଖ ଯଥାକ୍ରମେ ଶନିବାର ଓ ରବିବାର ପଡ଼ୁଛି। ଏହିଭଳି ଭାବରେ ମୋଟ ୪ ଦିନ ବ୍ୟାଙ୍କ୍‌ ବନ୍ଦ ରହିବ। ଏସବୁ ଦିନରେ ବ୍ୟାଙ୍କ ସେବା ବନ୍ଦ ରହିବ। ଏଣୁ କୌଣସି ଜରୁରୀ ବ୍ୟାଙ୍କ କାମ ଥିଲେ ଯଥାଶୀଘ୍ର ଶେଷ କରି ନିଅନ୍ତୁ।