FeaturedLatestNewsPolitics

ପୂର୍ବତନ କେନ୍ଦ୍ରମନ୍ତ୍ରୀ ଡଃ ଦେବେନ୍ଦ୍ର ପ୍ରଧାନଙ୍କ ପରଲୋକ, ପୁରୀ ସ୍ବର୍ଗଦ୍ବାରରେ ହେବ ଶେଷକୃତ୍ୟ

ଭୁବନେଶ୍ୱର (ସଂକେତ ଟିଭି): କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ବାପା ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ ଡଃ ଦେବେନ୍ଦ୍ର ପ୍ରଧାନଙ୍କ ପରଲୋକ। ୮୩ ବର୍ଷ ବୟସରେ ଦିଲ୍ଲୀ ସ୍ଥିତ ନିଜ ବାସଭବନରେ ତାଙ୍କର ପରଲୋକ ଘଟିଛି। ୧୯୪୧ ମସିହାରେ ଅବିଭକ୍ତ ଢେଙ୍କାନାଳ ଜିଲ୍ଲାରେ ସେ ଜନ୍ମ ଗ୍ରହଣ କରିଥିଲେ।

ସୂଚନା ଅନୁଯାୟୀ, ଆଜି ସକାଳ ୧୦ଟା ୩୦ ମିନିଟରେ ତାଙ୍କର ପରଲୋକ ହୋଇଯାଇଛି। ବାଜପେୟୀ ସରକାରରେ କେନ୍ଦ୍ରମନ୍ତ୍ରୀ ଥିଲେ। ଓଡ଼ିଶାରେ ବିଜେପିର ମୂଳଦୁଆ ପକାଇବାରେ ତାଙ୍କର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଥିଲା। ଦେବଗଡ଼ ଲୋକସଭା ଆସନରୁ ସେ ନିର୍ବାଚିତ ହୋଇଥିଲେ। ଏହା ଛଡା ବାଜପେୟୀ ସରକାରଙ୍କ ସମୟରେ କେନ୍ଦ୍ର ରାଷ୍ଟ୍ରମନ୍ତ୍ରୀ ଭାବେ ଦାୟିତ୍ୱ ନିର୍ବାହ କରିଥିଲେ। ୧୯୮୮ରୁ ୧୯୯୩ ପର୍ଯ୍ୟନ୍ତ ରାଜ୍ୟ ବିଜେପି ସଭାପତି ଥିଲେ। ପରେ ୧୯୯୩ରୁ ୧୯୯୫ ପର୍ଯ୍ୟନ୍ତ ରାଜ୍ୟ ବିଜେପି ସାଧାରଣ ସମ୍ପାଦକ ଥିଲେ। ପୁନର୍ବାର ୧୯୯୫ରୁ ୧୯୯୭ ଯାଏଁ ବିଜେପି ସଭାପତି ରହିଥିଲେ। ୧୯୯୮ରେ ଦେବଗଡ଼ରୁ ଲୋକସଭାକୁ ନିର୍ବାଚିତ ହୋଇଥିଲେ।

ଦେବେନ୍ଦ୍ର ପ୍ରଧାନଙ୍କ ଦେହାନ୍ତରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏବଂ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ଶୋକ ବ୍ୟକ୍ତ କରିଛନ୍ତି। ସେବା ଓ ସଂକଳ୍ପ ମନୋଭାବ ନେଇ ରାଜ୍ୟର ବିକାଶ ପାଇଁ ସ୍ୱର୍ଗତ ପ୍ରଧାନ ସାରା ଜୀବନ ଉତ୍ସର୍ଗ କରିଥିଲେ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ସରକାରଙ୍କ ମନ୍ତ୍ରୀ ଓ ବିଧାୟକ ଦେବେନ୍ଦ୍ରଙ୍କ ଦେହାନ୍ତରେ ଶୋକ ବ୍ୟକ୍ତ କରିଛନ୍ତି।

ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ସ୍ବର୍ଗତ ଦେବେନ୍ଦ୍ରଙ୍କ ପୁଅ ତଥା କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ସହ ଟେଲିଫୋନ ଯୋଗେ କଥା ହୋଇଛନ୍ତି। ସେପଟେ ନୂଆଦିଲ୍ଲୀ ବାସଭବନରେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ଡାକ୍ତର ଦେବେନ୍ଦ୍ର ପ୍ରଧାନଙ୍କ ଶେଷ ଦର୍ଶନ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି।

ଦେବେନ୍ଦ୍ର ପ୍ରଧାନଙ୍କ ପାର୍ଥିବ ଶରୀର ଏୟାର ଇଣ୍ଡିଆ ବିମାନ ଯୋଗେ ନୂଆଦିଲ୍ଲୀରୁ ଭୁବନେଶ୍ଵର ବିମାନବନ୍ଦରକୁ ଅଣାଯାଇଛି। ବିମାନବନ୍ଦରରେ ମରଶରୀରକୁ ଶ୍ରଦ୍ଧାଞ୍ଜଳି ଦେଇ ଗାର୍ଡ ଅଫ୍ ଅନର ପ୍ରଦାନ କରାଯାଇଥିଲା। ଗାର୍ଡ ଅଫ୍ ଅନର ବେଳେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଉପସ୍ଥିତ ରହି ଶେଷ ଦର୍ଶନ କରିବା ସହ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ। ଏହି ସମୟରେ ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ, ବିଭିନ୍ନ ରାଜନୈତିକ ଦଳର ନେତା, ପୋଲିସ ମହାନିର୍ଦ୍ଦେଶକ ଓ ମୁଖ୍ୟ ଶାସନ ସଚିବ ମଧ୍ୟ ଉପସ୍ଥିତ ଥିଲେ।

ବିମାନବନ୍ଦରରୁ ଦେବେନ୍ଦ୍ର ପ୍ରଧାନଙ୍କ ପାର୍ଥିବ ଶରୀରକୁ ବିଜେପି ରାଜ୍ୟ କାର୍ଯ୍ୟାଳୟ କୁ ନିଆଯାଇଥିଲା, ଯେଉଁଠି ଦଳୀୟ ନେତାମାନେ ଓ କର୍ମୀମାନେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ। ସେଠାରୁ ମରଶରୀରକୁ ଚନ୍ଦ୍ରଶେଖରପୁର ସ୍ଥିତ ବାସଭବନ କୁ ନିଆଯାଇଛି । ସେଠାରେ ସାଧାରଣ ଲୋକଙ୍କ ଦର୍ଶନ ବ୍ୟବସ୍ଥା ରହିବ । ଆସନ୍ତାକାଲି ପୁରୀ ସ୍ଵର୍ଗଦ୍ଵାରରେ ଦେବେନ୍ଦ୍ର ପ୍ରଧାନଙ୍କ ଅନ୍ତିମ କାର୍ଯ୍ୟ ସମ୍ପନ୍ନ କରାଯିବ।