FeaturedGeneralLatest

ମହାକାଶରୁ ସୁରକ୍ଷିତ ଫେରିଲେ ସୁନୀତା ୱିଲିୟମ୍ସ

ମୁମ୍ବାଇ (ସଂକେତ ଟିଭି): ମହାକାଶଚାରୀ ସୁନୀତା ୱିଲିୟମ୍ସ ଓ ତାଙ୍କ ସାଥୀ ମହାକାଶଚାରୀମାନେ ଜୁନ ୨୦୨୪ରୁ ଅନ୍ତର୍ଜାତୀୟ ସ୍ପେଶ୍ ଷ୍ଟେସନ (ISS)ରେ ଫସି ରହି ଶେଷରେ ସୁରକ୍ଷିତ ଭାବେ ପୃଥିବୀକୁ ଫେରିଛନ୍ତି । କ୍ରୁ-୯ ଦଳର ସଦସ୍ୟ ନାସା ମହାକାଶଚାରୀ ସୁନୀତା ୱିଲିୟମ୍ସଙ୍କ ସହ ବଚ୍ ୱିଲମୋର, ନିକ୍ ହଗ୍‌ ଏବଂ କସମୋନଟ୍‌ ଆଲେକ୍ସଜାଣ୍ଡାର୍ ଗୋର୍ବୁନୋଭ ପୃଥିବୀରେ ଫେରିଛନ୍ତି । ସେମାନେ ସ୍ପେଶଏକ୍ସ (SpaceX)ର ଡ୍ରାଗନ୍ ମହାକାଶ ଯାନ ମାଧ୍ୟମରେ ଫ୍ଲୋରିଡାର ଗଲ୍ଫ୍ କୋଷ୍ଟରେ ସୁରକ୍ଷିତ ଭାବରେ ଅବତରଣ କରିଛନ୍ତି ।

କ୍ରୁ-୯ ଦଳ ମାର୍ଚ୍ଚ ୧୮, ୨୦୨୫ରେ ଭାରତୀୟ ସମୟ (IST) ପୂର୍ବାହ୍ନ ୧୦.୩୫ରେ ISSର ହ୍ୟାଚ୍ ବନ୍ଦ କରି ଅନଡକ୍‌ କରି ପୃଥିବୀ ଆଡକୁ ଯାତ୍ରା ଆରମ୍ଭ କରିଥିଲେ । ଏହାପରେ ସ୍ପେଶଏକ୍ସର ଡ୍ରାଗନ୍ ମହାକାଶ ଯାନ ପୃଥିବୀକୁ ଫେରିବା ପାଇଁ ଏକ ସ୍ବତନ୍ତ୍ର ପଦ୍ଧତି ଗ୍ରହଣ କରିଥିଲା । ଯାହାଦ୍ବାରା ମହାକାଶ ଯାନ ସୁରକ୍ଷିତ ଭାବରେ ପୃଥିବୀର ବାୟୁମଣ୍ଡଳକୁ ପ୍ରବେଶ କରିଥିଲା ଏବଂ ନିର୍ଦ୍ଦିଷ୍ଟ ସ୍ଥାନରେ ପାଣିରେ ଅବତରଣ କରିପାରିଛି ।

ପୃଥିବୀରେ ପହଞ୍ଚିବା ପରେ କ୍ରୁ-୯ ସଦସ୍ୟମାନେ ହ୍ୟୁଷ୍ଟନ ସ୍ଥିତ ନାସାର ମାନବ ସ୍ପେଶ୍‌ ଫ୍ଲାଇଟ୍ ଅପରେସନର ମୁଖ୍ୟାଳୟ ଜନସନ ସ୍ପେଶ୍‌ ସେଣ୍ଟରରେ ଅଛନ୍ତି । ଏହାପରେ ନାସା ଏବଂ ସ୍ପେଶଏକ୍ସ ଅଧିକାରୀମାନେ ମିଳିତ ଭାବେ ଭାରତୀୟ ସମୟ ସକାଳ ୫ଟାରେ ଏକ ସ୍ବତନ୍ତ୍ର ସାମ୍ବାଦିକ ସମ୍ମିଳନୀ ଆୟୋଜନ କରିଛନ୍ତି ।

