FeaturedLatestNews

ରାଜ୍ୟ କ୍ୟାବିନେଟର ବୈଠକ : ୧୦ଟି ପ୍ରସ୍ତାବକୁ ମଞ୍ଜୁରୀ 

ଭୁବନେଶ୍ୱର (ସଂକେତ ଟିଭି): ରାଜ୍ୟ କ୍ୟାବିନେଟ୍ ଅନୁଷ୍ଠିତ ହୋଇଥିବା ୧୬ତମ ବୈଠକରେ ୧୦ଟି ପ୍ରସ୍ତାବକୁ ମଞ୍ଜୁରୀ ଦେଇଛି। ଏହି ପ୍ରସ୍ତାବଗୁଡ଼ିକ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ, ଇସ୍ପାତ ଓ ଖଣି, ପୂର୍ତ୍ତ, ସାଧାରଣ ପ୍ରଶାସନ, ଜଳ ସଂପଦ, ପଞ୍ଚାୟତିରାଜ ଓ ପାନୀୟଜଳ, ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ସହିତ ଜଡିତ। ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଆଜି ଏହି ସମ୍ବନ୍ଧରେ ସୂଚନା ଦେଇଛନ୍ତି।

ଆୟୁଷ୍ମାନ ଭାରତ ଯୋଜନା:
ରାଜ୍ୟ କ୍ୟାବିନେଟ୍ ଆୟୁଷ୍ମାନ ଭାରତ ଯୋଜନାକୁ ମଞ୍ଜୁରୀ ଦେଇଛି। ଏହି ଯୋଜନା ଅନୁଯାୟୀ, ପ୍ରାୟ ୧.୦୩ କୋଟି ପରିବାରର ୩.୪୬ କୋଟି ଲୋକ ପ୍ରତି ପରିବାର ପିଛା ବାର୍ଷିକ ୫ ଲକ୍ଷ ଟଙ୍କା ମାତ୍ରାରେ ମୁକ୍ତ ଚିକିତ୍ସା ସୁବିଧା ପାଇବେ। ମହିଳା ସଦସ୍ୟମାନେ ଅତିରିକ୍ତ ୫ ଲକ୍ଷ ଟଙ୍କା ପାଇବେ। ଏହା ସହିତ, ୭୦ ବର୍ଷ ବା ତଦୂର୍ଦ୍ଧ୍ୱ ବୟସ୍କଙ୍କ ପାଇଁ ‘ଆୟୁଷ୍ମାନ ବୟୋ-ବନ୍ଦନା ଯୋଜନା’ ଲାଗୁ ହେବ, ଯାହାଦ୍ୱାରା ସେମାନେ ମଧ୍ୟ ପ୍ରତି ପରିବାର ପିଛା ବାର୍ଷିକ ୫ ଲକ୍ଷ ଟଙ୍କା ମାତ୍ରାରେ ମୁକ୍ତ ଚିକିତ୍ସା ସୁବିଧା ପାଇବେ। ଏହି ଯୋଜନା ପାଇଁ ୨୦୨୫-୨୬ରୁ ୨୦୨୯-୩୦ ପର୍ଯ୍ୟନ୍ତ ୨୭,୧୯୩.୨୫ କୋଟି ଟଙ୍କା ବ୍ୟୟ ହେବ।

ଖଣି ଅଞ୍ଚଳରେ ପ୍ରଭାବିତ ପରିବାରଙ୍କ ପାଇଁ ସୁବିଧା:
ଖଣି କାର୍ଯ୍ୟ ଯୋଗୁଁ ପ୍ରଭାବିତ ଅଞ୍ଚଳରେ ରହୁଥିବା ପରିବାରଙ୍କ ପାଇଁ ଜିଲ୍ଲା ଖଣିଜ ଫାଉଣ୍ଡେସନ ପାଣ୍ଠି (DMF) ଗଠନ କରାଯାଇଛି। ଏହି ପାଣ୍ଠି ପ୍ରଭାବିତ ଅଞ୍ଚଳରେ ରହୁଥିବା ଲୋକଙ୍କ କଲ୍ୟାଣ ପାଇଁ ବ୍ୟବହୃତ ହେବ। ଏହି ପାଣ୍ଠି ଦ୍ୱାରା ଲୋକଙ୍କୁ ଲାଭଜନକ ଜୀବିକା, ଦକ୍ଷତା ବିକାଶ, କୃଷି ସହାୟତା ଇତ୍ୟାଦି ସୁବିଧା ମିଳିବ। ପ୍ରଭାବିତ ଅଞ୍ଚଳର ସୀମା ୧୦ କିଲୋମିଟରରୁ ବୃଦ୍ଧି କରି ୧୫ କିଲୋମିଟର କରାଯାଇଛି ଏବଂ ପରୋକ୍ଷ ପ୍ରଭାବିତ ଅଞ୍ଚଳର ସୀମା ୨୫ କିଲୋମିଟରରେ ସୀମିତ ରଖାଯାଇଛି।

