FeaturedLatestNewsPolitics

 ବିଧାନସଭାରେ କଳା ପୋଷାକ ପିନ୍ଧି ଘଣ୍ଟ ଓ ମହୁରୀ ବଜାଇ ପ୍ରତିବାଦ କଲା କଂଗ୍ରେସ

ଭୁବନେଶ୍ୱର (ସଂକେତ ଟିଭି): ଓଡ଼ିଶା ବିଧାନସଭାରେ ଆଜି ଏକ ଅଭିନବ ଦୃଶ୍ୟ ଦେଖାଦେଇଥିଲା। ନାରୀ ସୁରକ୍ଷା ପ୍ରସଙ୍ଗକୁ ନେଇ କଂଗ୍ରେସ ସଦସ୍ୟମାନେ କଳା ପୋଷାକ ପିନ୍ଧି ଘଣ୍ଟା, ଶାହାନାଇ, ଗିନି ଓ ବଂଶୀ ବଜାଇ ପ୍ରତିବାଦ କରିଥିଲେ। ଏହି ପ୍ରତିବାଦ ଯୋଗୁଁ ବିଧାନସଭାର ପ୍ରଥମାର୍ଦ୍ଧ କାର୍ଯ୍ୟକ୍ରମ ଚାଲିପାରି ନଥିଲା ଏବଂ ଗୃହକୁ ଅପରାହ୍ନ ୪ଟା ପର୍ଯ୍ୟନ୍ତ ମୁଲତବି ଘୋଷଣା କରାଯାଇଥିଲା।

କଂଗ୍ରେସ ସଦସ୍ୟମାନେ ରାଜ୍ୟରେ ବୃଦ୍ଧି ପାଉଥିବା ନାରୀ ନିର୍ଯାତନା ମାମଲାକୁ ନେଇ ଏକ ଗୃହ କମିଟି ଗଠନ ଦାବି କରି ଆସୁଥିଲେ। ଏହି ଦାବି ପୂରଣ ନହେବାରୁ ସେମାନେ ଆଜି କଳା ପୋଷାକ ପିନ୍ଧି ବିଧାନସଭା ଗୃହରେ ଘଣ୍ଟା ବଜାଇ ପ୍ରତିବାଦ କରିଥିଲେ। କଂଗ୍ରେସ ସଦସ୍ୟ ତାରା ପ୍ରସାଦ ବାହନିପତି ବାଚସ୍ପତିଙ୍କ ପୋଡିୟମ ସମ୍ମୁଖରେ ଚେୟାର ଉପରେ ଛିଡ଼ା ହୋଇ ଘଣ୍ଟା ବଜାଉଥିବା ବେଳେ ଅନ୍ୟ ସଦସ୍ୟ ମଙ୍ଗୁ ଖିଲ ଶାହାନାଇ ଫୁଙ୍କୁଥିଲେ। କଂଗ୍ରେସ ବିଧାୟକଦଳ ନେତା ରାମଚନ୍ଦ୍ର କାଡାମ କଳା କପଡ଼ାରେ ଆବୃତ ହୋଇ ନିଜ ଆସନରେ ଛିଡ଼ା ହୋଇ ପ୍ରତିବାଦ କରିଥିଲେ।

ପ୍ରଶ୍ନକାଳ ଆରମ୍ଭ ହେବା ସହିତ କଂଗ୍ରେସ ସଦସ୍ୟମାନେ ଗୃହ ମଧ୍ୟଭାଗକୁ ଆସି ଘଣ୍ଟା ବଜାଇବା ସହିତ ବଂଶୀ ବାଦନ କରିଥିଲେ। ଏହି ଶବ୍ଦରେ ଗୃହ କମ୍ପିଉଠିଥିବା ବେଳେ ବିଜେଡି ସଦସ୍ୟମାନେ ମଧ୍ୟ ଗୃହ ମଧ୍ୟଭାଗକୁ ଆସି ଗଣମାଧ୍ୟମକୁ ଫଟୋ ଉଠାଇବାର ସ୍ୱାଧୀନତା ଦେବାକୁ ଦାବି କରି ହଟଗୋଳ କରିଥିଲେ। ଏହି ପରିସ୍ଥିତିରେ ବାଚସ୍ପତି ସୁରମା ପାଢୀ ଗୃହକୁ ୧୧ଟା ୩୦ ପର୍ଯ୍ୟନ୍ତ ମୁଲତବି ରଖିଥିଲେ।

ପୁନର୍ବାର ଗୃହ କାର୍ଯ୍ୟ ଆରମ୍ଭ ହେବା ପରେ କଂଗ୍ରେସ ସଦସ୍ୟମାନେ ପୁଣି ଥରେ ଘଣ୍ଟା ବଜାଇ ପ୍ରତିବାଦ କରିଥିଲେ। ବାଚସ୍ପତିଙ୍କ ଅନୁରୋଧ ସତ୍ତ୍ୱେ ସେମାନେ ନିଜ ନିଜ ଆସନକୁ ଫେରିନଥିବାରୁ ବାଚସ୍ପତି ସର୍ବଦଳୀୟ ବୈଠକ ଡାକିବା ସହିତ ଗୃହକୁ ଆଉ ୩୦ ମିନିଟ୍ ପାଇଁ ମୁଲତବି ରଖିଥିଲେ। ପରେ ଉପବାଚସ୍ପତି ଭବାନୀ ଶଙ୍କର ଭୋଇ ଗୃହରେ ଅଧ୍ୟକ୍ଷତା କରି ତିନି ପର୍ଯ୍ୟାୟରେ ବିଧାନସଭାକୁ ଅପରାହ୍ନ ୪ଟା ପର୍ଯ୍ୟନ୍ତ ମୁଲତବି ରଖିଥିଲେ।

କଂଗ୍ରେସ ସଦସ୍ୟମାନେ ରାଜ୍ୟରେ ନାରୀ ସୁରକ୍ଷା ପ୍ରତି ସରକାରର ଉଦାସୀନତାକୁ ନେଇ ତୀବ୍ର ପ୍ରତିବାଦ କରିଛନ୍ତି। ସେମାନେ କହିଛନ୍ତି ଯେ, ଯେପର୍ଯ୍ୟନ୍ତ ନାରୀ ନିର୍ଯାତନା ମାମଲାର ତଦନ୍ତ ପାଇଁ ଗୃହ କମିଟି ଗଠନ ନହେବ, ସେପର୍ଯ୍ୟନ୍ତ ସେମାନଙ୍କ ପ୍ରତିବାଦ ଜାରି ରହିବ। କଂଗ୍ରେସ ଦଳ ନେତା ରାମଚନ୍ଦ୍ର କାଡାମ କହିଛନ୍ତି, “ସରକାର କ୍ଷମତାରେ ଅନ୍ଧ ହୋଇଯାଇଛନ୍ତି। ନାରୀ ସୁରକ୍ଷା ପ୍ରତି ସେମାନେ ଗୁରୁତ୍ୱ ଦେଉନାହାନ୍ତି। ଆମେ ଏହି ଅନ୍ୟାୟ ବିରୋଧରେ ପ୍ରତିବାଦ ଜାରି ରଖିବୁ।”