FeaturedLatestNews

ଓଡ଼ିଶା ହାଇକୋର୍ଟର ନୂଆ ମୁଖ୍ୟ ବିଚାରପତି ହେବେ ଜଷ୍ଟିସ୍ ହରିଶ ଟଣ୍ଡନ

ଭୁବନେଶ୍ୱର (ସଂକେତ ଟିଭି): ଓଡ଼ିଶା ହାଇକୋର୍ଟର ନୂତନ ମୁଖ୍ୟ ବିଚାରପତି ଭାବେ ଜଷ୍ଟିସ୍ ହରିଶ ଟଣ୍ଡନଙ୍କୁ ନିଯୁକ୍ତି ଦିଆଯାଇଛି। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଅନୁମୋଦନ ପରେ କେନ୍ଦ୍ର ଆଇନ୍ ମନ୍ତ୍ରାଳୟ ଏହି ନିଯୁକ୍ତି ସମ୍ବନ୍ଧରେ ବିଜ୍ଞପ୍ତି ଜାରି କରିଛି। ଆଇନ୍ ଓ ନ୍ୟାୟ ରାଷ୍ଟ୍ରମନ୍ତ୍ରୀ ଅର୍ଜୁନ ରାମ ମେଘୱାଲ ସୋସିଆଲ୍ ମିଡିଆରେ ଏହି ସୂଚନା ଦେଇଛନ୍ତି। ଜଷ୍ଟିସ୍ ଟଣ୍ଡନ ବର୍ତ୍ତମାନ କଲିକତା ହାଇକୋର୍ଟରେ ବିଚାରପତି ଭାବେ କାର୍ଯ୍ୟରତ ଥିଲେ।

ସୁପ୍ରିମ୍ କୋର୍ଟ କଲେଜିୟମ୍ ଗତ ମାର୍ଚ୍ଚ ୬ ତାରିଖରେ ଜଷ୍ଟିସ୍ ଟଣ୍ଡନଙ୍କୁ ଓଡ଼ିଶା ହାଇକୋର୍ଟର ମୁଖ୍ୟ ବିଚାରପତି ଭାବେ ନିଯୁକ୍ତି ପାଇଁ ସୁପାରିଶ କରିଥିଲେ। ଏହା ପୂର୍ବରୁ, ଗତ ଜାନୁଆରୀ ୧୯ ତାରିଖରେ ଓଡ଼ିଶା ହାଇକୋର୍ଟର ମୁଖ୍ୟ ବିଚାରପତି ଜଷ୍ଟିସ୍ ଚକ୍ରଧାରୀ ଶରଣ ସିଂହଙ୍କ ଅବସର ପରେ ଏହି ପଦଟି ଖାଲି ରହିଥିଲା। ବର୍ତ୍ତମାନ କାର୍ଯ୍ୟକାରୀ ମୁଖ୍ୟ ବିଚାରପତି ଜଷ୍ଟିସ୍ ଅରିନ୍ଦମ ସିହ୍ନାଙ୍କୁ ସୁପ୍ରିମ୍ କୋର୍ଟ କଲେଜିୟମ୍ ଆଲାହାବାଦ୍ ହାଇକୋର୍ଟକୁ ସ୍ଥାନାନ୍ତର ପାଇଁ ସୁପାରିଶ କରିଥିଲେ।

ଜଷ୍ଟିସ୍ ହରିଶ ଟଣ୍ଡନ ୧୩ ଅପ୍ରେଲ୍ ୨୦୧୦ରେ କଲିକତା ହାଇକୋର୍ଟର ବିଚାରପତି ଭାବେ ନିଯୁକ୍ତି ପାଇଥିଲେ। ସେ ସର୍ବଭାରତୀୟ ହାଇକୋର୍ଟ ବିଚାରପତିଙ୍କ ବରିଷ୍ଠତା ତାଲିକାରେ ସପ୍ତମ ସ୍ଥାନରେ ଅଛନ୍ତି ଏବଂ କଲିକତା ହାଇକୋର୍ଟର ସର୍ବବରିଷ୍ଠ ବିଚାରପତି ଭାବେ ମଧ୍ୟ କାର୍ଯ୍ୟ କରିଛନ୍ତି। ଜଷ୍ଟିସ୍ ଟଣ୍ଡନ ୧୯୬୪ ମସିହା ନଭେମ୍ବର ୧୬ ତାରିଖରେ ଜନ୍ମଗ୍ରହଣ କରିଥିଲେ। ସେ ୧୯୮୩ ମସିହାରେ କୋଲକାତା ବିଶ୍ୱବିଦ୍ୟାଳୟରୁ ସ୍ନାତକ ଡିଗ୍ରୀ ହାସଲ କରିଥିଲେ ଏବଂ ୧୯୮୯ ମସିହାରେ ସେହି ବିଶ୍ୱବିଦ୍ୟାଳୟରୁ ଏଲଏଲବି ଡିଗ୍ରୀ ହାସଲ କରିଥିଲେ। ସେ ୧୯୮୯ ମସିହା ସେପ୍ଟେମ୍ବର ୨୬ ତାରିଖରେ ଓକିଲ ଭାବେ ନାମ ପଞ୍ଜୀକରଣ କରି ଅଭ୍ୟାସ ଆରମ୍ଭ କରିଥିଲେ।