ଗ୍ରୀଷ୍ମ ପ୍ରବାହ ପାଇଁ ଏପ୍ରିଲ ୨ରୁ ରାଜ୍ୟରେ ସକାଳୁଆ ସ୍କୁଲ
ଭୁବନେଶ୍ୱର (ସଂକେତ ଟିଭି): ରାଜ୍ୟରେ ତାପମାତ୍ରା କ୍ରମାଗତ ଭାବେ ବୃଦ୍ଧି ଏବଂ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ସ୍କୁଲ ସମୟ ପରିବର୍ତ୍ତନ କରିଛନ୍ତି । ଆସନ୍ତା ୯ ଏପ୍ରିଲରୁ ରାଜ୍ୟର ସମସ୍ତ ବିଦ୍ୟାଳୟରେ ପାଠପଢ଼ା ସକାଳୁ ଆରମ୍ଭ ହେବ । ଏହି ସମ୍ବନ୍ଧରେ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ ସୂଚନା ଦେଇଛନ୍ତି ।
ସ୍କୁଲ ସମୟରେ ଛାତ୍ରଛାତ୍ରୀଙ୍କ ପାଇଁ ସୁରକ୍ଷିତ ପାନୀୟ ଜଳ, ORS ପ୍ୟାକେଟ୍ ଏବଂ ଅନ୍ୟାନ୍ୟ ଆବଶ୍ୟକୀୟ ସୁବିଧା ଯୋଗାଇବା ପାଇଁ ନିର୍ଦ୍ଦେଶ ଦିଆଯାଇଛି । ଏହା ସହିତ, ଜିଲ୍ଲାପାଳମାନେ ନିଜ ଜିଲ୍ଲାର ପାଗର ସ୍ଥିତି ଅନୁଯାୟୀ ବିଦ୍ୟାଳୟ ଖୋଲିବା ବନ୍ଦ କରିବା ସମ୍ବନ୍ଧରେ ନିଷ୍ପତ୍ତି ନେଇପାରିବେ ।
ଅଙ୍ଗନବାଡ଼ି କେନ୍ଦ୍ରଗୁଡ଼ିକ ସକାଳ ୭ଟାରୁ ୯ଟା ଯାଏଁ ଖୋଲାଯିବ । ଯଦି ତାପମାତ୍ରା ଅତ୍ୟଧିକ ବୃଦ୍ଧି ପାଏ, ତେବେ ଅଙ୍ଗନବାଡ଼ି କେନ୍ଦ୍ର ବନ୍ଦ ରଖାଯାଇ ପିଲାଙ୍କ ପାଇଁ ଖାଦ୍ୟ ଘରେ ପହଞ୍ଚାଇବା ବ୍ୟବସ୍ଥା କରାଯିବ ।
ମନ୍ତ୍ରୀ ଆହୁରି ମଧ୍ୟ କହିଛନ୍ତି ଯେ, ଗ୍ରୀଷ୍ମ ଋତୁ ଗୋଟିଏ ମାସ ଆଗରୁ ଆସିଯାଇଛି । ଦୁଇ ଦିନ ପୂର୍ବେ ଭାରତର ସବୁଠୁ ଉତ୍ତପ୍ତ ଜିଲ୍ଲା ହୋଇଥିଲା ବୌଦ୍ଧ । ସମ୍ବଲପୁର, ସୁନ୍ଦରଗଡ଼, ଝାରସୁଗୁଡ଼ା, ବଲାଙ୍ଗିରରେ ମଧ୍ୟ ଅସହ୍ୟ ଗରମ ଅନୁଭୂତ ହେଉଛି । ଉପକୂଳରେ ମଧ୍ୟ ତାପମାତ୍ରା ବଢ଼ିଲାଣି ଏବଂ ଆର୍ଦ୍ରତା ବୃଦ୍ଧି ପାଉଛି ।