FeaturedLatestNews

ପୁରୀ ସ୍ବର୍ଗଦ୍ବାରରେ ପଞ୍ଚଭୂତରେ ବିଲୀନ ହେଲେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ଦେବେନ୍ଦ୍ର ପ୍ରଧାନ

ଭୁବନେଶ୍ୱର (ସଂକେତ ଟିଭି): ପୂର୍ବତନ କେନ୍ଦ୍ରମନ୍ତ୍ରୀ ଏବଂ ରାଜ୍ୟ ବିଜେପିର ପୂର୍ବତନ ସଭାପତି ଡାକ୍ତର ଦେବେନ୍ଦ୍ର ପ୍ରଧାନଙ୍କ ଶେଷକୃତ୍ୟ ପୁରୀ ସ୍ବର୍ଗଦ୍ବାରରେ ସମ୍ପନ୍ନ ହୋଇଛି। ରାଷ୍ଟ୍ରୀୟ ମର୍ଯ୍ୟାଦାର ସହ ତାଙ୍କର ଶେଷକୃତ୍ୟ ସମ୍ପନ୍ନ ହୋଇଥିବା ବେଳେ ତାଙ୍କ ବଡ଼ ପୁଅ ସୌମେନ୍ଦ୍ର ପ୍ରଧାନ ମୁଖାଗ୍ନି ଦେଇଥିଲେ। ପୁରୀ ସ୍ବର୍ଗଦ୍ବାର ଶ୍ମଶାନରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ସମେତ ପରିବାରର ଅନ୍ୟ ସଦସ୍ୟ, ସମ୍ପର୍କୀୟ ଏବଂ ବହୁ ଶୁଭେଚ୍ଛୁ ଉପସ୍ଥିତ ଥିଲେ। ସୋମବାର ନୂଆଦିଲ୍ଲୀରେ ତାଙ୍କ ପୁଅ ତଥା କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ବାସଭବନରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଥିଲେ। ମୃତ୍ୟୁବେଳକୁ ତାଙ୍କୁ ୮୪ ବର୍ଷ ବୟସ ହୋଇଥିଲା।

ଗତକାଲି ବିଜେପି ରାଜ୍ୟ କାର୍ଯ୍ୟାଳୟରେ ଅନ୍ତିମ ଦର୍ଶନ ସରିବା ପରେ ଦେବେନ୍ଦ୍ରଙ୍କ ପାର୍ଥିବ ଶରୀରକୁ ତାଙ୍କ ପୁଅ ତଥା କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ପ୍ରାଚୀ ବାସଭବନକୁ ଅଣାଯାଇଥିଲା। ସେଠାରେ ନେତାଙ୍କଠାରୁ ଆରମ୍ଭ କରି ବହୁ ବିଶିଷ୍ଟ ବ୍ୟକ୍ତି ତାଙ୍କର ଶେଷ ଦର୍ଶନ କରିଥିଲେ। ପୁରୀ ସ୍ୱର୍ଗଦ୍ୱାରରେ ଦେବେନ୍ଦ୍ର ପ୍ରଧାନଙ୍କ ଶେଷକୃତ୍ୟ ସମୟରେ ବାବା ରାମଦେବ, ମୁଖ୍ୟମନ୍ତ୍ରୀ ମୋହନ ମାଝୀ, ରାଜ୍ୟ ମନ୍ତ୍ରିମଣ୍ଡଳର ବହୁ ସଦସ୍ୟ, ରାଜ୍ୟ ବିଜେପି ସଭାପତି ମନମୋହନ ସାମଲଙ୍କ ସହ ବିଜେପିର ଅଧିକାଂଶ ବିଧାୟକ ଏବଂ ଦଳୀୟ ନେତା ପ୍ରମୁଖ ଉପସ୍ଥିତ ରହିଥିଲେ।