BusinessFeaturedLatestNews

ଅପ୍ରେଲ୍ ୧ରୁ ଭୁବନେଶ୍ୱରରୁ ଗୋଆକୁ ସିଧାସଳଖ ବିମାନ ସେବା

ଭୁବନେଶ୍ୱର (ସଂକେତ ଟିଭି): ଆସନ୍ତା ୧ ଅପ୍ରେଲ୍‌ ତାରିଖରୁ ଉତ୍କଳ ଦିବସ ଅବସରରେ ଭୁବନେଶ୍ୱରରୁ ଗୋଆକୁ ସିଧାସଳଖ ବିମାନ ସେବା ଆରମ୍ଭ ହେବ । ରାଜ୍ୟ ସରକାରଙ୍କ ନ୍ୟୁ ଡେଷ୍ଟିନେସନ୍‌ ପଲିସି ଅନୁଯାୟୀ ଭୁବନେଶ୍ୱରରୁ ଗୋଆକୁ ବିମାନ ସେବା ଆରମ୍ଭ ହେବ ।

ଆସନ୍ତା ୧ ଅପ୍ରେଲ୍‌ ତାରିଖରୁ ଭୁବନେଶ୍ୱରରୁ ଗୋଆକୁ ପ୍ରତି ସପ୍ତାହରେ ମଙ୍ଗଳବାର, ବୁଧବାର, ଗୁରୁବାର ଏବଂ ଶନିବାର ଦିନ ବିମାନ ସେବା ଚାଲୁ ରହିବ । ଘରୋଇ ବିମାନ କମ୍ପାନୀ ‘ଇଣ୍ଡିଗୋ’ ଏହି ସେବା ପ୍ରଦାନ କରିବ । ଭୁବନେଶ୍ୱରରୁ ଯାତ୍ରୀମାନେ ଗୋଆ ଯାଇପାରିବେ ଏବଂ ଗୋଆରୁ ଇଣ୍ଡିଗୋର ବିମାନରେ ଭୁବନେଶ୍ୱର ଫେରିପାରିବେ ।

ଏହି ସଂଯୋଗରେ ମୁଖ୍ୟମନ୍ତ୍ରୀ ମାଝୀ କହିଛନ୍ତି ଯେ, କେନ୍ଦ୍ର ସରକାରଙ୍କ ସହଯୋଗରେ ରାଜ୍ୟ ସରକାର ଓଡ଼ିଶାକୁ ବିକଶିତ କରିବା ଲକ୍ଷ୍ୟରେ ଦେଶର ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ସ୍ଥାନକୁ ବିମାନ ସେବା ଆରମ୍ଭ କରିଛନ୍ତି । ବିଗତ କିଛି ମାସ ମଧ୍ୟରେ ଭୁବନେଶ୍ୱରରୁ ଦେଶର ଅନେକ ସହରକୁ ବିମାନ ସେବା ଆରମ୍ଭ ହୋଇଛି । ଏହି କ୍ରମରେ ଗୋଆକୁ ବିମାନ ସେବା ଆରମ୍ଭ ହେବା ଦ୍ୱାରା ଉଭୟ ଓଡ଼ିଶା ଏବଂ ଗୋଆର ପର୍ଯ୍ୟଟନ ଓ ବ୍ୟବସାୟ କ୍ଷେତ୍ରରେ ବିକାଶ ଘଟିବ ।