ସୁନୀତା ୱିଲିୟମ୍ସ ଓ ବଚ୍‌ ୱିଲମୋର ଗତବର୍ଷ ଜୁନ ମାସରୁ ISSରେ ଫସିଥିଲେ । ସେ ମାତ୍ର ୧ ସପ୍ତାହ ଲାଗି ଏକ ମିଶନରେ ସ୍ପେଶ୍‌ ଷ୍ଟେସନ ଯାଇଥିଲେ । କିଏ ଜାଣିଥିଲା ଅତିଥି ଭାବେ ଯାଇଥିବା ଏହି ମହାକାଶଚାରୀ ୯ ମାସ ପାଇଁ ସେଠାରେ ସ୍ଥାୟୀ ବାସିନ୍ଦା ପାଲଟିଯିବେ । ସୁନୀତା ଓ ୱିଲମୋର ବୋଇଙ୍ଗ ଷ୍ଟାରଲାଇନର ସ୍ପେଶକ୍ରାଫ୍ଟରେ ଯାଇଥିବାବେଳେ ଏଥିରେ ତ୍ରୁଟି ପରିଲକ୍ଷିତ ହୋଇଥିଲା । ସେମାନଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ନାସା ସେମାନଙ୍କୁ ପୃଥିବୀ ଫେରିବାକୁ ଅନୁମତି ଦେଇନଥିଲା । ଏଥିଲାଗି ସେମାନେ ଗତ ୯ ମାସ ଧରି ISSରେ ରହିଥିଲେ ।

ନାସା ସମସ୍ତ କ୍ରୁ-୯ ସଦସ୍ୟଙ୍କ ପ୍ରତ୍ୟାବର୍ତ୍ତନ ପାଇଁ ବ୍ୟବସ୍ଥା କରୁଥିବାବେଳେ ସୁନୀତା ଏବଂ ବଚ୍ ISSରେ ପରୀକ୍ଷଣ କରିଥିଲେ ଯେପରିକି ISS ରକ୍ଷଣାବେକ୍ଷଣ ଏବଂ ସ୍ପେଶ୍‌ୱାକ୍‌ ମଧ୍ୟ କରିଥିଲେ । ଏହି ସମୟ ମଧ୍ୟରେ ସୁନୀତା ୱିଲିୟମ୍ସ ସର୍ବାଧିକ ସ୍ପେଶ୍‌ୱାକ୍‌ (SpaceWalk) କରିବାର ରେକର୍ଡ ସୃଷ୍ଟି କରିଥିଲେ । ସେ ନିଜ କ୍ୟାରିୟରର ସମସ୍ତ ୯ଟି ଭିନ୍ନ ସ୍ପେଶୱାକ୍‌କୁ ମିଶାଇ ୬୨ ଘଣ୍ଟା ସ୍ପେଶ୍‌ୱାକ୍‌ କରିଛନ୍ତି । ଜଣେ ଅଭିଜ୍ଞ ମହାକାଶଚାରୀ ହୋଇଥିବାରୁ ସୁନୀତାଙ୍କୁ ISSରେ ୩ ମାସ ପରେ ଷ୍ଟେସନ କମାଣ୍ଡର କରାଯାଇଥିଲା ଏବଂ ସେ ଏହି ପଦବୀରେ ମାର୍ଚ୍ଚ ମାସ ଆରମ୍ଭ ପର୍ଯ୍ୟନ୍ତ କାର୍ଯ୍ୟ କରିଥିଲେ ।

ରବିବାର ଦିନ ISSରେ କ୍ରୁ-୧୦ ସଦସ୍ୟ ପହଞ୍ଚିବା ପରେ କ୍ରୁ-୯ ନୂତନ ଦଳକୁ ସେମାନଙ୍କର ଦାୟିତ୍ବ ହସ୍ତାନ୍ତର କରିବା ପରେ ପୃଥିବୀ ଫେରିବା ପାଇଁ ପ୍ରସ୍ତୁତି ଆରମ୍ଭ କରିଥିଲେ । ଭାରତୀୟ ସମୟ ମାର୍ଚ୍ଚ ୧୮ ମଙ୍ଗଳବାର ସକାଳେ ସେମାନେ ସ୍ପେଶଏକ୍ସ କ୍ୟାପସୁଲରେ ବସିଥିବାବେଳେ, ୨ ଘଣ୍ଟା ପରେ ସେମାନଙ୍କ ସ୍ପେଶକ୍ରାଫ୍ଟ ISSରୁ ଅନଡକ୍‌ କରି ପୃଥିବୀ ଫେରିବା ପାଇଁ ୧୭ ଘଣ୍ଟା ଯାତ୍ରା ଆରମ୍ଭ କରିଥିଲା । କ୍ରୁ-୯ ସଦସ୍ୟର ସମସ୍ତ ୪ ମହାକାଶଚାରୀ ସୁନୀତା ୱିଲିୟମ୍ସ, ବଚ୍ ୱିଲମୋର, ନିକ ହଗ୍‌ ଏବଂ ଆଲେକ୍ସଜାଣ୍ଡାର୍ ଗୋର୍ବୁନୋଭ ଆଜି (ମାର୍ଚ୍ଚ ୧୯)ରେ ଫ୍ଲୋରିଡାର ଗଲ୍ଫ କୋଷ୍ଟରେ ସୁରକ୍ଷିତ ଅବତରଣ କରିଛନ୍ତି ।