ଲୁଟ୍ ଉଦ୍ୟମ ବିଫଳ ହେବାରୁ ଦୁର୍ବୃତ୍ତଙ୍କ ଗୁଳିଚାଳନା: ବାଇକ୍ ଆରୋହୀ ଗୁରୁତର
ବାଲେଶ୍ୱର (ସଂକେତ ଟିଭି): ବାଲେଶ୍ୱର ଜିଲ୍ଲା ବସ୍ତା ଥାନା ଅନ୍ତର୍ଗତ ବାସୁ ଚକୁରାଇ ଗ୍ରାମରେ ଜଣେ ବାଇକ୍ ଆରୋହୀଙ୍କଠାରୁ ଲୁଟ୍ ଉଦ୍ଯମ ବିଫଳ ହେବା ଦୁର୍ବୃତ୍ତମାନେ ଗୁଳିଚାଳନା କରିଛନ୍ତି। ଫଳରେ ବାଇକ୍ ଆରୋହୀ ଜଣକ ଗୁରୁତର ଭାବରେ ଆହତ ହୋଇଛନ୍ତି। ଆହତ ବ୍ୟକ୍ତି ହେଲେ ବସ୍ତା ଥାନା ଅନ୍ତର୍ଗତ ନିମା ଗ୍ରାମର ସୁଧାଂଶୁ ଶେଖର ଜେନା।
ସୂଚନା ଅନୁଯାୟୀ, ସୁଧାଂଶୁ ଏବଂ ତାଙ୍କର ଜଣେ ବନ୍ଧୁ କୌଣସି କାମରେ ନିଜ ଭଉଣୀ ଘରକୁ ଯାଇ ସୋମବାର ସନ୍ଧ୍ୟାରେ ଘରକୁ ଫେରୁଥିବା ବେଳେ ବାସୁ ଚକୁରାଇ ଗାଁର ୟୁପି ସ୍କୁଲ ନିକଟରେ ୩ ଜଣ ଦୁର୍ବୃତ୍ତ ବାଇକରେ ଆସି ତାଙ୍କ ନିକଟରୁ ବାଇକ୍ ଏବଂ ମୋବାଇଲ୍ ଛଡ଼ାଇବା ପାଇଁ ଉଦ୍ୟମ କରିଥିଲେ।
ସୁଧାଂଶୁ ତାଙ୍କୁ ବିରୋଧ କରିବାରୁ ଦୁର୍ବୃତ୍ତମାନେ ତାଙ୍କ ଉପରେ ଗୁଳିଚାଳନା କରି ଘଟଣା ସ୍ଥଳରୁ ଫେରାର ହୋଇ ଯାଇଥିଲେ। ଗୁଳିଟି ସୁଧାଂଶୁଙ୍କ ଡାହାଣ ଗୋଡ଼ରେ ବାଜି ଗଭୀର କ୍ଷତ ସୃଷ୍ଟି କରିଥିବା ବେଳେ ଗୁଳି ଶବ୍ଦ ଶୁଣି ସ୍ଥାନୀୟ ଲୋକେ ତାଙ୍କୁ ଉଦ୍ଧାର କରି ଚିକିତ୍ସା ପାଇଁ ବସ୍ତା ଡାକ୍ତରଖାନାକୁ ନେଇଥିଲେ। ସେଠାରେ ତାଙ୍କ ଅବସ୍ଥା ସଂକଟାପନ୍ନ ହେବାରୁ ସୁଧାଂଶୁଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତରିତ କରାଯାଇଛି।
ଘଟଣା ସମ୍ପର୍କରେ ସୁଧାଂଶୁଙ୍କ ଭାଇ ମନୋଜ ବସ୍ତା ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ପୋଲିସ ଏନେଇ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି।