FeaturedLatestNewsPolitics

ବିମାନରେ ସାଥିରେ ଯାତ୍ରା କଲେ ବୈଜୟନ୍ତ ଓ ଶଶୀ, ଫଟୋ ଭାଇରାଲ

ନୂଆଦିଲ୍ଲୀ (ସଂକେତ ଟିଭି): ବିଜେପି ଓ କଂଗ୍ରେସର ଦୁଇ ସଂସଦ ବୈଜୟନ୍ତ ପଣ୍ଡା ଏବଂ ଶଶୀ ଥରୁର ଏକାଠି ବିମାନରେ ଯାତ୍ରା କରିଛନ୍ତି। ତେବେ ଏହି ଫଟୋ ଏବେ ଗଣମାଧ୍ୟମ ଏବଂ ସୋଶିଆଲ ମିଡିଆରେ ଭାଇରାଲ ହୋଇଛି ।

ଏହି ଫଟୋ ଭାଇରାଲ ହେବାର ମୁଖ୍ୟ କାରଣ ହେଉଛି ନେତାଦ୍ୱୟ ନିଜ ନିଜ ସୋଶିଆଲ ମିଡିଆ ପୋଷ୍ଟରେ କିଛି ମଜାଳିଆ ଟିପ୍ପଣୀ କରିଛନ୍ତି, ଯାହା ଚର୍ଚ୍ଚାକୁ ଆହୁରି ବେଶୀ ତାତ୍ପର୍ଯ୍ୟ ଯୋଗାଇଛି। ବୈଜୟନ୍ତ ପଣ୍ଡା ବିମାନରେ ଯାତ୍ରା କରୁଥିବା ସମୟରେ ଶଶୀ ଥରୁରଙ୍କ ସହିତ ଫଟୋ ଉଠାଇ ସୋଶିଆଲ ମିଡିଆ ପ୍ଲାଟଫର୍ମ Xରେ ପୋଷ୍ଟ କରିଛନ୍ତି ଏବଂ ଲେଖିଛନ୍ତି, “ପରିଶେଷରେ ଆମେ ଗୋଟିଏ ଦିଗରେ ହିଁ ଯାତ୍ରା କରୁଛେ…”

ବୈଜୟନ୍ତଙ୍କ ଏହି ପୋଷ୍ଟରେ ରିପ୍ଲାଇ ଦେଇ ଶଶୀ ଥରୁର କହିଛନ୍ତି, “ଏ ଯାତ୍ରା କେବଳ ଭୁବନେଶ୍ୱର ଯାଏଁ। ମୁଁ କଳିଙ୍ଗ ଲିଟେରାରୀ ଫେଷ୍ଟିଭାଲରେ ଯୋଗଦେବାକୁ ଯାଉଛି, ଆଉ ଖୁବ୍ ଶୀଘ୍ର ଫେରୁଛି…” ତେବେ ଦୁହିଁଙ୍କ ଏହି ମଜାଳିଆ ପୋଷ୍ଟକୁ ନେଇ ସୋଶିଆଲ ମିଡିଆ ୟୁଜର୍ମାନେ ନିଜ ନିଜର ମନ୍ତବ୍ୟ ଦେଇଛନ୍ତି।

ବିଜେପି ନେତା ବୈଜୟନ୍ତ ପଣ୍ଡାଙ୍କ ସହ ଶଶୀ ଥରୁରଙ୍କ ଫଟୋ ଏବେ ପ୍ରଥମ ଥର ନୁହେଁ। ପୂର୍ବରୁ ମଧ୍ୟ ଶଶୀ ବିଜେପି ନେତା ପୀୟୂଷ ଗୋଏଲଙ୍କ ସହିତ ଫଟୋ ଭାଇରାଲ ହୋଇଥିଲା। ଏହାପରେ ଶଶୀ କଂଗ୍ରେସ ଦଳ ଉପରେ ଅସନ୍ତୁଷ୍ଟ ଥିବା ନେଇ ମଧ୍ୟ ଚର୍ଚ୍ଚା ହୋଇଥିଲା। ସେ କହିଥିଲେ ଯେ, ଯଦି କଂଗ୍ରେସର ତାଙ୍କର ଆବଶ୍ୟକତା ନାହିଁ, ତାଙ୍କ ପାଇଁ ଅନେକ ବିକଳ୍ପ ଅଛି। ଏହି ମନ୍ତବ୍ୟ ପରେ ଶଶୀ ବିଜେପିରେ ଯୋଗଦେବା ନେଇ ଚର୍ଚ୍ଚା ହୋଇଥିଲା। ଏବେ ବୈଜୟନ୍ତ ପଣ୍ଡାଙ୍କ ସହ ତାଙ୍କର ଫଟୋ ଏହି ଚର୍ଚ୍ଚାକୁ ଆହୁରି ବେଶୀ ତାତ୍ପର୍ଯ୍ୟ ଦେଇଛି।