ମୃତ ସରକାରୀ କର୍ମଚାରୀଙ୍କ ପରିବାରକୁ ଚାକିରି:
ରାଜ୍ୟ କ୍ୟାବିନେଟ୍ ମୃତ ସରକାରୀ କର୍ମଚାରୀଙ୍କ ପରିବାରକୁ ଚାକିରି ପ୍ରଦାନ କରିବା ସମ୍ବନ୍ଧୀୟ ନିୟମ ସଂଶୋଧନ କରିଛି। ୨୦୨୦ ମସିହାରେ ପ୍ରଚଳିତ ନିୟମ ପୂର୍ବରୁ ମୃତ୍ୟୁ ଘଟିଥିବା କର୍ମଚାରୀଙ୍କ ପରିବାରଙ୍କୁ ୧୯୯୦ ମସିହାର ନିୟମ ଅନୁଯାୟୀ ଚାକିରି ଦିଆଯିବ।

ରାଜ୍ୟ ସଡ଼କ ନୀତି ୨୦୨୫:
ରାଜ୍ୟ କ୍ୟାବିନେଟ୍ ‘ଓଡ଼ିଶା ରାଜ୍ୟ ସଡ଼କ ନୀତି ୨୦୨୫’କୁ ମଞ୍ଜୁରୀ ଦେଇଛି। ଏହି ନୀତି ରାଜ୍ୟରେ ଏକ ଗୁଣାତ୍ମକ ସଡ଼କ ନେଟୱାର୍କ ଗଠନ ପାଇଁ ଏକ ଢାଞ୍ଚା ପ୍ରଦାନ କରିବ। ଏହା ଜନସାଧାରଣ ଓ ବିଭିନ୍ନ ଦ୍ରବ୍ୟର ସୁରକ୍ଷିତ, ସ୍ଥାୟୀ ଏବଂ ଦକ୍ଷ ପରିବହନ ପାଇଁ ସଡକ ପଥର ସମୁଚିତ ବିକାଶକୁ ସୁନିଶ୍ଚିତ କରିବ। ରାଜ୍ୟ ସରକାର ୭୫ ହଜାର କିଲୋମିଟର ରାସ୍ତାକୁ ବିଶ୍ୱ ସ୍ତରୀୟ ରାସ୍ତା ନେଟୱାର୍କ ଭାବେ ବିକଶିତ କରିବାର ଲକ୍ଷ୍ୟ ରଖିଛନ୍ତି।

ଜଳକର ଆଦାୟ ସମୟ ସୀମା ବୃଦ୍ଧି:
କେନ୍ଦ୍ର ଓ ରାଜ୍ୟ ସରକାରୀ ଉଦ୍ୟୋଗ, ଘରୋଇ ଶିଳ୍ପ ଓ ବାଣିଜ୍ୟିକ ପ୍ରତିଷ୍ଠାନଗୁଡ଼ିକର ବକେୟା ଜଳକର ଆଦାୟ ପାଇଁ ଜଳ ସମ୍ପଦ ବିଭାଗ ଦ୍ୱାରା ଆଗତ ଏକ କାଳୀନ ସମାଧାନ ଯୋଜନାର ଅବଧି ୩୧ ମେ ୨୦୨୫ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି।

ପ୍ରଶାସନିକ ସେବା ନିୟମାବଳୀ ସଂଶୋଧନ:
ଓଡ଼ିଶା ପ୍ରଶାସନିକ ସେବା ଓ ରାଜସ୍ୱ ସେବା କ୍ୟାଡରରେ ନିଯୁକ୍ତ ଅଧିକାରୀମାନଙ୍କ ପାଇଁ ବିଭାଗୀୟ ପରୀକ୍ଷାର ପାଠ୍ୟକ୍ରମରେ ସଂଶୋଧନ କରାଯାଇଛି। ଇଣ୍ଡିଆନ ପେନାଲ କୋଡ୍ (IPC), କ୍ରିମିନାଲ ପ୍ରୋସିଜ୍ୟୁର କୋଡ୍ (CrPC) ଓ ଇଣ୍ଡିଆନ ଏଭିଡେନ୍ସ ଆକ୍ଟ ପରିବର୍ତ୍ତେ ଭାରତୀୟ ନ୍ୟାୟ ସଂହିତା (BNS), ଭାରତୀୟ ନାଗରିକ ସୁରକ୍ଷା ସଂହିତା (BNSS) ଓ ଭାରତୀୟ ସାକ୍ଷ୍ୟ ଅଧିନିୟମ (BSA) କାର୍ଯ୍ୟକାରୀ ହେତୁ ଏହି ସଂଶୋଧନ କରାଯାଇଛି।

ଘରବାଡି ନ ଥିବା ବ୍ୟକ୍ତିଙ୍କ ପାଇଁ ଜମି ବଣ୍ଟନ:
ଯେଉଁ ବ୍ୟକ୍ତିଙ୍କର ୧ ଏକରର ୨୫ ଭାଗରୁ ଏକ ଭାଗରୁ କମ୍ ଜମି ଅଛି, ସେମାନଙ୍କୁ ଘରବାରିହୀନ ବ୍ୟକ୍ତି ଭାବେ ପରିଗଣିତ କରାଯିବ ଏବଂ ସେମାନଙ୍କୁ ଅତିରିକ୍ତ ଜମି ଯୋଗାଇ ଦିଆଯିବ। ସରକାରୀ ଜମି ଅଧିକାର କରି ରହୁଥିବା ଲୋକଙ୍କୁ ମଧ୍ୟ ଜମି ବଣ୍ଟନ କରାଯାଇପାରିବ।