ଓଡ଼ିଶାର ୯ ଜିଲ୍ଲାରେ ସୁନା ଖଣିର ସନ୍ଧାନ
ଭୁବନେଶ୍ୱର (ସଂକେତ ଟିଭି): ଓଡ଼ିଶାରେ ଭରପୁର ସୁନା ଖଣି ରହିଛି ବୋଲି ବିଧାନସଭାରେ ଲିଖିତ ଉତ୍ତର ରଖିଛନ୍ତି ଇସ୍ପାତ ଓ ଖଣି ମନ୍ତ୍ରୀ ବିଭୂତି ଭୂଷଣ ଜେନା । ମନ୍ତ୍ରୀ କହିଛନ୍ତି ଯେ, ଦେବଗଡ଼ ଏବଂ କେନ୍ଦୁଝର ପରେ ସୁନ୍ଦରଗଡ଼, ନବରଙ୍ଗପୁର, ଅନୁଗୁଳ, କୋରାପୁଟ, ମାଲକାନଗିରି, ସମ୍ବଲପୁର ଏବଂ ବୌଦ୍ଧ ଜିଲ୍ଲାରେ ମଧ୍ୟ ସୁନା ଖଣି ଥିବା ସୂଚନା ମିଳିଛି ।
ଏହା ସହିତ, ମୟୂରଭଞ୍ଜ ଜିଲ୍ଲାର ଯଶୀପୁର, ସୁରିଆଗୁଡା, ରୁଆଁସି, ଇଡେଲକୁଚା, ମାରେଡ଼ିହି, ସୁଲେଇପାଟ (ଧୂସୁରା ପାହାଡ) ଏବଂ ବାଦାମପାହାଡ ଅଞ୍ଚଳରେ ସୁନା ଖଣି ଅନୁସନ୍ଧାନ ପାଇଁ ପ୍ରାରମ୍ଭିକ କାର୍ଯ୍ୟ ଚାଲିଛି ।
ପୂର୍ବରୁ, ଦେବଗଡ଼ ଜିଲ୍ଲାର ଆଡାସ-ରାମପାଲ୍ଲୀ ଅଞ୍ଚଳରେ ଭାରତୀୟ ଭୂ-ବୈଜ୍ଞାନିକ ସର୍ବେକ୍ଷଣ (GSI) ସଂସ୍ଥା ତମ୍ବା ପଥର ଅନୁସନ୍ଧାନ ସମୟରେ ସୁନା ପଥରର ସନ୍ଧାନ ପାଇଥିଲା । ଏହା ବ୍ୟତୀତ, କେନ୍ଦୁଝର ଜିଲ୍ଲାର ଗୋପୁର-ଗାଜିପୁର, ମାଙ୍କଡଚୁଆଁ, ସଲେଇକଣା ଏବଂ ଡିମିରିମୁଣ୍ଡା ଅଞ୍ଚଳରେ ସୁନା ଖଣି ଚିହ୍ନଟ ପାଇଁ ଅନୁସନ୍ଧାନ କାର୍ଯ୍ୟ ଚାଲିଛି ବୋଲି ମନ୍ତ୍ରୀ ଜେନା ଜଣାଇଛନ୍ତି ।