ସରକାରୀ ଅର୍ଥରେ କରୁଥିଲେ କ୍ରିକେଟ୍ ବେଟିଂ, ପିଇଓଙ୍କୁ ବାନ୍ଧିଲା ଭିଜିଲାନ୍ସ
ବ୍ରହ୍ମପୁର (ସଂକେତ ଟିଭି): ଗଞ୍ଜାମ ଜିଲ୍ଲା ସାନଖେମୁଣ୍ଡି ବ୍ଲକ୍ ଅନ୍ତର୍ଗତ ରାଧାଦେଇପୁର ଗ୍ରାମ ପଞ୍ଚାୟତର ପଞ୍ଚାୟତ ନିର୍ବାହୀ ଅଧିକାରୀ (ପିଇଓ) କ୍ଷେତ୍ରମୋହନ ନାୟକଙ୍କୁ ଭିଜିଲାନ୍ସ ଗିରଫ କରିଛି। ସରକାରୀ ଅର୍ଥ ହେରଫେର କରି କ୍ରିକେଟ୍ ବେଟିଂରେ ଲଗାଇଥିବା ଅଭିଯୋଗରେ ତାଙ୍କୁ ଗିରଫ କରାଯାଇଛି। ପିଇଓ କ୍ଷମତାର ଅପବ୍ୟବହାର କରି ସରପଞ୍ଚଙ୍କ ନକଲି ଦସ୍ତଖତରେ ପଞ୍ଚାୟତକୁ ଆସିଥିବା ସରକାରୀ ଟଙ୍କା ହାଣ୍ଡି କରି କ୍ରିକେଟ୍ ବେଟିଂରେ ଲଗାଇଥିଲେ ବୋଲି ଅଭିଯୋଗ ରହିଛି।
ସୂଚନା ଅନୁସାରେ, ପିଇଓ କ୍ଷେତ୍ରମୋହନ ନାୟକ କମ ସମୟରେ କୋଟିପତି ହେବାର ସ୍ୱପ୍ନ ଦେଖୁଥିଲେ। ସରକାରୀ ଚାକିରିରେ ଏକ ବର୍ଷ ମଧ୍ୟ ପୂର୍ଣ୍ଣ ହୋଇନଥିବା ସତ୍ତ୍ୱେ, ସେ ନିଜ କାର୍ଯ୍ୟାଳୟରୁ ପ୍ରାୟ ୪୩ ଲକ୍ଷ ଟଙ୍କା ହେରଫେର କରି କ୍ରିକେଟ୍ ବେଟିଂ ଏବଂ ଗେମିଂ ଆପ୍ରେ ଲଗାଇଥିଲେ। ସରପଞ୍ଚଙ୍କ ଅଜାଣତରେ ଏହି ଟଙ୍କା ଉଠାଯାଇଥିବା ବିଷୟ ଜଣାପଡ଼ିବା ପରେ ତାଙ୍କ ବିରୋଧରେ ଅଭିଯୋଗ ହୋଇଥିଲା।
ଗୁରୁବାର ଦିନ ବ୍ରହ୍ମପୁର ଭିଜିଲାନ୍ସ ଟିମ୍ ରାଧାଦେଇପୁର ପଞ୍ଚାୟତ କାର୍ଯ୍ୟାଳୟରେ ପହଞ୍ଚି ଯାଞ୍ଚ କରିଥିଲେ। ଏହି ଯାଞ୍ଚ ସମୟରେ ପିଇଓ କ୍ଷେତ୍ରମୋହନ ନାୟକଙ୍କୁ ଗିରଫ କରାଯାଇଥିଲା ଏବଂ ତାଙ୍କ କାର୍ଯ୍ୟାଳୟରୁ ଅନେକ ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ଜବତ କରାଯାଇଥିଲା। ଅଧିକ ତଦନ୍ତ ପାଇଁ ସରପଞ୍ଚଙ୍କ ସହିତ ବ୍ଲକ୍ ଅନ୍ତର୍ଗତ ଅନ୍ୟ କିଛି ଅଧିକାରୀଙ୍କୁ ମଧ୍ୟ ଭିଜିଲାନ୍ସ ଡାକିଥିବା ସୂଚନା ମିଳିଛି।
ଏହି ଘଟଣା ପରେ ପିଇଓ କ୍ଷେତ୍ରମୋହନ ନାୟକଙ୍କୁ ବଦଳି କରାଯାଇଛି ଏବଂ ତାଙ୍କ ସ୍ଥାନରେ ଆଉ ଜଣେ ପିଇଓଙ୍କୁ ନିଯୁକ୍ତି ଦିଆଯାଇଛି। କ୍ଷେତ୍ରମୋହନ ନାୟକ ୨୦୨୪ ଜୁଲାଇ ମାସରୁ ରାଧାଦେଇପୁର ପଞ୍ଚାୟତରେ ପିଇଓ ଭାବେ କାର୍ଯ୍ୟରତ ଥିଲେ। ସେ ପଞ୍ଚାୟତର ସିଏଫ୍ସି, ଏସ୍ଏଫ୍ସି, ପିଡିଏସ୍ ଏବଂ ଓଏପି ଆକାଉଣ୍ଟ୍ରୁ ପ୍ରାୟ ୪୩,୦୧,୬୪୦ ଟଙ୍କା ହେରଫେର କରି କ୍ରିକେଟ୍ ବେଟିଂ ଏବଂ ଗେମିଂ ଆପ୍ରେ ଲଗାଇଥିଲେ ବୋଲି ଅଭିଯୋଗ ରହିଛି।